ଇଞ୍ଜିନିୟରରୁ ସଫଳ ଚାଷୀ: ଆଖୁ, ପନିପରିବା ଓ କାଜୁବାଦାମ ଚାଷ କରି ଲାଭବାନ ହେଉଛନ୍ତି କେନ୍ଦ୍ରାପଡ଼ାର ଦିବ୍ୟରଞ୍ଜନ

191

କନକ ବ୍ୟୁରୋ: ଯୁବ ଇଂଜିନିୟରଙ୍କ ଚାଷ କରିବାର ନିଶା । ଆଖୁ ଓ କାଜୁବାଦାମ ଚାଷରୁ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ପାଳନ୍ଦା ଗାଁର ଦିବ୍ୟ ରଞ୍ଜନ । ଦିବ୍ୟ ଇଲେକ୍ଟ୍ରିକାଲ ଟ୍ରେଡରେ ଡିପ୍ଲୋମା ଶେଷ କରିବା ପରେ ଭୁବନେଶ୍ୱରର ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ । ହେଲେ ପିଲାଟି ଦିନରୁ ତାଙ୍କର ଚାଷ ପ୍ରତି ଥିଲା ଦୁର୍ବଳତା । ଏଥିପାଇଁ ସେ ଗାଁକୁ ଫେରି ନିଜର ପଡ଼ିଆ ପଡ଼ିଥିବା ଜମିରେ ସାଙ୍ଗମାନଙ୍କ ସହ ମିଶି ଚାଷ କାମ ଆରମ୍ଭ କରିଛନ୍ତି । ଆଉ ଏଥିରେ ସଫଳତା ମଧ୍ୟ ପାଇଛନ୍ତି ।

ନିଜର କିଛି ଜମି ସହିତ ଆଉ କିଛି ଜମି ଲିଜରେ ନେଇ ଚାଷ କରୁଛନ୍ତି ଦିବ୍ୟ । ୪ ମାସ ହେଲା ଆଖୁ ଚାଷ ହୋଇଥିବାବେଳେ ୧୦ ମାସ ପରେ ଆଖୁ ଅମଳ କରାଯିବ । ସେହିପରି ଏବେ କାଜୁ ଅମଳ ସମୟ ହୋଇଥିବାରୁ ଗଛରୁ ଫଳ ସଂଗ୍ରହ କରିବା କାମ ଜାରି ରହିଛି । ଏହାଦ୍ୱାରା ସ୍ଥାନୀୟ ଅଂଚଳର ୨୦ରୁ ୨୫ ଜଣଙ୍କୁ କିଛି ରୋଜଗାର ମିଳିପାରୁଛି । ଆଗକୁ ପନିପରିବା ଚାଷ କରିବାକୁ ଯୋଜନା ରଖିଛନ୍ତି ଦିବ୍ୟ । ପାଇକା ନଦୀ ପଠାରେ ୨୫ ଏକର ଜମିରେ ଆଖୁ ଚାଷ ହୋଇଥିବା ବେଳେ ଏଥିରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ୪ ଏକର ଜମିରେ ୫୦୦ କାଜୁ ଗଛ ଲଗାଇଛନ୍ତି ଦିବ୍ୟ । କାଜୁ ମଂଜି କିଲୋ ପିଛା ୯୦ରୁ ୧୦୦ ଟଙ୍କାର ବିକ୍ରି ହେଉଛି ।

କାଜୁ ଓ ଆଖୁ ଚାଷ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ସ୍ଥାନୀୟ ଅଂଚଳରେ ଜଣେ ସଫଳ ଚାଷୀ ଭାବେ ପରିଚୟ ସୃଷ୍ଟି କରିଛନ୍ତି ଯୁବ ଇଞ୍ଜିନିୟର ଦିବ୍ୟରଞ୍ଜନ ।