କନକ ବ୍ୟୁରୋ : ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଘୋଷିତ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଯୁବ ବ୍ୟାଟର ଧ୍ରୁବ ଜୁରେଲ । ଟି-୨୦ରେ ବିସ୍ଫୋରକ ବ୍ୟାଟିଂ କରୁଥିବା ଧ୍ରୁବ ଜୁରେଲଙ୍କୁ ପ୍ରଥମଥର ପାଇଁ ଭାରତୀୟ ଟେଷ୍ଟ ଟିମରୁ ଡାକରା ଆସିଛି । ଏହାପୂର୍ବରୁ ଜୁରେଲଙ୍କର ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ଅଭିଜ୍ଞତା ନାହିଁ । ଇଶାନ କିଷାନ ଓ ସଞ୍ଜୁ ସାମସନଙ୍କ ଭଳି ୱିକେଟକିପର ବ୍ୟାଟର ଥିଲେ ମଧ୍ୟ ଧ୍ରୁବଙ୍କ ଉପରେ ଭରସା କରିଛି ଦଳ । ଇଂଲଣ୍ଡ ଭଳି ଶକ୍ତିଶାଳୀ ଟିମ୍ ବିପକ୍ଷରେ ଧ୍ରୁବଙ୍କୁ ଦଳରେ ସାମିଲ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି ଚୟନକର୍ତ୍ତା । ପ୍ରଥମଥର ପାଇଁ ଟିମ୍ ଇଣ୍ଡିଆରୁ ଡାକରା ଆସିଥିବାରୁ ନିଜର ଖୁସି ବ୍ୟକ୍ତ କରିଛନ୍ତି ଧ୍ରୁବ ଜୁରେଲ । ଦଳରେ ଦୁଇଜଣ ଅଭିଜ୍ଞ ୱିକେଟକିପର ବ୍ୟାଟର ଥିଲେ ମଧ୍ୟ ଧ୍ରୁବଙ୍କୁ ଦଳରେ ସାମିଲ କରି ଟିମ୍ ଇଣ୍ଡିଆର ଭବିଷ୍ୟତ ପାଇଁ ଚୟନକର୍ତ୍ତା ଏବେଠାରୁ ପ୍ରସ୍ତୁତ ହେଉଥିବା ସଂକେତ ଦେଇଛନ୍ତି । ତେବେ ଧ୍ରୁବ ଜୁରେଲ କିଏ ଏବଂ କେମିତି ଚୟନକର୍ତ୍ତାଙ୍କ ନଜର ତାଙ୍କ ଉପରେ ପଡିଲା ତାହା ଏବେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସଂଘର୍ଷରୁ ସଫଳ କ୍ରିକେଟର, ଏହା ହିଁ ଧ୍ରୁବଙ୍କ ପରିଚୟ । ୨୨ ବର୍ଷୀୟ ଧ୍ରୁବ ମୂଳତଃ ଉତ୍ତରପ୍ରଦେଶ ଆଗ୍ରାର । ୨୦୨୦ରେ ୧୯ ବର୍ଷରୁ କମ ଟିମ୍ ଇଣ୍ଡିଆର ବିଶ୍ୱକପ ଦଳର ଉପ-ଅଧିନାୟକ ଥିଲେ ଧ୍ରୁବ । ଏହାପରେ ଉତ୍ତରପ୍ରଦେଶ ପକ୍ଷରୁ ରଣଜୀ ମ୍ୟାଚ୍ ଖେଳୁଥିବା ଧ୍ରୁବ ଗତ ଆଇପିଏଲରେ ରାଜସ୍ଥାନ ପାଇଁ ବିସ୍ଫୋରକ ବ୍ୟାଟିଂ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ନିଜର ଦମଦାର ବ୍ୟାଟିଂ ଜରିଆରେ ଆଇପିଏଲରେ ନିଜର ଛାପ ଛାଡିଥିଲେ ଧ୍ରୁବ । ତେବେ ଧ୍ରୁବଙ୍କୁ ଏହି ସ୍ଥାନରେ ପହଞ୍ଚିବାକୁ ଅନେକ ସଂଘର୍ଷର ସାମ୍ନା କରିବାକୁ ପଡିଛି । କାରଣ ଧ୍ରୁବଙ୍କ ପରିବାରର ଆର୍ଥିକ ଅବସ୍ଥା ସେତେଟା