କନକ ବ୍ୟୁରୋ : ରାଜ୍ୟରେ ହେଉଥିବା ଘନ ଘନ ବିଦ୍ୟୁତ୍ କାଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ଓଡ଼ିଶାରେ ବିଚିତ୍ର କଥା ଦଖିବାକୁ ମିଳୁଛି । ବିଭାଗୀୟ ମନ୍ତ୍ରୀ, ସଚିବ ଓ ବିଜେଡି ନେତାଙ୍କର ପରସ୍ପର ବିରୋଧୀ ମନ୍ତବ୍ୟ ଦେଉଛନ୍ତି । ଏହା ରାଜ୍ୟ ସରକାରଙ୍କ ଶାସନଗତ ବିଫଳତାର ଚରମ ନିଦର୍ଶନ ।

Advertisment

ଏହାସହ ଧର୍ମେନ୍ଦ୍ର କହିଛନ୍ତି, ଦୀପ ତଳ ଅନ୍ଧାର ଭଳି ଓଡ଼ିଶାରେ ଏତେ କୋଇଲା ଆଉ ଜଳ ଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା କାରଣରୁ ଗର୍ଭନାନ୍ସ ଡେଫିସେନ୍ସି ଦେଖାଦେଇଛି । ଯେଉଁମାନେ ନିଜ ବିଭାଗ ସମ୍ଭାଳିବା କଥା ସେମାନେ କେବଳ ପ୍ରଚାରରେ ମାତିଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେହିପରି ମୁଖ୍ୟ ଶାସନ ସଚିବଙ୍କ ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କହିଛନ୍ତି, ମୁଖ୍ୟ ଶାସନ ସଚିବ ଟ୍ୱିଟ୍ କରି କହିଲେ, ଯେ ଏପ୍ରକାର କାମ ଚଳିବ ନାହିଁ । ଯଦି ମୁଖ୍ୟ ଶାସନ ସଚିବ ବ୍ୟବସ୍ଥା ହୁଗୁଳିବା ପରେ ଚଳିବନି ବୋଲି କହିବେ ତେବେ କିଏ ଚଳାଇବ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । ଏହା ଏକ ବିପର୍ଯ୍ୟସ୍ତ ପରିସ୍ଥିତି ଆଡକୁ ଯାଉଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ବୟାନ ବାଜି ଏବଂ ସାଙ୍କେତିକ କାମରୁ ସରକାର ନିବୃତ୍ତ ହୋଇ ଗଭର୍ଣ୍ଣାସ କାମରେ ଲାଗନ୍ତୁ । ଯେଉଁ କମ୍ପାନୀକୁ ବିଜୁଳି ବିତରଣ ଦାୟିତ୍ଵ ଦେଇଛନ୍ତି, ତାଙ୍କ ସହ ନିଶ୍ଚିତ ଭାବେ ଚୁକ୍ତି କରିଥିବେ ଯେ, ଲୋକଙ୍କୁ ସୁଷମ ବିଜୁଳି ବଣ୍ଟନ ହେବ । ତେଣୁ ଯେଉଁ ଚୁକ୍ତି କରିଥିବେ, ତାକୁ କ୍ରିୟାନ୍ଵୟନ କରନ୍ତୁ । ଲୋକ ପ୍ରଭାବିତ ହେବା ସ୍ୱାଭାବିକ । ଲୋକ ଟିକସ ଦେଉଛନ୍ତି, ବିଦ୍ୟୁତ ଦେୟ ଦେଉଛନ୍ତି । ତାପରେ ବି ଏ ଖରା ଓ ଅସହ୍ୟ ଗୁଳୁଗୁଳି ବେଳେ ଅଭାବନୀୟ ପରିସ୍ଥିତି ହେଉଛି । ତେଣୁ ଯେତେବେଳେ ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡେ, ସେତେବେଳେ ଲୋକଙ୍କୁ ଏ ପ୍ରକାର ଦୁର୍ଦ୍ଦଶା ଭୋଗିବା ପାଇଁ ପଡେ ।

ଯେତେବେଳେ ମନ୍ତ୍ରୀ କହିବେ, ଏଇଟା ପାୱାର କଟ ନୁହେଁ । ମୁଖ୍ୟ ଶାସନ ସଚିବ ଆଙ୍ଗୁଳି ଦେଖାଇବେ ବିତରଣ କମ୍ପାନୀକୁ । ତେବେ ଏଠି ପ୍ରଶ୍ନ ଉଠୁଛି, ବିତରଣ କମ୍ପାନୀ କିଏ ବାଛିଲା। ଯଦି ଶାସନରେ ଥିବା ବ୍ୟକ୍ତି ମାନେ ଓଡ଼ିଆ ଲୋକଙ୍କୁ ଏତେ ସରଳ ଓ ବୋକା ବୋଲି ଭାବୁଛନ୍ତି, ତାହେଲେ ଏହା ଗଣତନ୍ତ୍ରର ଭଲ ଲକ୍ଷଣ ନୁହେଁ ।