ପ୍ରଳୟର ପୂର୍ବାଭାଷ ପାଇଥିଲେ କି ଅଳକାନନ୍ଦ ନଦୀର ମାଛ ? ହିମସ୍ଖଳନ ପୂର୍ବରୁ ଦୁଇକୂଳରେ ଗଦା ହୋଇଗଲେ ହଜାର ହଜାର ମାଛ । 

1,315

କନକ ବ୍ୟୁରୋ : ପାହାଡ ଶୀର୍ଷରେ ବାନ୍ଧିଥିବା ବରଫ ଭିତରେ ହଠାତ୍ ହେଲା ବିସ୍ଫୋରଣ । ଏହା ପରେ ତଳମୁଣ୍ଡରେ ରଚିଲା ପ୍ରଳୟର ତାଣ୍ଡବ । କିନ୍ତୁ ସେହିଦିନ ସକାଳ ୯ଟା ବେଳେ ଅଳକାନନ୍ଦା ନଦୀ ଓ ଉପନଦୀରେ ଦେଖିବାକୁ ମିଳିଥିବା ଏକ ବିରଳ ଦୃଶ୍ୟ । ନଦୀ କୂଳ ହୋଇଗଲା ରୂପେଲି । କାରଣ ଦୁଇକୂଳରେ ଗଦା ହୋଇଗଲେ ହଜାର ହଜାର ମାଛ । ଏପଟେ ଲୋକେ ବି ମନଭରି ବୋହିନେଇଗଲେ ଏସବୁ ମାଛ । ତେବେ ମାଛଙ୍କ ଏଭଳି ବ୍ୟବହାର ପଛର କାରଣ କଣ?  ସେମାନେ ପାଇଲେ କି ପ୍ରଳୟର ପୂର୍ବର ସଂକେତ?

ସକାଳୁ ଶାନ୍ତ ଥିବା ଉତରଖଣ୍ଡର ପରିବେଶ ହଠାତ୍ ହୋଇପଡିଲା ଅଶାନ୍ତ । ସୁ-ସୁ ଗର୍ଜନ କରି ବହି ଆସିଥିଲା ମାଟି ମିଶା ପାଣି । ଉତରାଖଣ୍ଡର ଚମୋଲି ଜିଲ୍ଲାରେ ଏହି ବରଫସ୍ଖଳନ ଯେଉଁ ବିଭିଷୀକା ରଚିଛି, ତାହା ସମସ୍ତଙ୍କ ଛାତି ଥରାଇଦେଇଛି । ଏହାର ପ୍ରଭାବ ପଡିଲା ଉତରାଖଣ୍ଡର ଜେସିମଠ ଜିଲ୍ଲାର ଅନେକ ଅଂଚଳରେ । ହିମସ୍ଖଳନରେ ଧୋଇ ହୋଇଯାଇଛି ଅନେକ ନଦୀକୂଳିଆ ଗାଁ । ମାଟି ଉପରେ ଏବେ କୌଣସି ଚିହ୍ନବର୍ଣ୍ଣ ନାହିଁ । ଶତାଧିକ ଘରକୁ ଧୋଇ ପୁରା ସଫା କରିଦେଇଛି ହିମସ୍ଖଳନ ।

ରବିବାର ସକାଳୁ ଉତରାଖଣ୍ଡର ଲାସୁ ଗାଁରେ ଦେଖିବାକୁ ମିଳିଥିଲା ବିରଳ ଦୃଶ୍ୟ । ଗାଁ କୂଳରେ ବହିଯାଉଥିବା ଅଳକାନନ୍ଦା ନଦୀ କୂଳ ହଠାତ୍ ଦେଖାଗଲା ରୂପେଲୀ । କାରଣ ଦୁଇ କୂଳରେ ଭର୍ତି ହୋଇଯାଇଥିଲେ ହଜାର ହଜାର ମାଛ । ଚାହୁଁ ଚାହୁଁ ଏହି ଖବର ପ୍ରଚାର ହୋଇଗଲା ଏବଂ ନଦୀ ପାଖରେ ଜମା ହୋଇଗଲେ ହଜାର ହଜାର ଲୋକ । ଝୁଡି, ବାଲଟି, ହାଣ୍ଡିରେ ବୋହି ନେଇଗଲେ ପୁଳା ପୁଳା ମାଛ । ଏପରିକି ଲୋକଙ୍କୁ ମାଛ ନେବା ପାଇଁ ଜାଲ ପକାଇବାକୁ ମଧ୍ୟ ପଡିନଥିଲା ।

