ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚ ସେୟାର କଲେ ମନ୍ତ୍ରୀ ଦିବ୍ୟଶଙ୍କର । କଳାହାଣ୍ଡିବାସୀଙ୍କୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ନବୀନ ।

293

କନକ ବ୍ୟୁରୋ : ଭବାନୀପାଟଣାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ତେବେ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ସବୁଠୁ ବଡ କଥା ହେଲା ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚ ସେୟାର କରିଛନ୍ତି ଦିବ୍ୟଶଙ୍କର । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଦିବ୍ୟଶଙ୍କରଙ୍କୁ ମଞ୍ଚରେ ଦେଖିବାକୁ ମିଳିବ କି ନାହିଁ ତାହାକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଥିଲା । କାରଣ ମମିତା ମୃତ୍ୟୁ ପ୍ରସଙ୍ଗରେ ବିବାଦ ଘେରକୁ ଆସିଥିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଦିବ୍ୟଶଙ୍କରଙ୍କୁ ଦେଖିବାକୁ ମିଳିବ ନାହିଁ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସକାଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମସ୍ଥଳରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଉପସ୍ଥିତି ଏହି ଚର୍ଚ୍ଚାରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପକାଇଥିଲା । ଆଉ ଯେତେବେଳେ ନବୀନଙ୍କ କାର୍ଯ୍ୟକ୍ରମ ଆରମ୍ଭ ହେଲା ସେତେବେଳେ ଦିବ୍ୟଶଙ୍କରଙ୍କୁ ମଞ୍ଚ ଉପରେ ଦେଖିବାକୁ ମିଳିଛି ।

ଏହାପୂର୍ବରୁ ମୟୂରଭଞ୍ଜରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଶେଷ ମୁହୂର୍ତ୍ତରେ ଦୂରେଇ ଦିଆଗଲା । ସେତେବେଳେ ଦିବ୍ୟଶଙ୍କରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା । ଚର୍ଚ୍ଚା ହେଲା, ବିବାଦ ଘେରରେ ଥିବାରୁ ମନ୍ତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ଦୂରେଇ ରଖାଗଲା । କିନ୍ତୁ ଏହାର ଦିନ କେଇଟା ବିତିନଥିବା ବେଳେ ପୁଣିଥରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚରେ ଦେଖିବାକୁ ମିଳିଛି ।

ଅନ୍ୟପଟେ ବିରୋଧୀଙ୍କ ବିରୋଧ ପ୍ରଦର୍ଶନ ଭିତରେ ନବୀନ ପଟ୍ଟନାୟକଙ୍କ କାରକେଡ ବିଜୁ ପଟ୍ଟନାୟକଙ୍କ ବିମାନବନ୍ଦରରେ ପହଂଚିଥିଲା । ଏଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଅଭିମୁଖେ ବାହାରିଥିଲେ । ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଉତକେଲା ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ନବୀନ । େତେବେ ନବୀନ ପହଞ୍ଚିବା ପୂର୍ବରୁ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୁଲିସ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଳାପତକା ଦେଖାଇ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ପୁଲିସ ଉଠାଇ ନେଇଛି । ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଗତ କିଛି ଦିନ ହେଲା କଳାହାଣ୍ଡିରେ ସରକାରଙ୍କ ବିରୋଧରେ ବିରୋଧୀମାନେ ଜୋରଦାର ଆନ୍ଦୋଳନ ଚଳାଇଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଅଡି ରହିଛନ୍ତି ବିରୋଧୀ । ମନ୍ତ୍ରୀଙ୍କୁ ବହିଷ୍କାର କରୁନଥିବାରୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କ ଟାର୍ଗେଟକୁ ଆସିଛନ୍ତି ।