ବିବାଦ ଭିତରେ ସାମ୍ନାକୁ ଆସିଲେ ମନ୍ତ୍ରୀ ଦିବ୍ୟଶଙ୍କର । ଏମଏସଏମଇ ବିଭାଗୀୟ ବୈଠକରେ କରୁଛନ୍ତି ଅଧ୍ୟକ୍ଷତା

ସେପଟେ ମନ୍ତ୍ରୀଙ୍କୁ ନେଇ ବଢୁଛି ବିବାଦ : ଇସ୍ତଫା ଦାବିରେ ମୟୁରଭଞ୍ଜ ବନ୍ଦ; ଚାରିଆଡେ ଚାଲିଛି ପ୍ରତିବାଦ

703
କନକ ବ୍ୟୁରୋ : ପ୍ରବଳ ବିବାଦ ଭିତରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏମଏସଏମଇ ବିଭାଗର ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ମମିତା ମେହେର ହତ୍ୟା ମାମଲା ସାମ୍ନାକୁ ଆସିବା ଠାରୁ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ଚର୍ଚ୍ଚାକୁ ଆସିଛି । କାରଣ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ମନ୍ତ୍ରୀଙ୍କ ଘନିଷ୍ଠ ସମ୍ପର୍କ ଚର୍ଚ୍ଚା ହେଉଛି । ଏସବୁ ଭିତରେ ଆଜି ମନ୍ତ୍ରୀ ଏମଏସଏମଇ ବିଭାଗର ‘ମେକିଂ ଓଡ଼ିଶା ଟେକ୍ସଟାଇଲ ହବ’ ସମ୍ପର୍କିତ ଏକ ସେମିନାରରେ ଅଧ୍ୟକ୍ଷତା କରିଛନ୍ତି ।
ଲୋକସେବା ଭବନର କନଭେନସନ ହଲରେ ଏହି ସେମିନାର ଆୟୋଜିତ ହୋଇଛି । ଏଥିରେ କେନ୍ଦ୍ର ଟେକ୍ସଟାଇଲ ସଚିବ ଉପେନ୍ଦ୍ର ସିଂ ମଧ୍ୟ ଉପସ୍ଥିତ ଅଛନ୍ତି । ଏଥି ସହ ସମ୍ପର୍କିତ ବିଭାଗର ସଚିବ ଓ ଅଧିକାରୀମାନେ ଉପସ୍ଥିତ ଅଛନ୍ତି । ଏତେ ବଡ଼ ବିବାଦ ଭିତରେ ମନ୍ତ୍ରୀ ସହଜରେ ତାଙ୍କ କାମ କରିବା ଏକ ବାର୍ତା ଆଡ଼କୁ ଇସାରା କରୁଛି । ସେହି ବାର୍ତାଟି ହେଉଛି ସେ ସରକାରଙ୍କ ଏବେବି ବିଶ୍ୱାସରେ ଅଛନ୍ତି ।
ସେପଟେ, ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି , ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଦିନ ବିଜେପି କର୍ମୀଙ୍କୁ ମାଡ ମାରିଥିବା ସମସ୍ତଙ୍କୁ ଗିରଫ ଦାବି କରି ବନ୍ଦ ଡାକରା ଦେଇଛି ଭାରତୀୟ ଜନତା ପାର୍ଟି । ଏଥିସହ ୧୬ ଦଫା ଦାବି ନେଇ ବନ୍ଦ ଡାକରା ଦେଇଛି ବିଜେପି । ମମିତା ମେହେରଙ୍କ ହତ୍ୟାକାଣ୍ଡରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣି ତାଙ୍କୁ ମନ୍ତ୍ରୀ ପଦରୁ ହଟାଇବା ପାଇଁ ଦାବି କରି ଆସୁଛି ବିଜେପି ।
ଅନ୍ୟପଟେ ଗତ ୨୨ତାରିଖରେ ମୁଖ୍ୟମନ୍ତ୍ରୀ ବାରିପଦା ଗସ୍ତରେ ଆସିଥିବାବେଳେ କିଛି ବିଜେପି କର୍ମୀ ନବୀନଙ୍କୁ କଳା ପତାକା ଦେଖାଇଥିଲେ । ଏହି ସମୟରେ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବିଜେଡି କର୍ମୀ । ଏନେଇ ଥାନାରେ ୧୬ଜଣ ବିଜେଡି କର୍ମୀଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲା ବିଜେପି । ବିଜେପି କର୍ମୀଙ୍କୁ ମାଡ ମାରିବା ଅଭିଯୋଗରେ ପୋଲିସ ଏପର୍ଯ୍ୟନ୍ତ ୨ଜଣଙ୍କୁ ଗିରଫ କରିଛି । କିନ୍ତୁ ଅନ୍ୟମାନଙ୍କୁ କାହିଁକି ଗିରଫ କରାଯାଇନାହିଁ ସେ ନେଇ ପ୍ରଶ୍ନ ଉଠାଇଛି ବିଜେପି ।