କନକ ବ୍ୟୁରୋ: ପାରାଦୀପରେ ଜୀବନ ନେଉଛି ଡାଇରିଆ । ଗଡ଼ ଗାଁରେ ଗୋଟିଏ ପରିବାରର ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ୧୩ ଦିନ ମଧ୍ୟରେ ଦୁଇ ଜଣଙ୍କ ମୃତ୍ୟୁ ପରେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ । ପ୍ରଥମେ ଦ୍ବିଜ ରାଉତଙ୍କ ଡାଇରିଆରେ ଆକ୍ରାନ୍ତ ହୋଇ ମୃତ୍ୟୁ ହେବା ପରେ ପୁତୁରା ବିପିନ ରାଉତଙ୍କ ଜୀବନ ଯାଇଛି । ସେପଟେ ଝିଅ ଶିଳ୍ପା ରାଉତ ଡାଇରିଆରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଦୁଇ ଦୁଇଟି ମୁଣ୍ଡ ଗଡ଼ିବା ପରେ ମଧ୍ୟ ଏହି ପରିବାର ନିକଟରେ ପହଁଚି ପାରିନି ପ୍ରଶାସନ କିମ୍ବା ମେଡିକାଲ ଟିମ୍ । ଯାହାକୁ ନେଇ ଗାଁରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ଗାଁରେ ଜଳ ନିଷ୍କାସନ ସମସ୍ୟା ଥିବାରୁ ରାସ୍ତାରେ ଡ୍ରେନ ପାଣି ଲହଡ଼ା ମାରୁଛି । ମଶା ବଂଶ ବୃଦ୍ଧି ପାଇବା ସହ ରୋଗ ବ୍ୟାପୁଥିବା କହିଛନ୍ତି ଲୋକେ । ଆକ୍ରାନ୍ତ ମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ଦାବି ହୋଇଛି ।