କନକ ବ୍ୟୁରୋ: ସମ୍ବଲପୁରର ହୀରାକୁଦ ସହରରେ ବ୍ୟାପୁଛି ଝାଡ଼ାବାନ୍ତି । ଗତ ଦୁଇ ଦିନ ହୀରାକୁଦ ସହରର ବସ୍ତି ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବା ଯୋଗୁଁ ୧୨୦ରୁ ଅଧିକ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ଭୀମସାର ମେଡିକାଲରେ ଜଣଙ୍କର ମୃତ୍ୟୁ ହୋଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ହୀରାକୁଦରେ ଡେରା ପକାଇ ସ୍ଥିତି ଉପରେ ନଜର ରଖିଛି ।

Advertisment

ତେବେ ଝାଡ଼ାବାନ୍ତି ବ୍ୟାପୁଥିବା ଅଞ୍ଚଳରେ କାମରେ ଲାଗିଛନ୍ତି ଆଶା କର୍ମୀ । ଡାକ୍ତରୀ ଟିମ୍ ଚିକିତ୍ସା ଯୋଗାଉଥିବା ବେଳେ ଲୋକଙ୍କୁ ସଚେତନ କରୁଛନ୍ତି ଆଶାକର୍ମୀ । ହୀରାକୁଦରେ ବର୍ଷକ ଭିତରେ ପୁଣି ବ୍ୟାପିଛି ଝାଡ଼ାବାନ୍ତି । ଗତ ୩ଦିନରେ ସହରରେ ୧୨୦ରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ଗୁରୁତର ହୋଇ ବୁର୍ଲା ଭୀମସାରରେ ଚିକିତ୍ସିତ ହେଉଥିବା ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ କାଲୁପଡ଼ାର ଟିକେଶ୍ୱର ନାଏକ । ଗୁରୁତର ୧୧ଜଣ ବୁର୍ଲା ଭୀମସାରରେ ଚିକିତ୍ସିତ ହେଉଛନ୍ତି । ସହରର କାଳୁପଡ଼ା, ଗୌଡ଼ପଡ଼ା, ଗୁରୁଦ୍ୱାରାପଡ଼ା, ନ୍ୟୁ ମାର୍କେଟ ପଡ଼ା ଓ ମାଛପଡ଼ାରେ ୩ଦିନରେ ୧୨୦ରୁ ଅଧିକ ଆକ୍ରାନ୍ତ ହେଲେଣି ।

ଡାଇରିଆ ବ୍ୟାପୁଥିବା ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ରିପୋର୍ଟ ଅନୁସାରେ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ପାଣିକୁ ବିଶୁଦ୍ଧ କରାଯାଉନାହିଁ । ଯାହା ଫଳରେ ସଂକ୍ରମଣ ବ୍ୟାପୁଛି । ୪ଟି ସ୍ଥାନରୁ ପାନୀୟ ଜଳ ନମୂନ ସଂଗ୍ରହ କରାଯାଇଛି । ଏବେ ଘର ଘର ବୁଲି ଯାଞ୍ଚ କରୁଛି ସ୍ୱାସ୍ଥ୍ୟ ବିଭାଗ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସହରର ବିଭିନ୍ନ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଜିଲ୍ଲା ମୋବାଇଲ ୟୁନିଟ ସ୍ଥିତି ପରଖୁଛି । ଭୟ କରିବାର ନାହିଁ ପରିସ୍ଥିତି ନିୟନ୍ତ୍ରଣାଧିନ ଥିବା କହିଛନ୍ତି ହୀରାକୁଦ ମେଡିକାଲ କର୍ତୃପକ୍ଷ ।