ନବରଙ୍ଗପୁରର ନିଆରା ଦିଆଲି ପର୍ବ । ବର୍ଷର ପ୍ରଥମ ଫସଲ ଅମଳ କରିବା ପରେ ଗୋ-ମାତାଙ୍କୁ ପୂଜା କରନ୍ତି ପ୍ରକୃତି ପ୍ରେମୀ ଆଦିବାସୀ । 

87

କନକ ବ୍ୟୁରୋ : ପ୍ରକୃତିର ଉପାସକ ଆଦିବାସୀ । ପ୍ରକୃତିଦତ ବସ୍ତୁ ଓ ଜନ୍ତୁଙ୍କୁ ନେଇ ଆଦିବାସୀଙ୍କ ପର୍ବ ଆଉ ପାର୍ବଣ । ସେମିତି ଏକ ପର୍ବ ଦିଆଲି ପର୍ବ । ଯେଉଁ ପର୍ବରେ ନବରଙ୍ଗପୁର ଜିଲ୍ଲାର ଆଦିବାସୀମାନେ ଗୋ-ମାତାଙ୍କୁ ପୂଜା କରିଥାନ୍ତି । ବର୍ଷକର ପ୍ରଥମ ଫସଲକୁ ପ୍ରସାଦ ଆକାରରେ ଗୋ-ମାତାଙ୍କ ପାଖରେ ପୂଜା କରିଥାନ୍ତି । ଯାହାକୁ ଦିଆଲି ବୋଲି କୁହାଯାଏ ।

ହିନ୍ଦୁ ଧର୍ମରେ ଗାଇ-ଗୋରୁଙ୍କ ପୂଜା କରିବାର ପରମ୍ପରା ରହିଛି । ଗହ୍ମା ପୂର୍ଣ୍ଣିମା ଅଥାର୍ତ୍ ବଳଭଦ୍ରଙ୍କ ଜନ୍ମ ଦିନରେ ଗୋ-ମାତାଙ୍କୁ ପୂଜା କରାଯାଏ । କିନ୍ତୁ ନବରଙ୍ଗପୁରରେ ଆଦିବାସୀ ମାନେ ନିଆରା ଢଙ୍ଗରେ ଗୋ-ମାତାଙ୍କୁ ପୂଜା କରିଥାନ୍ତି । ସେମାନେ ବର୍ଷର ପ୍ରଥମ ଫସଲ ଅମଳ କରି ଘରକୁ ଆଣିବା ପରେ ଗୋ-ମାତାଙ୍କୁ ପୂଜା କରି ନୂଆ ଶସ୍ୟରେ ପ୍ରସ୍ତୁତ ଖେଚୁଡି ଭୋଗ ଲାଗି କରିଥାନ୍ତି । ସେହି ପର୍ବରୁ ଦିଆଲି ପର୍ବ ବୋଲି କୁହାଯାଏ ।

ଗାଈକୁ ନେଇ ଧର୍ମୀୟ ଭାବନା ରହିଛି । କିନ୍ତୁ ନବରଙ୍ଗପୁରର ଆଦିବାସୀ ଚାଷୀ ଗାଇ-ଗୋରୁଙ୍କୁ ସେମାନଙ୍କ ଚାଷ ସାଥୀ ଭାବେ ଗ୍ରହଣ କରିଥାନ୍ତି । ଚାଷ କାମରେ ଖରା ବର୍ଷାରେ ବଳଦ ସହଯୋଗ କରିଥାନ୍ତି । ତେଣୁ ଚାଷୀ ଫସଲ ଅମଳ କରିବା ପରେ ଗାଇ-ଗୋରୁଙ୍କୁ ପୂଜା କରିଥାନ୍ତି । ପୌଷ ମାସର ଭିନ୍ନ ଭିନ୍ନ ଦିନରେ ଘରକୁ ରଙ୍ଗମାଟିରେ ଲିପି, ଝୋଟି ଦେଇ ଦିଆଲି ପର୍ବ ପାଳିଥାନ୍ତି । ଗ୍ରାମଦେବୀଙ୍କ ପାଲିଙ୍କି, ଲାଠି ଗାଁ ପରିକ୍ରମା କରିଥାନ୍ତି । ପରେ ଘରେ ଘରେ ଗୋ-ମାତାଙ୍କ ପାଖରେ ଖେଚୁଡି ଭୋଗ କରି ତାକୁ ପ୍ରସାଦ ଆକାରରେ ଚାଷୀ ନିଜେ ଖାଇଥାନ୍ତି ।

ଦିଆଲି ପର୍ବକୁ ଗୌଡିଆମାନେ ବେଶ ଧୁମ ଧାମରେ ପାଳନ କରିଥାନ୍ତି । ବିଭିନ୍ନ ବାଦ୍ୟର ତାଳେ ତାଳେ ନୃତ୍ୟ କରିବା ସହ ଗୌଡିଆମାନେ ଯେଉଁ ଘରର ଗାଇ-ଗୋରୁଙ୍କ ଦାୟିତ୍ୱ ନେଇଥାନ୍ତି, ସେମାନଙ୍କ ଠାରୁ ବର୍ଷକର ପାରିଶ୍ରମିକ ନେଇଥାନ୍ତି ।