ସମ ଅଲଟିମେଟ ହସ୍ପିଟାଲରେ ଜୀବନ ସହ ସଙ୍ଘର୍ଷ କରୁଛନ୍ତି ଦିବ୍ୟ ରଞ୍ଜନ ବେହେରା । ସହାୟତାର ହାତ ବଢାଇବାକୁ ଅନୁରୋଧ କଲେ ପରିବାର ଲୋକେ ।

2,410

କନକ ବ୍ୟୁରୋ: କରୋନାରୁ ସୁସ୍ଥ ହେବା ପରେ ସାଙ୍ଘାତିକ ହେଉଛି ସ୍ୱାସ୍ଥ୍ୟାବସ୍ଥା, ବିଗୁଡୁଛି ସ୍ଥିତି । ଗତ କିଛି ଦିନ ଧରି ଦୁଇ ତିନିଟି ଘଟଣା ଚିନ୍ତାର କାରଣ ପାଲଟିଛି । ସ୍ୱାସ୍ଥ୍ୟବସ୍ଥା ଏତେ ସଙ୍ଗୀନ ହେଉଛି ଯେ ଜଟିଳ ରୋଗର ଚିକିତ୍ସା ପାଇଁ ଲୋଡା ପଡୁଛି ଅଧିକ ଅର୍ଥ, ଯିବାକୁ ପଡୁଛି ବାହାର ରାଜ୍ୟର ବଡ ବଡ ହସ୍ପିଟାଲକୁ । ଅମ୍ରିତ ପ୍ରଧାନଙ୍କ ଚିକିତ୍ସା ପାଇଁ ଯେତେବେଳେ ଚେନ୍ନାଇ ଆପୋଲୋ ହସ୍ପିଟାଲ ନିଆଗଲା ସେତେବେଳେ ଅଧିକ ଅର୍ଥର ଆବଶ୍ୟକତା ପଡିଲା । ଆଉ ମିଲାପ ମାଧ୍ୟମରେ ଫଣ୍ଡ ରେଜିଂ କରି ତାଙ୍କୁ ସାହାଯ୍ୟ କରାଯାଉଛି । ଗୋଟିଏ ଘଟଣା ସମସ୍ତଙ୍କୁ ବ୍ୟଥିତ କରିଥିବା ବେଳେ ଏବେ ଆଉ ଜଣେ ହସ୍ପିଟାଲ ବେଡରେ ଜୀବନ ସହ ସଙ୍ଘର୍ଷ କରି ଚିକିତ୍ସା ପାଇଁ ଅର୍ଥ ଲୋଡୁଛନ୍ତି ।

ଦିବ୍ୟ ରଞ୍ଜନ ବେହେରା । ବୟସ ୩୮ । କରୋନାରୁ ସୁସ୍ଥ ହେବା ପରେ ତାଙ୍କ ଫୁସଫୁସ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି । ଆଉ ତାଙ୍କୁ ଭୁବନେଶ୍ୱର ସମ ଅଲଟିମେଟ ହସ୍ପିଟାଲରେ ଇସିଏମଓ ମାଧ୍ୟମରେ ଚିକିତ୍ସା କରାଯାଉଛି । ଦିବ୍ୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆପୋଲୋରେ ଚିକିତ୍ସା କରାଯାଉଥିଲା ମାତ୍ର ସ୍ୱାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ଇସିଏମଓ ପାଇଁ ସମ ଅଲଟିମେଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

ତେବେ ଦିବ୍ୟଙ୍କ ଚିକିତ୍ସା ପାଇଁ ଦିନକୁ ଦେଢରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା କୁହାଯାଉଛି । ଏକ ମାସ ଧରି ତାଙ୍କର ଚିକିତ୍ସା କରାଯିବ । ଇସିଏମଓ ପରେ ଯଦି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସେ ତେବେ ତାଙ୍କୁ ପ୍ରଥମେ ଭେଣ୍ଟିଲେଟର ଏବଂ ପରେ ଅକ୍ସିଜେନ ବେଡରେ ରଖାଯିବ । ଏହି ଅବଧି ମଧ୍ୟରେ ପାଖାପାଖି ୩୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ଯଦି ସୁଧାର ନଆସେ ତେବେ ଫୁସଫୁସ ପ୍ରତିରୋପଣ କରାଯିବ । ଯେଉଁଥିପାଇଁ ୯୦ ଲକ୍ଷ ଖର୍ଚ୍ଚ ହେବ ।

କଟକରେ ରହୁଥିବା ଦିବ୍ୟରଞ୍ଜନ ୱିପ୍ରୋ ନାମକ ଏକ ସଂସ୍ଥାରେ କାମ କରନ୍ତି । କମ୍ପାନୀ ପକ୍ଷରୁ ଆର୍ଥିକ ସହାୟତା କରାଯାଇଥିଲେ ବି ଏବେ ତାଙ୍କ ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ପଡୁଛି । ତେଣୁ ପରିବାର ଲୋକେ ମିଲାପ ଫାଉଣ୍ଡେସନ ମାଧ୍ୟମରେ ଟଙ୍କା ସାହାଯ୍ୟ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଦୁଇମାସ ହେବ ଦିବ୍ୟ ରଞ୍ଜନ ବାପା ହୋଇଥିଲେ । ଏଇ ଜୁନ ୨୯କୁ ତାଙ୍କ ବିବାହକୁ ବର୍ଷେ ପୂରିବ । ହେଲେ ଏମିତି ଏକ ସମୟରେ ସ୍ୱାମୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସାହାଯ୍ୟ ପାଇଁ ଗୁହାରୀ କରିଛନ୍ତି ଦିବ୍ୟଙ୍କ ସ୍ତ୍ରୀ ।
ତେବେ ଅମ୍ରିତଙ୍କ ଭଳି ଯଦି ଆପଣ ଦିବ୍ୟଙ୍କୁ ସାହାଯ୍ୟ ଦେବାକୁ ଚାହୁଁଛନ୍ତି ତେବେ ମିଲାପ ମାଧ୍ୟରେ ତାଙ୍କୁ ଅର୍ଥ ପ୍ରଦାନ କରନ୍ତୁ । ଫୋନ ପେ କିମ୍ବା ଗୁଗୁଲ ପେ ମାଧ୍ୟମରେ ଏହି ନମ୍ବର ୯୪୩୮୪୩୦୫୨୧ ପଠାଇ ପାରିବେ । ଆସନ୍ତୁ ଦିବ୍ୟଙ୍କୁ ଦାନ କରି ତାଙ୍କ ଜୀବନ ବଞ୍ଚାଇବା ।