ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ଅଭିଯୋଗ । କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିବ୍ୟଶଙ୍କର ମିଶ୍ର । ଅପରାଜିତାଙ୍କ ଜନ୍ମଦିନ ପଳନ ବେଳର ଭିଡିଓକୁ ନେଇ ଉଠାଇଲେ ଆପତ୍ତି ।

235

କନକ ବ୍ୟୁରୋ : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ପୁଣି ଅଭିଯୋଗ । ଏନେଇ କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିବ୍ୟଶଙ୍କର ମିଶ୍ର । ଅପରାଜିତାଙ୍କ ଜନ୍ମଦିନ ବେଳର ଭିଡିଓକୁ ନେଇ ସେ ଆପତ୍ତି ଉଠାଇଛନ୍ତି । ସାଂସଦ ବାରମ୍ବାର କୋଭିଡ ନିୟମ ଉଲ୍ଲଘଂନ କରିଥିବା ସେ ଅଭିଯୋଗ କରିଛନ୍ତି ।

ସେ ଚିଠିରେ ଲେଖିଛନ୍ତି କି, ଏଭଳି ଦୟିତ୍ୱହୀନତା କାର୍ଯ୍ୟ ତାଙ୍କ ସହ ଅନ୍ୟମାନଙ୍କ ଜୀବନ ମଧ୍ୟ ବିପଦରେ ପଡୁଛି । ତାଙ୍କ ଏଭଳି ଆଚରଣ କୋଭିଡ ଯୋଦ୍ଧାଙ୍କ ମନୋବଳକୁ ଭାଙ୍ଗୁଛି । କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ପାଇଁ ଏହା ଅପମାନ । ଏହାସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ବିରୋଧରେ ତାଙ୍କ ଆଚରଣ ରହୁଛି । ସାଂସଦ କୋଭିଡ ନିୟମ ପାଳନରେ ସମସ୍ତଙ୍କ ଆଦର୍ଶ ହେବା କଥା ବୋଲି ଦିବ୍ୟ ଶଙ୍କର ମିଶ୍ର ଚିଠିରେ ଉଲ୍ଲେଖ କରିଛନ୍ତି ।

ଭୁବନେଶ୍ୱରରେ କରୋନାରେ ୧୦୯ ଜଣଙ୍କ ଜୀବନ ଯାଇଛି । ସେହିପରି ୫ ଜଣ କରୋନା ଯୋଦ୍ଧା ମଧ୍ୟ ପ୍ରାଣ ହରାଇଛନ୍ତି । ଏଭଳି ସମୟରେ ସାଂସଦଙ୍କ ଜନ୍ମଦିନ ପାଳନ ସ୍ଥିତିକୁ ପରିହାସ କରୁଛି ବୋଲି ସେ ଚିଠିରେ ଲେଖିଛନ୍ତି ।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗି ଜନ୍ମଦିନ ପାଳନ କରିଥିବା ବେଳେ ଏହି ଉତ୍ସବରେ ଶତାଧିକ କର୍ମୀ ଏକାଠି ହୋଇଥିବାର ଦେଖିବାକୁ ମିଳିଛି । ତେବେ ସାଂସଦଙ୍କ ଉପସ୍ଥିତିରେ ଚାଲିଥିଲା ନାଚ । ସାମାଜିକ ଦୂରତା ନଥିଲା । କେହି ମାସ୍କ ପିନ୍ଧି ନଥିଲେ । ସମସ୍ତେ ସାଂସଦଙ୍କ ଜନ୍ମଦିନ ପାଳନ କରିବାରେ ମସଗୁଲ ଥିଲେ ଆଉ ଭୁଲି ଯାଇଥିଲେ କରୋନା କଟକଣା । ସାଂସଦଙ୍କ ଜନ୍ମଦିନ ଉତ୍ସବର ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ସାଂସଦ ବାରମ୍ବାର ନିୟମ ଉଲଂଘନ କରୁଥିବାରୁ ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ।