କେବେ ସୁଦ୍ଧା ସ୍ୱାଭାବିକ ହେବ ବିଦ୍ୟୁତ ସେବା? ପଚାରିଲେ ଚୁପ୍ ରହୁଛନ୍ତି, ଉତ୍ତର ନ ଦେଇ ଚାଲି ଯାଉଛନ୍ତି ଶକ୍ତି ସଚିବ ।

130

କନକ ବ୍ୟୁରୋ : ବାତ୍ୟା ଫୋନି ପରେ କିଟିମିଟି ଅନ୍ଧାରରେ ରହିଥିବା ରାଜଧାନୀ ଭୁବନେଶ୍ୱର ଧୀରେ ଧୀରେ ଆଲୋକିତ ହେଉଛି । ଫୋନି ବିଦାୟ ନେବାର ୮ ଦିନି ବିତି ଯାଇଥିଲେ ମଧ୍ୟ ଏଯାଏଁ ସ୍ମାର୍ଟସିଟିର ହାର୍ଟଲାଇନରେ ପହଞ୍ଚିପାରିନି ବିଦ୍ୟୁତ ସେବା । ଆଉ ଏସବୁ ଭିତରେ ରାଜଧାନୀବାସୀଙ୍କ ଆଶା ଓ ଆଶଙ୍କା ବଢାଉଛି ଶକ୍ତି ସଚିବ ହେମନ୍ତ ଶର୍ମାଙ୍କ ନିରବତା । ରାଜଧାନୀବାସୀ ବିଦ୍ୟୁତ ବିନା ଛଟପଟ ହେଉଥିବା ବେଳେ କେବେ ସମ୍ପୂର୍ଣ୍ଣ ଭାବେ ବିଦ୍ୟୁତ ସେବା ଲୋକଙ୍କ ପାଖରେ ପହଞ୍ଚି ପାରିବ ସେ ନେଇ ମୁହଁ ଖୋଲୁନାହାନ୍ତି ଶକ୍ତି ସଚିବ ।

ପୂରା ରାଜଧାନୀ କେବେ ଆଲୋକିତ ହେବ ତାହା ଏବେ ସବୁଠୁ ବଡ ସସପେନ୍ସ । ଖାସକରି ଏହି ପ୍ରସଙ୍ଗରେ ଶକ୍ତି ସଚିବଙ୍କ ମୌନ ରହିବା ଏହି ସସପେନ୍ସକୁ ଅଧିକ ବଢାଇ ଦେଇଛି । ସ୍ମାର୍ଟସିଟିରେ କେବେ ସୁଦ୍ଧା ବିଜୁଳି ପହଁଚିବ ତାହାର ଉତ୍ତର ଆଜି ସାମ୍ବାଦିକ ମାନେ ଜାଣିବାକୁ ଚାହିଁଥିଲେ ମଧ୍ୟ ଏହି ପ୍ରସଙ୍ଗରେ ଚୁପ୍ ରହିବାକୁ ଶ୍ରେୟସ୍କର ମଣିଥିଲେ ଶକ୍ତି ସଚିବ । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ନ ଦେଇ ପଳାଇ ଯାଇଥିଲେ ଶକ୍ତି ସଚିବ ହେମନ୍ତ ଶର୍ମା । ଗୋଟିଏ ପଟେ ପୂରା ରାଜଧାନୀକୁ ବିଦ୍ୟୁତ ସେବା ପହଞ୍ଚାଇବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲୁଥିବା କୁହାଯାଉଥିବା ବେଳେ କେବେ ସୁଦ୍ଧା ବିଦ୍ୟୁତ ସେବା ପହଞ୍ଚିବ ତାହାକୁ ନେଇ ଶକ୍ତି ବିଭାଗ ପକ୍ଷରୁ ସ୍ପଷ୍ଟ ସଂକେତ ମିଳୁନାହିଁ ।

ଏହାପୂର୍ବରୁ ରାଜଧାନୀର କିଛି ସ୍ଥାନରେ ବିଦ୍ୟୁତ ପହଞ୍ଚିଛି ସତ କିନ୍ତୁ ତାହା ମଧ୍ୟ ସାମୟିକ ସମୟ ପାଇଁ । ସକାଳ ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ଲୁଚକାଳି ଖେଳୁଛି ବିଦ୍ୟୁତ । ରାଜଧାନୀର ପ୍ରମୁଖ କିଛି ସ୍ଥାନକୁ ଛାଡିଦେଲେ ଅନ୍ୟ ସ୍ଥାନ ଗୁଡିକରେ ଏଯାଏଁ ବିଦ୍ୟୁତ ପହଞ୍ଚି ପାରିନାହିଁ । ଆସନ୍ତାକାଲି ଅଥାର୍ତ ମେ ୧୨ ତାରିଖ ସୁଦ୍ଧା ସମସ୍ତ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଇ ଦିଆଯିବ ବୋଲି ଡେଡଲାଇନ ଦିଆଯାଇଥିଲା । କିନ୍ତୁ ଏବେ ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ଭଳି ଭୁବନେଶ୍ୱରବାସୀଙ୍କ ପାଇଁ ବିଦ୍ୟୁତ ସେବା ଯେପରି ଦୂରେଇ ଦୂରେଇ ଯାଉଛି ।

ସେହିଭଳି ଫୋନି ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀର ପ୍ରତ୍ୟେକ ସ୍ଥାନରେ ବିଜୁଳି ସେବା କେବେ ପହଞ୍ଚିବ ତାହାର ଉତ୍ତର ମଧ୍ୟ କାହା ପାଖରେ ନାହିଁ । ୧୨ ତାରିଖ ସୁଦ୍ଧା ପୁରୀ ବଡଦାଣ୍ଡକୁ ବିଜୁଳି ସେବା ଯୋଗାଇ ଦେବାକୁ ଜୋରଦାର କାର୍ଯ୍ୟ ଚାଲିଥିବା ବେଳେ ୧୫ ତାରିଖ ସୁଦ୍ଧା ପୁରୀର ସମସ୍ତ ଘରକୁ ବିଜୁଳି ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା । କିନ୍ତୁ ଯେଉଁଠି ପୂରା ରାଜଧାନୀରେ ବିଜୁଳି କେବେ ଆସିବ ତାହାର ଉତ୍ତର କାହା ପାଖରେ ନାହିଁ ସେଭଳି ସ୍ଥଳେ ପୁରୀରେ କେବେ ସୁଦ୍ଧା ବିଜୁଳି ଆସିବ ତାହା ସବୁଠୁ ବଡ ପ୍ରଶ୍ନବାଚୀ ଭାବେ ଉଭା ହୋଇଛି ।