ଛତା ଉପରେ ସୁନା , ହୀରାର ଛାଉଣୀ । ଏହି ଛତା ସବୁଠୁ ଖାସ୍ ।

136

କନକ ବ୍ୟୁରୋ: ସୁରଟରେ ଆୟୋଜିତ ହୋଇଛି ଅନ୍ତର୍ଜାତୀୟ ଜେମ୍ସ ଓ ଜୁଏଲାରୀ ପ୍ରଦର୍ଶନୀ । ଏଥିରେ ଏପରି ଏକ ଛତା ମଧ୍ୟ ପ୍ରଦର୍ଶୀତ ହୋଇଥିଲା, ଯାହା ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ଏହାକୁ ଆମେରିକାର ଜନୈକ ବ୍ୟକ୍ତି ପ୍ରସ୍ତୁତ କରିବାକୁ ବରାଦ ଦେଇଥିଲେ ।

ଦୁନିଆଁରେ ହୀରା ବ୍ୟବସାୟରେ ସୁରଟର ସ୍ଥାନ ସ୍ୱତନ୍ତ୍ର । ହୀରା କାରୁକାର୍ଯ୍ୟ ପାଇଁ ସୁରଟ ନିଜର ଭିନ୍ନ ସ୍ଥାନ ନିର୍ଦ୍ଧାରଣ କରିପାରିଛି । ନିକଟରେ ଏଠାରେ ଆୟୋଜିତ ଅନ୍ତର୍ଜାତୀୟ ଜେମ୍ସ ଓ ଜୁଏଲାରୀ ପ୍ରଦର୍ଶନୀରେ ମୁଖ୍ୟ ଆକର୍ଷଣ ପାଲଟିଥିଲା ହୀରା ଓ ସୁନାର ଛତା । ଆମେରିକାର ଜନୈକ ଧନୀକଙ୍କ ବରାଦ ଅନୁଯାୟୀ ଏହାକୁ ସୁରଟର ଏକ ହୀରା କମ୍ପାନୀ ପ୍ରସ୍ତୁତ କରିଛି । ମୁଖ୍ୟ କାରୀଗର ଚେତନା ମାଙ୍ଗୁକିୟାଙ୍କ ସୂଚନା ମୁତାବକ, ଏହି ଛତାରେ ୧୭୫ କ୍ୟାରେଟର ୧୨୦୦୦ ରୁ ଅଧିକ ହୀରା ବ୍ୟବହୃତ ହୋଇଛି । ପାଖାପାଖି ୪୫୦ ଗ୍ରାମ ସୁନା ଛାଉଣୀ ହୋଇଛି ।

ଏହି ଛତାକୁ ପ୍ରସ୍ତୁତ କରିବାକୁ ୩୦ ଜଣ କାରୀଗରଙ୍କୁ ୨୫ ଦିନ ସମୟ ଲାଗିଥିଲା । ଏହାର ଭାରତୀୟ ବଜାର ମୂଲ୍ୟ ୨୫ରୁ ୩୦ ଲକ୍ଷ ଟଙ୍କା । ଏପରି ଛତା ପାଇଁ ଆମେରିକା ସମେତ ୟୁରୋପ, ହଂକଂରୁ ମଧ୍ୟ ଅର୍ଡର ଆସିଛି ।