ସୁଶାନ୍ତ ଓ ଦୀପାଳିଙ୍କ କଳି ଯୋଗୁଁ ସାରଦା ନାୟକଙ୍କୁ ମିଳିଲା କି ମନ୍ତ୍ରିପଦ? ଶ୍ରମ ମନ୍ତ୍ରୀ ଭାବେ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ । ଅସନ୍ତୁଷ୍ଟ ହେଲେ ସୁଶାନ୍ତ ସିଂଙ୍କ ସମର୍ଥକ ।

739

କନକ ବ୍ୟୁରୋ: ସମୀର ଦାସ, ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ପରେ କିଏ ନୂଆ ମନ୍ତ୍ରୀ ହେବେ, ତାକୁ ନେଇ ପାୱାର କରିଡରରେ ହୋଇଥିଲା ଜୋରଦାର ଚର୍ଚ୍ଚା । ଝାରସୁଗୁଡାର ନୂଆ ବିଧାୟିକା ଦୀପାଳି ଦାସ ଓ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ନାଁ ଏହି ଚର୍ଚ୍ଚାରେ ଆଗରେ ଥିଲା । ହେଲେ ସମସ୍ତଙ୍କୁ ଚମକାଇ ରାଉରକେଲା ବିଧାୟକ ସାରଦା ନାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହା ରାଜନୈତିକ ମହଲରେ ଏକ ବଡ ଆଲୋଚନାର ବିଷୟ ପାଲଟିଛି ।

ରବିବାର ସନ୍ଧ୍ୟା ଯାଏଁ ଚର୍ଚ୍ଚା ଜୋର ଧରିଥିଲା ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ଦୀପାଳି ଦାସ ଓ ସୁଶାନ୍ତ ସିଂଙ୍କୁ ମନ୍ତ୍ରୀପଦ ମିଳିବ । କିନ୍ତୁ ରାତି ୮ଟା ପରେ ହଠାତ୍ ଦୁଇଜଣଙ୍କ ବଦଳରେ ରାଉରକେଲା ବିଧାୟକ ସାରଦା ନାୟକଙ୍କ ନାଁରେ ମୋହର ବାଜିଥିଲା, ଯାହାକୁ ନେଇ ଏବେ ଭିନ୍ନ ଚର୍ଚ୍ଚା ଶୁଣିବାକୁ ମିଳୁଛି ।

  • ଦୁଇଜଣଙ୍କ କଳିରେ ତୃତୀୟ ଜଣଙ୍କ ଲାଭ?
  • ଦୀପାଳି-ସୁଶାନ୍ତଙ୍କ ମତାନ୍ତରର ଫାଇଦା ପାଇଲେ କି ସାରଦା?

ରାଉରକେଲାର ବିଧାୟକ ସାରଦା ନାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏଭଳି ଏକ ଚର୍ଚ୍ଚା ଜୋର ଧରିଛି । ଶପଥ ସମାରୋହ ବେଳେ ପ୍ରାୟତଃ ସମସ୍ତ ବିଜେଡି ନେତା ଉପସ୍ଥିତ ଥିଲେ । କିନ୍ତୁ ପଶ୍ଚିମ ଓଡିଶାର ଟାଣୁଆ ନେତା ତଥା ଭଟଲି ବିଧାୟକ ସୁଶାନ୍ତ ସିଂହଙ୍କୁ ଦେଖିବାକୁ ମିଳିନଥିଲା । ଝାରସୁଗୁଡାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ କିନ୍ତୁ ଉପସ୍ଥିତ ଥିଲେ ।

