ବିବାଦ ଭିତରେ ସାମ୍ନାକୁ ଆସିଲା ଦିବ୍ୟଶଙ୍କରଙ୍କ ଭିଡିଓ: ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ସଭାସ୍ଥଳର କଲେ ସମୀକ୍ଷା 

308

କନକ ବ୍ୟୁରୋ: ମମିତା ମୃତ୍ୟୁ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ଜୋର ଧରିଛି । ହେଲେ ଆଜି ଜୁନାଗଡରେ କିନ୍ତୁ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ଲୋକଙ୍କ ଗହଣରେ ଦେଖିବାକୁ ମିଳିଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସଭାସ୍ଥଳକୁ ଯାଇଛନ୍ତି । ଏପରି କି ମହିଳାମାନେ ଦିବ୍ୟଶଙ୍କରଙ୍କୁ ବନ୍ଦାପନା କରି ପାଛୋଟି ନେଇଛନ୍ତି । କଳାହାଣ୍ଡି ଏସପି ଓ ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସଂପର୍କରେ ଆଲୋଚନା ମଧ୍ୟ କରିଛନ୍ତି । ମମିତା ମୃତ୍ୟୁ ବିବାଦ ଆରମ୍ଭ ପରଠୁ ସାର୍ବଜନୀନ ସ୍ଥାନରେ ଦେଖା ଯାଉନଥିଲେ ମନ୍ତ୍ରୀ ।

କେବଳ ଦୁଇଟି ସରକାରୀ କାର୍ଯ୍ୟକ୍ରମରେ ଭର୍ଚୁଆଲ ମିଟିଂରେ ଯୋଡି ହେଉଥିଲେ । ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ ତମ୍ବି ତୋଫାନ କରୁଛନ୍ତି । ଏପରି ସମୟରେ  ମନ୍ତ୍ରୀ ସାର୍ବଜନୀନ ସ୍ଥାନରେ ଅତି ସହଜ ଢଙ୍ଗରେ ବୁଲିବା ଘଟଣା ବିରୋଧୀଙ୍କ ଚକିତ କରିଛି । ଏହାପୂର୍ବରୁ ମନ୍ତ୍ରୀ ଏକ ବିବୃତି ଜାରି କରି ଅପରାଧ ସହ ତାଙ୍କର କୌଣସି ସଂପର୍କ ନଥିବା କହିଥିଲେ । ଆଉ ଏବେ ମନ୍ତ୍ରୀଙ୍କ ଜୁନାଗଡ ଗସ୍ତ କରି ମନ୍ତ୍ରୀ କି ବାର୍ତା ଦେବାକୁ ଚାହୁଁଛନ୍ତି ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।

କଳାହାଣ୍ଡି ଏସପି ଓ ଜିଲ୍ଲାପାଳଙ୍କ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଆଲୋଚନାକୁ ସହଜରେ ଗ୍ରହଣ କରିପାରିନି ବିଜେପି । ପ୍ରେସମିଟ୍ କରି କଡ଼ା ସମାଲୋଚନା କରିଛନ୍ତି ବିଜେପି ନେତା ଠାକୁର ରଣଜିତ ଦାସ ଓ ଲେଖାଶ୍ରୀ ସାମନ୍ତସିଂହାର । ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି, ମନ୍ତ୍ରୀ ଏସପି ଓ ଜିଲ୍ଲାପାଳଙ୍କ ସହ ଖୋଲାଖୋଲି ବୁଲୁଛନ୍ତି, ମମିତା ମେହେର ହତ୍ୟା ମାମଲାର କିପରି ହୋଇପାରିବ ନିରପେକ୍ଷ ତଦନ୍ତ ।