ହୀରାକୁଦରେ ଡାଇରିଆ ଆତଙ୍କ । ୨୭ ଜଣ ମେଡ଼ିକାଲରେ ଭର୍ତ୍ତି ,୫ ଗୁରୁତର ଭୀମସାର ସ୍ଥାନାନ୍ତର ।

116

କନକ ବ୍ୟୁରୋ: ହୀରାକୁଦରେ ବ୍ୟାପୁଛି ଡାଇରିଆ । ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଏବେ ୨୭ଜଣ ମେଡିକାଲରେ ଭର୍ତି ହୋଇଥିବା ବେଳେ ୫ଜଣଙ୍କ ସ୍ଥିତିି ଗୁରୁତର ରହିଛି । ସେମାନଙ୍କୁ ବୁର୍ଲା ଭିମସାରକୁ ସ୍ଥାନାନ୍ତରିତ କରାଯାଇଛି । ଦୂଷିତ ପାନୀୟ ଜଳ ଯୋଗାଣ କାରଣରୁ ଡାଇରିଆ ବ୍ୟାପିଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆଶଙ୍କା କରିଛି । ହୀରାକୁଦ ସହରର ଗୁରୁଦ୍ୱାରାପଡ଼ା, ଗୌଡ଼ପଡ଼ା,କାଲୋପଡ଼ା, ନ୍ୟୁ ମାର୍କେଟ କଲୋନି, ମାଛପଡ଼ାରେ ସଂକ୍ରମଣ ବଢ଼ିଚାଲିଛି ।

ଝାଡ଼ାବାନ୍ତି ବ୍ୟାପୁଥିବା ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ରିପୋର୍ଟ ଅନୁସାରେ ଟ୍ରିଟମେଂଟ ପ୍ଲାଂଟରେ ପାଣିକୁ ବିଶୁଦ୍ଧ କରାଯାଉନାହିଁ । ଯାହା ଫଳରେ ସଂକ୍ରମଣ ବ୍ୟାପୁଛି । ୪ଟି ସ୍ଥାନରୁ ପାନୀୟ ଜଳ ନମୂନ ସଂଗ୍ରହ କରାଯାଇଛି । ଏବେ ଘର ଘର ବୁଲି ଯାଞ୍ଚ କରୁଛି ସ୍ୱାସ୍ଥ୍ୟ ବିଭାଗ । ସ୍ଥିତି ଉପରେ ନଜର ରଖିଛି ମୋବାଇଲ ହେଲଥ ୟୁନିଟ ।