ସୁନା ମାସ୍କ ପରେ ଆସିଲା ହୀରା ମାସ୍କ: ସୁରଟରେ ଜଣେ ଅଳଙ୍କାର ବ୍ୟବସାୟୀ ତିଆରି କଲେ ହୀରା ଖଚିତ ମାସ୍କ; ଗୋଟିକର ଦାମ୍ ଲକ୍ଷେ ୪୦ ହଜାରରୁ ୨ ଲକ୍ଷ

449

କନକ ବ୍ୟୁରୋ: ଗୋଟିଏ ମାସ୍କ କିଣିବା ପାଇଁ ଆପଣ କେତେ ଟଙ୍କା ଖର୍ଚ କରିପାରିବେ । ମାସ୍କ କିଣିବା ପାଇଁ ଆପଣଙ୍କ ବଜେଟ୍ କେତେ ରହିଛି । ଆମେ ଏକଥା ଏଥିପାଇଁ କହୁଛୁ କାରଣ ଏହା ମଧ୍ୟରେ ବଜାରକୁ ଆସିଛି ହୀରା ଖଚିତ ମାସ୍କ । ଯାହାର ଦାମ ରହିଛି ପ୍ରାୟ ଏକ ଲକ୍ଷ ୪୦ ହଜାରରୁ ୨ ଲକ୍ଷ ଟଙ୍କା । ଏପରି ହୀରା ଖଚିତ ମାସ୍କକୁ ତିଆରି କରିଛନ୍ତି ସୁରଟର ହୀରା ଅଳଙ୍କାର ବ୍ୟବସାୟୀ । ବର୍ତମାନ କରୋନା ସମୟରେ ବିଭିନ୍ନ ଡିଜାଇନର ମାସ୍କ ପାଇଁ ବରାଦ ରହୁଛି । ଏପରି ସ୍ଥିତିରେ ସୁରଟର ହୀରା ବ୍ୟବସାୟୀଙ୍କ ନିକଟକୁ ଆସିଥିଲେ ବିବାହ କରିବାକୁ ଯାଉଥିବା ଦମ୍ପତି ।

ଆଉ ବରାଦ ଦେଇଥିଲେ ଖାସ୍ ହୀରା ଖଚିତ ମାସ୍କ ପାଇଁ । ଆଉ ଚାହିଦା ଅନୁସାରେ ସୁରଟର ହୀରା ବ୍ୟବସାୟୀ ତିଆରି କରିଛନ୍ତି ହୀରା ମାସ୍କ । ଦେଖିବାକୁ ଠିକ୍ ମାସ୍କ ଭଳି । ତେବେ ତା ଉପରେ ସଜେଇ ହୋଇଛି ହୀରା । ତେବେ ଏହା ଆଗରୁ ପୁନେର ଜଣେ ବ୍ୟକ୍ତି ସୁନାର ଏକ ମାସ୍କ ତିଆରି କରିଥିଲେ । ଯାହାର ଦାମ୍ ଏହି ହୀରା ମାସ୍କ ଠାରୁ ଅଧିକ ରହିଥିଲା । ସୁନା ମାସ୍କର ଦାମ୍ ଥିଲା ୨ ଲକ୍ଷ ୮୯ ହଜାର ଟଙ୍କା । ଦିନକୁ ଦିନ କରୋନା ମହାମାରୀ ବ୍ୟାପିଥିବା ବେଳେ ସମସ୍ତଙ୍କ ମଧ୍ୟରେ ମାସ୍କ ବ୍ୟବହାର ନେଇ ସଚେତନତା ମଧ୍ୟ ବଢୁଛି । ଏହାରି ମଧ୍ୟରେ ଦିନକୁ ଦିନ ବିଭିନ୍ନ ଡିଜାଇନର ଦାମୀ ମାସ୍କ ସବୁ ଆସୁଛି ।