ଶୀତରେ ବଢୁଛି ଶୁଖୁଆର ଚାହିଦା । ସଜେଇ ହେଉଛି ସାରୁଅ ଓ ରାଜସୁନାଖଳାର ସୁଖୁଆ ବଜାର ।

252

କନକ ବ୍ୟୁରୋ : ଶୀତ ବଢିିବା ସହିତ ବଢୁଛି ଶୁଖୁଆ ଚାହିଦା । ଏହାରି ଭିତରେ ସଜେଇ ହେଉଛି ସାରୁଅ ଏବଂ ରାଜସୁନାଖଳାର ସୁଖୁଆ ବଜାର । ଓଡିଆଙ୍କ ଖାଦ୍ୟରେ ରହିଛି ଏହି ଶୁଖୁଆର ଚାହିଦା । ଶୀତ ଦିନେ ପଖାଳ କଂସା ପାଖକୁ ଏହି ଶୁଖୁଆର ଅଧିକ ଖୋଜା ପଡୁଛି ।

ଜାତୀୟ ରାଜପଥ ୫୭ ନମ୍ବର ଖୋର୍ଦ୍ଧା ବଲାଙ୍ଗୀର ଯିବାର ବାଟ କଡରେ ପଡେ ସାରୁଅ ଆଉ ସେଠାରୁ ୧୫ କିମି ଯିବା ପରେ ପଡେ ରାଜସୁନଖଳା ବଜାର । ଏହି ବଜାର ଦୁଇଟି ଶୁଖୁଆ ମାର୍କେଟ ପାଇଁ ବେଶ୍ ଜଣାଶୁଣା । ଏହି ବାଟ ଦେଇ ଗାଡ଼ିରେ ଯିବା ବେଳେ ଶୁଖୁଆ ବାସ୍ନାରେ ଲୋକେ ଅଟକି ଯାଅନ୍ତି । ଆଉ ସାଥିରେ ମନ ପସନ୍ଦର ଶୁଖୁଆ କିଛି କିଣିନେବାକୁ ଭୁଲି ନଥାନ୍ତି ।

ଖାରପାଣିଆ, ଖାଇଙ୍ଗା, କୋକଳି, ଚିଙ୍ଗୁଡି, ଚାନ୍ଦି , କଦଳିମଞ୍ଜ, ଖଙ୍ଗା, ଲାଞ୍ଜି, ବୋରାଗ, କାଉଆ, ପଥରମୁଣ୍ଡି, ଇଲିସି, ଲୁଣି ଆଉ ଚିଙ୍ଗୁଡିକୁ ମିଶାଇଲେ ୭୦ରୁ ଅଧିକ ପ୍ରକାର ଶୁଖୁଆ ମିଳୁଛି ଏହି ବଜାରରେ । ରାସ୍ତା କଡରେ ସବୁ ରହିଛି ଧାଡିକୁ ଧାଡି । ଅନ୍ୟ ଦୋକାନ ଅପେକ୍ଷା, ଏଠାରେ ଶୁଖୁଆ ଦୋକାନରେ ଭିଡ ହୋଇଥାଏ । ଶୁଖୁଆ ଦାମ ୧୦୦ ଟଙ୍କାରୁ ନେଇ ଦୁଇ ହଜାର ଟଙ୍କା ଯାଏଁ ରହିଛି । ଉଭୟ ଗ୍ରାହକ ଓ ବ୍ୟବସାୟୀ ସଭିଏଁ ଏଠାରୁ ଶୁଖୁଆ କିଣି ନେବାକୁ ଆସିଥାନ୍ତି ।