କନକ ବ୍ୟୁରୋ: ଫିଲ୍ମ ଆଦିପୁରୁଷକୁ ନେଇ ଏବେ ସବୁଠି ଚର୍ଚ୍ଚା । ଫିଲ୍ମର ଡାଏଲଗକୁ ନେଇ ଫିଲ୍ମଟି ଏବେ ବିବାଦ ଘେରରେ ଫସିବା ପରେ, ସମସ୍ତେ ପୁରୁଣା ଦିନର ରାମାୟଣ ସିରିଏଲକୁ ଏହାସହ ତୁଳନା କରିଛନ୍ତି । ଟିଭି ଦୁନିଆର ରାମାୟଣ ସିରିଏଲକୁ ଆଦିପୁରୁଷ ସହ ତୁଳନା କରି, ଲୋକମାନେ ଏବେ ସୋସିଆଲ୍ ମିଡିଆରେ ନିଜର ମନ୍ତବ୍ୟ ରଖୁଛନ୍ତି । ହେଲେ ଆପଣ ଜାଣିଛନ୍ତି କି, ୫୦୦ କୋଟି ଟଙ୍କାରେ ଫିଲ୍ମ ଆଦିପୁରୁଷ ନିର୍ମାଣ ହୋଇଥିବାବେଳେ, ରାୟାୟଣ ସିରିଏଲ୍ କେତେ ଟଙ୍କାରେ ନିର୍ମାଣ କରାଯାଇଥିଲା?

Advertisment

ଟିଭି ଦୁନିଆରେ ଅନେକ ଭକ୍ତି ସିରିଏଲ୍ ପ୍ରସାରଣ ହେଇଛି, ହେଲେ ରାମାନନ୍ଦ ସାଗରଙ୍କ ରାମାୟଣର ମୁକାବିଲା ଆଜି ପର୍ଯ୍ୟନ୍ତ କେହି ବି କରିପାରିନାହାଁନ୍ତି । ଏହି ରାମାୟଣରେ ଅରୁଣ ଗୋଭିଲ ରାମ ଚରିତ୍ରରେ ନଜର ଆସିଥିବାବେଳେ, ସମସ୍ତେ ତାଙ୍କୁ ଆଜି ବି ଜୀବନ୍ତ ଭଗବାନ ଭାବେ ପୂଜା କରନ୍ତି । ଖାଲି ସେତିକି ନୁହେଁ, ଦୀପିକା ଚିଖଲିୟାଙ୍କ ସୀତା ଚରିତ୍ର ଆଜି ବି ଲୋକଙ୍କୁ ମନେ ଅଛି । ଯେଉଁ କାରଣରୁ ଏହି ଯୋଡିକୁ ସମସ୍ତେ ସେତେବେଳେ ପସନ୍ଦ କରିଥିଲେ ।

୧୯୮୭ ମସିହାରେ ଏହି ରାମାୟଣ ସିରିଏଲ୍ ପ୍ରସ୍ତୁତ କରାଯାଇଥିଲା । ଯାହାକି ଦୂରଦର୍ଶନ ମାଧ୍ୟମରେ ପ୍ରସାରିତ ହେଉଥିଲା । ରିପୋର୍ଟ ମୁତାବକ, ସେତେବେଳେ ଏହି ରାମାୟଣ ସିରିଏଲର ଗୋଟିଏ ଏପିସୋଡ୍ ନିର୍ମାଣ କରିବାକୁ ମୋଟ ୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିଲା । ତେବେ ଏହି ସିରିଏଲଟି ପ୍ରସାରିତ ହେବା ପରେ ଏହା ଗୋଟିଏ ଏପିସୋଡ୍ ପିଛା ୪୦ ଲକ୍ଷ ଟଙ୍କା ରୋଜଗାର କରିଥିଲା । ରିପୋର୍ଟ ମୁତାବକ, ରାମାୟଣ ସିରିଏଲରେ ସେତେବେଳେ ମୋଟ ୭ କୋଟି ଟଙ୍କା ଖର୍ଚ୍ଚା କରାଯାଇଥିଲା । ଜବାବରେ ଏହା ମୋଟ ୨୩ କୋଟି ଟଙ୍କା ରୋଜଗାର କରିଥିଲା । ସୂଚନାଯୋଗ୍ୟ ଯେ, ରାମାୟଣର ପ୍ରତିଟି ଏପିସୋଡ୍ ୩୫ ମିନିଟ୍ ବିଶିଷ୍ଟ ହେଇଥିବାବେଳେ, ଏହାର ମୋଟ ୭୮ଟି ଏପିସୋଡ୍ ପ୍ରସ୍ତୁତ କରାଯାଇଥିଲା ।