ଜୀବନ ସହ ଖେଳ ଖେଳୁଛନ୍ତି ଡାଇଗ୍ନୋଷ୍ଟିକ ସେଣ୍ଟର। ଟଙ୍କା ଲୋଭରେ ରୋଗୀଙ୍କୁ ଦେଉଛନ୍ତି ନକଲି ରିପୋର୍ଟ।

526

କନକ ବ୍ୟୁରୋ: ଟଙ୍କା ଲୋଭରେ ରୋଗୀଙ୍କୁ ଦେଉଛନ୍ତି ନକଲି ରିପୋର୍ଟ । ରକ୍ତ ନମୁନା ପରୀକ୍ଷା ରିପୋର୍ଟ ଧରି ଆପଣ ଡାକ୍ତରଙ୍କ ପାଖକୁ ଯାଇଥିବେ , ରିପୋର୍ଟ ଅନୁଯାୟୀ ଡାକ୍ତର ଔଷଧ ବି ଦେଇଥିବେ । କିନ୍ତୁ ଆପଣଙ୍କ ହାତରେ ଯେଉଁ ରିପୋର୍ଟ ଅଛି ସେଇଟା ଅସଲି ନା ନକଲି । କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ନମୁନା ଯାଞ୍ଚ ନକରି ନକଲି ରିପୋର୍ଟ ଦେଇ ଟଙ୍କା ରୋଜଗାର କରିବାର ନୂଆ ବାଟ ବାହାର କଲେଣି ଠକମାନେ । ଭୁବନେଶ୍ୱରର ସବିତାବାଳାଙ୍କ ଅବସ୍ଥା ଜାଣିଲେ ଆପଣଙ୍କର ହୋଶ ଉଡିଯିବ । ଡାଇଗ୍ନୋଷ୍ଟିକ ସେଣ୍ଟରର ରିପୋର୍ଟ ଆଧାରରେ ଗତ ୩ ମାସ ହେବ ଔଷଧ ଖାଇଚାଲିଛନ୍ତି ସବିତାବାଳା । କିନ୍ତୁ ଏହି ରିପୋର୍ଟ ଅସଲି ନୁହଁ ବରଂ ନକଲି ଥିଲା ଏହା ଜାଣିବା ପରେ ତାଙ୍କର ହୋଶ ଉଡିଯାଇଛି ।

ଗତ ନଭେମ୍ବର ମାସରେ ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଆପୋଲୋ ଡାଇଗନୋଷ୍ଟିକ ସେଣ୍ଟରକୁ କଲ କରିଥିଲେ ସବିତାବାଳା । ରକ୍ତ ନମୁନା ସଂଗ୍ରହ ପାଇଁ ଘରକୁ ଯାଇଥିଲେ ଡାଇଗନୋଷ୍ଟିକ ସେଣ୍ଟରର ଜଣେ କର୍ମଚାରୀ । କଲେଷ୍ଟ୍ରଲ ସ୍ତର ଡେଞ୍ଜର ଲାଇନରେ ଥିବା ପ୍ରଥମେ ରିପୋର୍ଟ ଆସିଲା । ଡାକ୍ତରଙ୍କୁ ଦେଖାଇ ଔଷଧ ଖାଇଲେ । ପୁଣି ଥରେ ଡିସେମ୍ବର ମାସରେ ରକ୍ତ ନମୁନା ପରୀକ୍ଷା କରାଇଲେ କଲେଷ୍ଟ୍ରଲ ସ୍ତର ଠିକ ଥିଲା । କିନ୍ତୁ ଫେବୃଆରୀର ରିପୋର୍ଟ ଚିନ୍ତା ବଢାଇଦେଲା । ଔଷଧ ଖାଇବା ସତ୍ୱେ କଲେଷ୍ଟ୍ରଲ ସ୍ତର ବଢିଯାଇଥିବାରୁ ରିପୋର୍ଟ ପ୍ରତି ସନ୍ଦେହ ଉପୁଜିଲା । ରିପୋର୍ଟରେ ଥିବା କ୍ୟୁ ଆର କୋଡରେ ସ୍କାନ କରିଲା ବେଳକୁ ଜଣାପଡିଲା ଯେ ରିପୋର୍ଟଟି ସବିତାବାଳାଙ୍କର ନୁହଁ ବରଂ ଇପସିତା ପାତ୍ରଙ୍କର ।

ରାଜଧାନୀ ଭୁବନେଶ୍ୱରର ଏହି ଠକ ନିଜ ଜାଲରେ ଅନେକଙ୍କୁ ଫସାଇଚାଲିଛି । କିନ୍ତୁ କନକ ନ୍ୟୁଜ ପାଖରେ ସତ ମାନିଛି । ଟଙ୍କା ନଥିବାରୁ ନକଲି ରିପୋର୍ଟ ତିଆରି କରିଥିବା କହିଛି ଠକ । କିନ୍ତୁ କାହିଁକି ବାରମ୍ବାର କରୁଥିଲା ଏହା ପଚାରିଲେ ଠକ ପାଖରେ ନାହିଁ କିଛି ଉତ୍ତର ।