ନୂଆ ନିୟମ ଆଣିଲେ ସରକାର : ଆସନ୍ତା ଆର୍ଥିକ ବର୍ଷରୁ କମିବ ଘରୋଇ କର୍ମଚାରୀଙ୍କ ଟେକହୋମ ସାଲାରି !

ମୋଟ ଦରମାର ୫୦ ପ୍ରତିଶତରୁ କମ୍ ହେବନି ବେସିକ ସାଲାରି; ବଢିବ ପିଏଫ ଓ ଗ୍ରାଚୁଇଟି ବାବଦରେ କର୍ମଚାରୀଙ୍କ ଅଂଶ

7,434

କନକ ବ୍ୟୁରୋ : ପ୍ରାଇଭେଟ କମ୍ପାନିରେ ଚାକିରି କରିଛନ୍ତି କି ? ତେବେ ଆସନ୍ତା ଆର୍ଥିକ ବର୍ଷରୁ ଘରକୁ କମ୍ ଦରମା ନେଇ ଆସିପାରନ୍ତି । କାରଣ କେନ୍ଦ୍ର ସରକାରଙ୍କ ନୂଆ ନିୟମ ଆଧାରରେ କର୍ମଚାରୀଙ୍କ ଦରମା ଢାଂଚାରେ ପରିବର୍ତନ ହୋଇପାରେ । ଘରୋଇ କର୍ମଚାରୀଙ୍କ ପାଇଁ ଧାର୍ଯ୍ୟ ପାରିଶ୍ରମିକ ନିୟମରେ କେତେକ ପରିବର୍ତନ କରିଛନ୍ତି କେନ୍ଦ୍ର ସରକାର । ଏହା ଆଗାମୀ ଆର୍ଥିକ ବର୍ଷ ଅର୍ଥାତ ୨୦୨୧ ଏପ୍ରିଲରୁ କାର୍ଯ୍ୟକାରୀ ହେବ ।

ନୂଆ ନିୟମ ଅନୁସାରେ, କର୍ମଚାରୀଙ୍କୁ ମିଳୁଥିବା ଆଲାଉନ୍ସ ବା ଅନ୍ୟାନ୍ୟ ସୁବିଧା ବାବଦ ଅର୍ଥ, ମୂଳ ଦରମାର ୫୦ ପ୍ରତିଶତରୁ ଅଧିକ ହେବନାହିଁ । ଅର୍ଥାତ କର୍ମଚାରୀଙ୍କ ବେସିକ ସାଲାରୀ ବା ମୂଳ ଦରମା ୫୦ ପ୍ରତିଶତ ରହିବା ବାଧ୍ୟତାମୂଳକ । ତେଣୁ କମ୍ପାନିଗୁଡିକ ମୂଳ ଦରମାକୁ ବଢାଇବା ପାଇଁ ବାଧ୍ୟ ହେବେ । ଏପରି ହେଲେ ଗ୍ରାଚୁଇଟି କିମ୍ବା ପ୍ରୋଭିଡେଂଟ ଫଣ୍ଡ ବାବଦକୁ କର୍ମଚାରୀମାଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ । ଫଳରେ କର୍ମଚାରୀଙ୍କ ଟେକ ହୋମ ସାଲାରି ଅର୍ଥାତ ଘରକୁ ନେଉଥିବା ଟଙ୍କା କମିଯିବ । ହେଲେ ଏହା କର୍ମଚାରୀଙ୍କ ସାମାଜିକ ସୁରକ୍ଷା ବୃଦ୍ଧି କରିବା ସହ ପେନସନ ଫଣ୍ଡକୁ ଅଧିକ ଟଙ୍କା ଦେବ । ଯାହା ତାଙ୍କ ଅବସରକାଳୀନ ସମୟକୁ ଅଧିକ ସୁଖଦ କରିପାରିବ ବୋଲି ବିଶେଶଜ୍ଞଙ୍କ ମତ ।