କନକ ବ୍ୟୁରୋ : ଘରର ମେରୁଦଣ୍ଡ ହୁଇଲ୍ ଚେୟାରରେ । ଦୁଇ ଭେଣ୍ଡିଆ ପୁଅ ଅକାଳରେ ଆରପାରିକୁ ଚାଲି ଯିବା ପରେ ଦୁଇ ବିଧବା ବୋହୂ, ସ୍ତ୍ରୀ ଓ ୪ ନାତି ନାତୁଣୀଙ୍କ ଦାୟିତ୍ୱ ଏଇ ଦିବ୍ୟାଙ୍ଗ ବୁଢା ବାପାଙ୍କ ଉପରେ । ପେଟକୁ ଦାନା ଗଣ୍ଡାଏ ଯୋଗାଇବା ପାଇଁ ସଂଘର୍ଷ କରୁଛନ୍ତି ହାଟଡିହି ବ୍ଲକ ପଂଚୁଗୋଚ୍ଛିଆ ପଂଚାୟତ ତରଭା ଗାଁର ଦିବ୍ୟାଙ୍ଗ ନାରାୟଣ ଜେନା । ପେଟକୁ ମୁଠାଏ ଖାଇବା ଯୋଗାଡ କରିପାରୁନଥିବା ବେଳେ ମୁଣ୍ଡ ଗୁଂଜିବାକୁ ଘର ଖଣ୍ଡିଏ ନାହିଁ । ପଲିଥିନ୍୍ ତଳେ ବିତୁଛି ଏ ଅସହାୟ ପରିବାର ଜୀବନ । ପରିବାର ଦୁଃଖ ନେଇ ବହୁବାର ଜଣାଇଛନ୍ତି ହେଲେ ସେମାନଙ୍କୁ ଦୁଃଖ ଶୁଣିବାକୁ ଯେମିତି କେହି ନାହିଁ ।
ବର୍ଷା ପବନରେ ଭାଙ୍ଗିଯାଇଛି ଘର ଖଣ୍ଡିକ । ଆଉ ସାନ ଭାଇର ଭଙ୍ଗା ଘରେ ପଲିଥିନ୍ ପକାଇ ରହୁଛନ୍ତି ନାରାୟଣଙ୍କ ପରିବାର । ଦିବ୍ୟାଙ୍ଗ ଭତା ପାଇଁ ବହୁବାର ଜଣାଇଥିଲେ ବି ଏଯାଏ ଭତା ମିଳିନି । ଆବାସ ଯୋଜନାରେ ବହୁ ଲୋକଙ୍କୁ ମିଳିଛି ଘର । ହେଲେ ଏହି ପରିବାର ଉପରେ ପ୍ରଶାସନ ନଜର ପଡିନାହିଁ । ଭତାରୁ ନେଇ ଆବାସ ଘର ପାଇଁ ପଂଚାୟତ ଓ ବ୍ଲକ କାର୍ଯ୍ୟାଳୟକୁ ଦଉଡି ଦଉଡି ନୟାନ୍ତ ହେଉଥିବା ଅଭିଯୋଗ କରିଛନ୍ତି ଦିବ୍ୟାଙ୍ଗ ନାରାୟଣ ।
ସମସ୍ୟା ଭିତରେ ରହୁଥିବା ଏହି ଦିବ୍ୟାଙ୍ଗ ନାରାୟଣଙ୍କ ପରିବାର କୁ ସରକାରଙ୍କ ପକ୍ଷରୁ ସହଯୋଗ କରାଯାଇଫାରିଲେ ସେମାନେ ଉପକୃତ ହୋଇପାରିବେ ।