କନକ ବ୍ୟୁରୋ : ଦିନେ ନିଜର ସୁରିଲା କଣ୍ଠରେ ଗୀତ ଗାଇ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରୁଥିବା କଣ୍ଠଶିଳ୍ପୀ ଏବେ ଗାଉଛନ୍ତି ଦୁଃଖର ଦୋହା । ରକ୍ତ କର୍କଟ ରୋଗରେ ପୀଡିତ ହୋଇ ନିଜ ଜୀବନ ସଂଗୀତ ଖୁବ ସୁନ୍ଦର ଭାବେ ଗାଇଛନ୍ତି । ଆଉ ସେଇ ଗୀତର ପ୍ରତିଟି ଶବ୍ଦ ସେ ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗାଇଛନ୍ତି । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଯାତ୍ରାରେ ଗୀତ ଗାଉଥିବା ଧ୍ରୁବାନନ୍ଦ ଦାସ ଦିନେ ଷ୍ଟୁଡିଓରେ ଗୀତ ଗାଇବାର ସ୍ୱପ୍ନ ଦେଖିଥିଲେ । ସ୍ୱେଚ୍ଛାସେବୀ ସଂଗଠନ ଆଶାର ଦିଶା ସହଯୋଗରେ ଏବେ ସେ ସ୍ୱପ୍ନ ପୂରଣ ହୋଇଛି ସତ, ହେଲେ ଜୀବନ ଯନ୍ତ୍ରଣା ପାଲଟି ଯାଇଛି ।

Advertisment

ଯାଜପୁର ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ଗାଁର କଣ୍ଠ ଶିଳ୍ପୀ ଧ୍ରୁବାନନ୍ଦ ଦାସଙ୍କ ଯନ୍ତ୍ରଣା ଦାୟକ କାହାଣୀ ଶୁଣିଲେ, ଆପଣଙ୍କ ଆଖିରୁ ବି ଦୁଇ ଧାର ଲୁହ ବହି ଯିବ । ଦିନେ ଲୋକଙ୍କ ମନୋରଂଜନ ପାଇଁ ଗୀତ ଗାଉଥିବା ମଣିଷଟି ଆଜି ଜୀବନ-ମୃତ୍ୟୁର ଦୋ-ଛକିରେ । ଦୀର୍ଘ ୯ମାସ ହେବ ରକ୍ତ କର୍କଟରେ ପୀଡିତ ଧ୍ରୁବାନନ୍ଦ । ଅସ୍ତଗାମୀ ସୂର୍ଯ୍ୟ ଭଳି ତାଙ୍କ ଜୀବନ ସୂର୍ଯ୍ୟ ମଧ୍ୟ ଅସ୍ତ ହୋଇ ଆସୁଥିବା ନେଇ ଜାଣି ସାରିଛନ୍ତି । ଚିକିତ୍ସା ପାଇଁ ଆଉ ସାମର୍ଥ୍ୟ ନାହିଁ । ଦ୍ୱିତୀୟ ଭଗବାନ କୁହାଯାଉଥିବା ଡାକ୍ତର ବି ହାତ ଟେକି ଦେଇଛନ୍ତି । କିନ୍ତୁ ବଡଦେଉଳର ବଡ ଠାକୁରଙ୍କ ଉପରେ ଧ୍ରୁବାନନ୍ଦଙ୍କର ଭରସା ରହିଛି । ତାଙ୍କୁ ଓ ତାଙ୍କ କୁନି ଝିଅ, ସ୍ତ୍ରୀ ଓ ବାପା-ମାଆଙ୍କୁ କଳା ଠାକୁର ସାହା ହେବେ । ସେଇ ଭରସାରେ ନିଜ ଜୀବନ ଉପରେ ଆଧାରି ଜଣାଣକୁ ଜଗା ଉଦ୍ଦେଶ୍ୟରେ ଗାଇଛନ୍ତି ଓ ସେଥିରେ ନିଜେ ଅଭିନୟ ମଧ୍ୟ କରିଛନ୍ତି ।

ଏବେ ଆସନ୍ତୁ ଆମେମାନେ ସମସ୍ତେ ଧ୍ରୁବାନନ୍ଦଙ୍କୁ ସହଯୋଗର ହାତ ବଢାଇବା । ଆମମାନଙ୍କ ଗୋଟିଏ ଗୋଟିଏ ଟଙ୍କା ତାଙ୍କୁ ଚିକିତ୍ସା ଯୋଗାଇବାରେ ସହାୟକ ହେବ । କେହି ଧ୍ରୁବାନନ୍ଦଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ ତାଙ୍କ ଫୋନ ପେ' ନମ୍ବର ୮୩୩୮୯୭୮୮୯୯ ମାଧ୍ୟମରେ ସହଯୋଗ କରିପାରିବେ ।