ମାଛ ସଂଗ୍ରହ କରିବାରେ ମସ୍ଗୁଲ୍ ଥିବା ଲୋକେ ଜାଣି ନଥିଲେ ଆଗକୁ ଆସୁଛି ମହାବିପତି । କାରଣ ଏହି ଗାଁ ଥିଲା ହିମସ୍ଖଳନ ସ୍ଥାନଠାରୁ ୭୦ କିଲୋମିଟର ଦୂରରେ । ତେବେ ଅଳକାନନ୍ଦା କୂଳରେ କାହିଁକି ଘଟିଲା ଏଭଳି ଘଟଣା । ବିପର୍ଯ୍ୟୟର ସଂକେତ ଜାଣିପାରିଥିଲା କି ମାଛ?

ଏଭଳି ଆଶଙ୍କା କରିବା ପଛରେ ରହିଛି ଏକ କାରଣ । ଚାମେଲି ଜିଲ୍ଲାର ରେଣୀ ଗାଁରେ  ହିମସ୍ଖଳନ ହୋଇଥିବା ବେଳେ ଅଳକାନନ୍ଦାର ତଳମୁଣ୍ଡରେ ବିଭିନ୍ନ ନଦୀରେ ଦେଖିବାକୁ ମିଳିଥିଲା ଲାସୁ ଗାଁର ଦୃଶ୍ୟ । ନନ୍ଦପ୍ରୟାଗ, ଲଙ୍ଗାସୁ, କର୍ଣ୍ଣପ୍ରୟାଗ ଆଦି ସ୍ଥାନରେ ନଦୀକୂଳ ମାଛମୟ ହୋଇଯାଇଥିଲା । ନଦୀର ସୁଅରେ ଭାସୁଥିବା ମାଛ ହଠାତ୍ କୂଳକୁ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏପରିକି ୨-୩ କିଲୋଗ୍ରାମ ଓଜନର ମାଛ ବି ଲୋକଙ୍କ ହାତରେ ପଡିଛି ।

ଅଳକାନନ୍ଦା ଅବବାହିକାର ଦୃଶ୍ୟ ଏଭଳି ପ୍ରଶ୍ନ ସୃଷ୍ଟି କରିବା ସ୍ୱାଭାବିକ । ବିଜ୍ଞାନୀମାନଙ୍କ ମତରେ ମାଛମାନଙ୍କର ଇନ୍ଦ୍ରିୟ ପାଖରେ ନିଜ ଚାରି ପାଖର ପରିବର୍ତନକୁ ଜାଣିବାର କ୍ଷମତା ରହିଛି । ଜଳଚର ଜୀବଙ୍କ ପାଖରେ ଥିବା ଇନ୍ଦ୍ରିୟ ଜଳର ଗତି ଓ ଚାପକୁ ବାରିପାରେ । ଏହା ହିଁ ସେମାନଙ୍କ ଗତିବିଧିକୁ ପ୍ରଭାବିତ କରିଥାଏ । ତେଣୁ ଅଳକାନନ୍ଦା ନଦୀ ଅବବାହିକାରେ ନଦୀକୂଳରେ ମାଛ ଜମା ହେବା ଏହାର ଏକ ପ୍ରଭାବ ହୋଇପାରେ ବୋଲି କୁହାଯାଉଛି । ବାସ୍ତବରେ ଏହି ଘଟଣା ପଛର କାରଣ ନେଇ ଅନେକ ମତ ରହିଥିବା ବେଳେ ଏନେଇ ଅଧିକ ଗବେଷଣାର ଆବଶ୍ୟକତା ରହିଛି ।