କୁହାଯାଉଛି, ସୁଶାନ୍ତ-ଦୀପାଳିଙ୍କ ମନାନ୍ତରର ଲାଭ ସାରଦା ପାଇଛନ୍ତି । ନବଙ୍କ ପରିବାର ଓ ସୁଶାନ୍ତ ସିଂହଙ୍କ ମଧ୍ୟରେ ବ୍ୟବସାୟିକ କାରଣକୁ ନେଇ ମନାନ୍ତର ଚର୍ଚ୍ଚା ରହିଛି । ଏପରିକି ଝାରସୁଗୁଡାରେ ପ୍ରଚାର ତାଲିକାରେ ସୁଶାନ୍ତଙ୍କ ନାଁ ଥିଲେ ବି ସେ ଆଖିଦୃଶିଆ ପ୍ରଚାର କରିନଥିଲେ । ଅନ୍ୟପଟେ ଦୀପାଳିଙ୍କୁ ମନ୍ତ୍ରୀ କରିବାକୁ ମୁଖ୍ୟମନ୍ତ୍ରୀ ଚାହୁଁଥିଲେ ବୋଲି ଚର୍ଚ୍ଚା ହେଉଥିଲା କିନ୍ତୁ ଦୀପାଳି-ସୁଶାନ୍ତଙ୍କ ମତାନ୍ତର ମଧ୍ୟରେ କାହାକୁ ମନ୍ତ୍ରୀ କରାଯିବ ସ୍ଥିର ହୋଇପାରିନଥିଲା । ଶେଷରେ ସାରଦା ନାୟକଙ୍କୁ ମନ୍ତ୍ରୀ କରାଯାଇଛି । କିନ୍ତୁ ଏଭଳି ଚର୍ଚ୍ଚାର କୌଣସି ଆଧାର ନାହିଁ ବୋଲି ସୁଶାନ୍ତ ସିଂ କହିଛନ୍ତି । କିନ୍ତୁ ମନ୍ତ୍ରୀ ପଦ ମିଳିନଥିବାରୁ ସମର୍ଥକଙ୍କ ଭିତରେ ଅସନ୍ତୋଷ ଥିବା ପରୋକ୍ଷରେ କହିଛନ୍ତି ।

  • କି ସଙ୍କେତ ଦେଉଛି ସୁଶାନ୍ତଙ୍କୁ ମନ୍ତ୍ରୀପଦ ନ ମିଳିବା ?
  • ସାରଦାଙ୍କ କମବ୍ୟାକରେ ଅଛି କି ବିଜେଡିର ନୂଆ ପ୍ଲାନ?

ପଶ୍ଚିମ ଓଡିଶାରେ ବିଜେଡିର ବଡ ଚେହେରା ହେଉଛନ୍ତି ସୁଶାନ୍ତ ସିଂହ । କୁହାଯାଏ, ବିଜେଡି ବିଜୟରେ ତାଙ୍କର ରଣନୀତି କାମ କରିଥାଏ । ଏବେ ତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ ନ କରିବା ଫଳରେ ସମର୍ଥକ ନିରାଶ ହୋଇଛନ୍ତି । ସେପଟେ ଶାରଦା ୨୦୧୨ ପରେ ନବୀନଙ୍କ ମନ୍ତ୍ରିମଣ୍ଡଳକୁ ଆଉ ଫେରିପାରିନଥିଲେ । ୨୦୧୪ରେ ରାଉରକେଲାରୁ ପରାଜିତ ହୋଇଥିଲେ । ୨୦୧୯ରେ ବିଜୟୀ ହୋଇଥିଲେ ମଧ୍ୟ ସୁପ୍ରିମୋଙ୍କ ଭରସା ଜିତିପାରିନଥିଲେ । ୨୦୧୨ରେ ମିଡ୍ ନାଇଟ୍ ଅପରେସନ ପରଠୁ ସାରଦା ମନ୍ତ୍ରୀ ମଣ୍ଡଳରୁ ବାହାରେ ରହିଥିଲେ । କୁହାଯାଉଛି, ଏବେ ନିର୍ବାଚନକୁ ଆଉ ବର୍ଷଟିଏ ବାକି ଥିବା ବେଳେ ସାରଦାଙ୍କ କମବ୍ୟାକ୍ ଅନେକ ଇସାରା ଦେଉଛି ।

ଏବେ ରାଜନୈତିକ ମହଲରେ ଚର୍ଚ୍ଚା, ସୁଶାନ୍ତ ସିଂଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ ନ କରିବା ପଶ୍ଚିମ ଓଡିଶା ଉପରେ କି ପ୍ରଭାବ ପକାଇବ ?