ସ୍ୱଚ୍ଛଳ ନଥିଲା । ବାପା ନେମ ସିଂ ଜୁରେଲ କାରଗିଲ ଯୁଦ୍ଧ ଲଢିଥିବା ବେଳେ ଧ୍ରୁବ ଜୁରେଲ ମଧ୍ୟ ସେନାରେ ଯିବାକୁ ଚାହୁଁଥିଲେ । ଆର୍ମି ସ୍କୁଲରେ ପଢୁଥିବା ବେଳେ ଧ୍ରୁବ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । କିନ୍ତୁ କ୍ରିକେଟକୁ ଯେ ନିଜର କ୍ୟାରିୟର କରିବେ ତାହା କେବେ ଭାବିନଥିଲେ ।
ପାଠପଢାରେ ସେତେଟା ମନ ଲାଗୁନଥିବାରୁ କ୍ରିକେଟ ଖେଳିବାକୁ ପସନ୍ଦ କରୁଥିଲେ ଧ୍ରୁବ । କିନ୍ତୁ ଧ୍ରୁବ ପାଠପଢା ଛାଡି କ୍ରିକେଟ ତାହା ଚାହୁଁନଥିଲେ ବାପା ନେମ ସିଂ ଜୁରେଲ । ଯେଉଁଥିପାଇଁ ଧ୍ରୁବ ଲୁଚି ଲୁଚି କ୍ରିକେଟ ଖେଳୁଥିଲେ । ତେବେ ପୁଅର ଇଚ୍ଛା ପୂରଣ କରିବାକୁ ବାପା ନେମ ସିଂ ଅନ୍ୟ ଲୋକଙ୍କଠାରୁ ଟଙ୍କା କରଜ ଆଣି ପ୍ରଥମେ ବ୍ୟାଟ୍ କିଣି ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ କ୍ରିକେଟ କିଟର ଆବଶ୍ୟକତା ପଡିଲା ସେତେବେଳେ କିଟ୍ ଦାମ ଜାଣିବା ପରେ ଧ୍ରୁବଙ୍କୁ କ୍ରିକେଟ ଛାଡିବାକୁ କହିଥିଲେ ବାପା ନେମ ସିଂ ଜୁରେଲ । କିନ୍ତୁ ଧ୍ରୁବ ନିଜ ଜିଦରେ ଅଟଳ ରହି ବାଥରୁମରେ ନିଜକୁ ବନ୍ଦ କରିଥିଲେ ଏବଂ କ୍ରିକେଟ ଖେଳିବାକୁ ମନା କଲେ ଘରୁ ଚାଲିଯିବି ବୋଲି ଧମକାଇଥିଲେ । ପରେ ତାଙ୍କ ମା’ ନିଜ ସୁନା ହାର ବିକ୍ରି କରି ଧ୍ରୁବଙ୍କୁ କ୍ରିକେଟ କିଟ୍ ଦେଇଥିଲେ । କ୍ରିକେଟର ଭାବେ ସଫଳ ହେବା ପରେ ଧ୍ରୁବ କହିଛନ୍ତି, ସେତେବେଳେ ଏଭଳି କରିଥିଲି ବୋଲି ଭାବିଲେ ଅନୁତାପ କରେ । କାରଣ ମୋ କ୍ରିକେଟ ଖେଳ ପାଇଁ ବାପା-ମାଙ୍କ ତ୍ୟାଗ ବହୁତ ଅଧିକ ଥିଲା ।
ଧ୍ରୁବ କହିଛନ୍ତି, ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳରେ ସ୍ଥାନ ପାଇବା ନେଇ ମୋର ସାଙ୍ଗ ଜଣାଇଥିଲେ । ଯାହା ଜାଣିବା ପରେ ପୂରା ପରିବାର ଭାବୁକ ହୋଇପଡିଥିଲା । ଦଳରେ ସ୍ଥାନ ପାଇବା ପରେ ବାପା ପଚାରିଥିଲେ କେଉଁ ଟିମରେ ଚୟନ ହୋଇଛି । ଏହାର ଉତ୍ତରରେ ଧ୍ରୁବ କହିଥିଲେ ରୋହିତ ଭାଇ ଓ ବିରାଟ ଭାଇ ଖେଳୁଥିବା ସିନିୟର ଟିମରେ ସ୍ଥାନ ମିଳିଛି । ଯାହା ଜାଣିବା ପରେ ପୁରା ପରିବାରରେ ଖୁସିର ମାହୋଲ ଖେଳିଯାଇଥିଲା ।