କନକ ବ୍ୟୁରୋ: ଡରାଇଲାଣି ଝାଡାବାନ୍ତି ରୋଗ । ୩ ଦିନରେ ଗଲାଣି ୬ ଜୀବନ ।ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ୨୦୦ ଆକ୍ରାନ୍ତ । ରାଉରକେଲାରେ ଝାଡାବାନ୍ତି ବ୍ୟାପିବାରୁ ରୋଗୀଙ୍କ ସଂଖ୍ୟା ବଢୁଛି । ସାଂଘାତିକ କଥା ହେଉଛି ଗତ ୩ ଦିନରେ ଝାଡାବାନ୍ତି ୬ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ୩ ଜଣ ମହିଳା । ପାନପୋଷ, ଛେଣ୍ଡ କଲୋନୀ ସହ ବିଭିନ୍ନ ବସ୍ତି ଅଂଚଳର ଅଧିକାଂଶ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେପଟେ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି । କେଉଁ କାରଣରୁ ଡାଇରିଆ ବ୍ୟାପିଲା ତାହା ଜଣାପଡିନାହିଁ । କାରଣ ଜାଣିବା ପାଇଁ ପରୀକ୍ଷା କରିବାକୁ ନମୁନା ପଠାଯାଇଛି ।
ରାଉରକେଲାରେ ଝାଡାବାନ୍ତି ସ୍ଥିତି ଅସମ୍ଭାଳ ହୋଇଛି । ସରକାରୀ ଡାକ୍ତରଖାନାରେ ୨ଶହ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ରୋଗୀଙ୍କୁ ରୋଗୀଙ୍କୁ ଆବଶ୍ୟକ ଔଷଧ ସହ ସୁଷମ ଖାଦ୍ୟ ଯୋଗାଇ ଦିଆଯାଉଛି । ଘରୋଇ ମେଡିକାଲରେ ମଧ୍ୟ ବହୁ ରୋଗୀ ଚିକିତ୍ସିତ ହେଉଛନ୍ତି । ସେପଟେ ସୁନ୍ଦରଗଡ ମେଡିକାଲ କଲେଜରୁ ଆସିଥିବା ୮ ଜଣିଆ ବିଶେଷଜ୍ଞ ଟିମ ହସ୍ପିଟାଲରେ ପହଂଚିଥିଲେ । ରୋଗୀଙ୍କ ସହ ଆଲୋଚନା କରିଛନ୍ତି ଅନୁଧ୍ୟାନକାରୀ ଟିମ୍ । ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ଶ୍ରମ ମନ୍ତ୍ରୀ ସାରଦା ନାୟକ ।