କନକ ବ୍ୟୁରୋ: ଗୁଳିମାଡର ଶିକାର ହେବା ପରେ ଅତିକ ଅହମ୍ମଦ ଓ ଅସରଫର ଅପରାଧ ସାମ୍ରାଜ୍ୟ ଏବେ ଅତୀତ । ୪ ଦଶନ୍ଧିର ମାଫିଆ ରାଜ ଏକ ପ୍ରକାର ଶେଷ ହୋଇଥିବା କୁହାଯାଉଥିବା ବେଳେ ଏବେ ୟ୍ରୁପି ପୁଲିସର ଚିନ୍ତା ବଢ଼ାଇଛନ୍ତି ଅତିକର ପତ୍ନୀ ସାଇସ୍ତା ଓ ପ୍ରମୁଖ ସହଯୋଗୀ ତଥା ହାର୍ଡକୋର କ୍ରିମିନାଲ୍ ଗୁଡ୍ଡୁ ମୁସଲିମ୍ । କାରଣ ଉଭୟଙ୍କର ପତା ପାଉନି ୟୁପି ପୋଲିସ ।

Advertisment

ଗୁଡ୍ଡୁ ମୁସଲିମ୍.. ଅଣ୍ଡରୱାର୍ଲଡ, ମାଫିଆ ଗ୍ୟାଙ୍ଗର ଏକ ପରିଚିତ ନା । ଯଦିଓ ପୂର୍ବରୁ ଗୁଡୁ ବିଷୟରେ ଅଧିକ ଜଣାନଥିଲା, କିନ୍ତୁ ଅତିକ ଅହମ୍ମଦ ଗୁଳିମାଡ଼ର ଶିକାର ହେବା ପୂର୍ବରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଉଥିବା ପ୍ରତିକ୍ରିୟାରେ ଏହି ନାଁ ସାମନାକୁ ଆସିଛି ।

ସବୁଠୁ ବଡ଼ କଥା ହେଉଛି ଫେବ୍ରୁଆରୀ ୨୪ ତାରିଖରେ ଉମେଶ ପାଲଙ୍କୁ ଗୁଳିମାଡ଼ ହେବା ପରେ ଗୁଡ୍ଡୁ ବୋମା ପିଙ୍ଗୁଥିବାର ଦୃଶ୍ୟ କଏଦ ହୋଇଥିଲା ସିସିଟିଭି କ୍ୟାମେରାରେ । ଗୁଡ୍ଡୁ ମୁସଲିମ ଜଣେ ବଡ ଗ୍ୟାଙ୍ଗଷ୍ଟର । ଗୁଳି ଓ ବନ୍ଧୁକ ସହ ସମ୍ପର୍କ କମ୍ ରଖେ ଆଉ ବୋମାକୁ ନିଜର ଅଧିକ ଘନିଷ୍ଠ ବୋଲି ଭାବେ ଏହି କୁଖ୍ୟାତ ଅପରାଧୀ । ଯାହାକୁ ଟାର୍ଗେଟ କରେ ସେ ବ୍ୟାଗରେ ବୋମା ନେଇ ଅତି ସାଧାରଣ ଭାବେ ଯାଏ ଆଉ ବୋମା ଲକ୍ଷ୍ୟଚ୍ୟୁତ ନହେବା ପରି ଫିଙ୍ଗିଥାଏ । ପରେ ସେଠାରୁ ଚମ୍ପଟ ମାରେ । ତେଣୁ ଏବେ ଅତିକର ଏହି ଘନିଷ୍ଠ ବ୍ୟକ୍ତିକୁ ଧରିବାକୁ ୟୁପି ପୋଲିସ ଜୋରଦାର ସର୍ଚ୍ଚ ଅପରେସନ କରୁଛି ।

ୟୁପି ପୋଲିସ ଗୁଡ୍ଡୁ ମୁସଲିମ୍ ଏବଂ ସାଇସ୍ତାକୁ ଖୋଜିବା ପାଇଁ ଦିନରାତି ଏକ କରିଦେଇଛି । ଉଭୟ ୟୁପି ଉମେଶ ପାଲ ହତ୍ୟାକାଣ୍ଡର ଘଟଣାର ଅଭିଯୁକ୍ତ । ଅତିକ ଓ ଅସରଫ ହତ୍ୟାର ଶିକାର ପରେ ଗୁଡୁ ମୁସଲିମ୍ ଏବଂ ଅତିକର ପତ୍ନୀ ଫେରାର ହୋଇଯାଇଥିବା ସୂଚନା ରହିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟା ଗୁଡ୍ଡୁ ମୁସଲିମ୍ ଓଡ଼ିଶାର ପୁରୀ ସମେତ ବିଭିନ୍ନ ରାଜ୍ୟରେ ବୁଲୁଛି । ଭିନ୍ନ ଭିନ୍ନ ସ୍ଥାନରେ ତା’ର ଲୋକେସନ୍ ଦେଖାଇବା ପରେ ଏସଟିଏଫକୁ ଚକମା ଦେବାକୁ ଜୋରଦାର ପ୍ରୟାସ କରୁଥିବା ସୂଚନା ରହିଛି ।

କୁହାଯାଏ ଅତିକର ନିର୍ଦ୍ଦେଶ ପାଇବା ପରେ ଅପରାଧ ଘଟାଇଥାଏ ଗୁଡ୍ଡୁ ମୁସଲିମ୍ । କିନ୍ତୁ ଏହା ମଧ୍ୟ ଚର୍ଚ୍ଚା ହେଉଛି କୌଣସି କାରଣ ଯୋଗୁଁ ଉଭୟଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା ।