ଭଂଜନଗର ବଡକୋଦଣ୍ଡା ଗ୍ରାମରେ ଝାଡାବାନ୍ତି ଆତଙ୍କ । ୧୦ ଟି ପରିବାରର ସଦସ୍ୟ ଡାକ୍ତରଖାନାରେ ଭର୍ତ୍ତି, କାରଣ ଖୋଜୁଛନ୍ତି ସ୍ୱାସ୍ଥ୍ୟ ଟିମ୍

24

କନକ ବ୍ୟୁରୋ : ବସୁଧା ଯୋଜନାରେ ଘର ଘରକୁ ପାଣି ଯୋଗାଇବା ବ୍ୟବସ୍ଥା ହୋଇଛି। ହେଲେ କାମ ଏତେ ନିମ୍ନମାନର ଯେ, ଅଳ୍ପ ସମୟରେ ବୋରରୁ ପାଣି ସୁଖିଯାଉଛି ସିଧାସଳଖ ନଦୀଜଳକୁ ଯୋଗେ ଯୋଗାଇ ଦିଆଯାଉଛି। ସେହି ପାଣି ପିଇ ଗଂଜାମ ଭଂଜନଗର ବ୍ଳକ ବଡ଼କୋଦଣ୍ଡା ପଂଚାୟତରେ ଝାଡ଼ାବାନ୍ତି ବ୍ୟାପୁଥିବା ଅଭିଯୋଗ ହୋଇଛି। ଗତ ୩୦ ତାରିଖରୁ ଗାଁରେ ଜଣେ ପରେ ଜଣେ ଲୋକ ଝାଡ଼ାବାନ୍ତିର ଶିକାର ହେଉଛନ୍ତି । ସେମାନଙ୍କୁ ଭଂଜନଗର ମେଡ଼ିକଲରେ ଭର୍ତି କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟକର୍ମୀ ବଡ଼କୋଦଣ୍ଡାକୁ ଯାଇ ଝାଡ଼ାବାନ୍ତିର କାରଣ ଖୋଜା ଚାଲିଛି ।

ସ୍ୱାସ୍ଥ୍ୟ ବିଭାଗର ଟିମ୍ ପାଣି ନମୁନା ସଂଗ୍ରହ କରି ପରୀକ୍ଷା କରିଛନ୍ତି। ଦୂଷିତ ପାଣି ପିଇବା ଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଥିବା ପ୍ରାଥମିକ ଅନୁଧ୍ୟାନରୁ ଜଣାପଡିଛି । ତୁରନ୍ତ ଗାଁର ସମସ୍ତ କୂଅ ଏବଂ ଅନ୍ୟାନ୍ୟ ଜଳଉତ୍ସକୁ ବିଶୋଧନ ପାଇଁ ପଦକ୍ଷେପ ନିଆଯାଇଛି । ବ୍ଳିଚିଂ ପକାଇବା ସହ ଘରଘର ବୁଲି ଓଆରଏସ୍ ପାଉଡ଼ର ବାଣ୍ଟିଛନ୍ତି । ପାଣିକୁ ଭଲ ଭାବରେ ଫୁଟାଇ ପିଇବା ପାଇଁ ସଚେତନ କରାଯାଇଛି ।

ଗାଁର ଲୋକେ ବଡ଼କୋଦଣ୍ଡା ସରପଂଚଙ୍କୁ ଦେଖାକରି ଏହାର ସମାଧାନ ପାଇଁ ଅନୁରୋଧ କରିଛନ୍ତି । ସରପଚଂ ଭଂଜନଗର ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରି ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।