ମଣ୍ଡପରୁ ଯୁବକଙ୍କ ମୃତଦେହ ମିଳିବା ଘଟଣା: କରୋନା କାଳରେ ରୋଜଗାର କମିଯିବାରୁ ଆତ୍ମହତ୍ୟା କଲେ କି ଯୁବକ? 

108

କନକ ବ୍ୟୁରୋ: ପ୍ରକାଶ ବଳ । ଘର ଯାଜପୁର । ଭୁବନେଶ୍ୱର ଇନଫୋସିଟି ଅଂଚଳରେ ଏକ ମଣ୍ଡପରେ ଇଭେଂଟ ଆସିଷ୍ଟାଂଟ ଭାବେ କାମ କରନ୍ତି । ମଣ୍ଡପ ପକ୍ଷରୁ ବିବାହ, ବ୍ରତଘର ଓ ଅନ୍ୟାନ୍ୟ ସାମାଜିକ ସମାବେଶରେ ସହଯୋଗ କରିବା ଥିଲା ତାଙ୍କର କାମ । ଯେଉଁ ମଣ୍ଡପରେ କାମ କରୁଥିଲେ, ସେହି ମଣ୍ଡପରୁ ମିଳିଛି ତାଙ୍କର ମୃତଦେହ । ତାହା ସହ ମିଳିଛି ଏକ ସୁଇସାଇଡ୍ ନୋଟ୍ । ସେଥିରେ ଲେଖାଯାଇଛି, ଧାର କରଜ ବହୁତ ହୋଇଯାଇଛି, ମାନସିକ ଚାପ ସହିହେଉନି, ତେଣୁ ଆତ୍ମହତ୍ୟା କରିବାକୁ ନିଷ୍ପତି ନେଉଛନ୍ତି । ଏହା ସହ ଲେଖାଯାଇଛି, ତାଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ପରିବାରର ଦାୟିତ୍ୱ ନେବ ।

ସୁଇସାଇଡ୍ ନୋଟକୁ ଆଧାର କରି ତଦନ୍ତ ଆରମ୍ଭ କରିଛି କମିସନରେଟ୍ ପୁଲିସ । ତେବେ ଏହାକୁ ମାନିବାକୁ ନାରାଜ ମୃତ ପ୍ରକାଶଙ୍କ ପରିବାର । ଯେଉଁ ସୁଇସାଇଡ୍ ନୋଟ ମିଳିଛି, ତାକୁ ଅନ୍ୟ କେହି ଲେଖିଛି ବୋଲି ଅଭିଯୋଗ କରିଛନ୍ତି ତାଙ୍କ ଭାଇ ।

ଅନ୍ୟପଟେ ମଣ୍ଡପ ପରିଚାଳକ କହିଛନ୍ତି, ପ୍ରକାଶ ଅନଲାଇନ ଗେମ୍ ଖେଳି ଅନେକ ଟଙ୍କା ଧାର କରଜ କରିଥିଲେ । ତେଣୁ କରଜ ସୁଝିନପାରି ଏପରି ଚରମ ନିଷ୍ପତ୍ତି ନେଇଥାଇପାରନ୍ତି । ମୃତକଙ୍କ ମାଆ ମଧ୍ୟ କହିଛନ୍ତି, ପ୍ରକାଶ ଧାର କରଜ କରିଥିଲେ, ଆଉ ଟଂକା ଫେରାଇବା ପାଇଁ ଧମକ ମିଳୁଥିଲା ।

ଗୋଟିଏ ପଟେ କରୋନା ସମୟରେ ଲକଡାଉନ, ସଟଡାଉନରେ ଆର୍ଥିକ ଚାପ ଭିତରେ ଥିଲେ ପ୍ରକାଶ । ଧାର କରଜ ସୁଝିପାରୁନଥିବାରୁ ମାନସିକ ଚାପ ବଢ଼ି ଚାଲିଥିଲା । ଅନ୍ୟପଟେ ପ୍ରକାଶଙ୍କ ବିବାହକୁ ନେଇ ପରିବାରରେ ସମସ୍ୟା ଲାଗି ରହିଥିବା ସୂଚନା ମିଳିଛି । ମୃତ ପ୍ରକାଶଙ୍କ ପତ୍ନୀ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ପରିବାର ଲୋକ ଏହି ବିବାହକୁ ମାନିବାକୁ ନାରାଜ । ଏସବୁ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ । ସୁଇସାଇଡ ନୋଟରେ ଥିବା ହ୍ୟାଣ୍ଡ ରାଇଟିଂ, ପ୍ରକାଶଙ୍କର କି ନୁହେଁ, ତାହା ଯାଂଚ ପାଇଁ ପଠାଯାଇଛି ।