ଧୋନୀଙ୍କୁ ମିଳିପାରେ ଟିମ୍ ଇଣ୍ଡିଆରେ ବଡ ପଦ, କମିବ ମୁଖ୍ୟ କୋଚ୍ ଶାସ୍ତ୍ରୀଙ୍କ ପାୱାର!

336

କନକ ବ୍ୟୁରୋ: ଆଗାମୀ ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ଦଳ ଘୋଷଣା କରିଛି ବିସିସିଆଇ । ଯେଉଁଥିରେ ମେଣ୍ଟର ଭାବେ ଦାୟିତ୍ୱ ମିଳିଛି ମହେନ୍ଦ୍ର ସିଂହ ଧୋନୀଙ୍କୁ । ତେବେ ଧୋନୀଙ୍କୁ କାହିଁକି ମେଣ୍ଟର ଭାବେ ଦାୟିତ୍ୱ ମିଳିଲା? ଏହି ନିଷ୍ପତ୍ତି ପରେ ମୁଖ୍ୟ କୋଚ୍ ଶାସ୍ତ୍ରୀଙ୍କ ପାୱାର କମିବ କି? ଶାସ୍ତ୍ରୀଙ୍କ ପରେ କିଏ ହେବ ଟିମ୍ ଇଣ୍ଡିଆର କୋଚ୍? ଏଭଳି ଅନେକ ପ୍ରଶ୍ନ ଏବେ କ୍ରିକେଟ୍ ବିଶେଷଜ୍ଞଙ୍କୁ ଅଡୁଆରେ ପକାଇଛି ।

ବିରାଟ କୋହଲି ଏବେ ଟିମ୍ ଇଣ୍ଡିଆର ଅଧିନାୟକ ଅଛନ୍ତି । ହେଲେ ଅଧିନାୟକ ଭାବେ ଆଇସିସି ଇଭେଣ୍ଟରେ ତାଙ୍କର ପ୍ରଦର୍ଶନ ସେତେଟା ଭଲ ନାହିଁ । ଏଯାବତ ସେ କୌଣସି ଆଇସିସି ଟ୍ରଫି ଜିତିନଥିବାବେଳେ, ନିକଟରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ମଧ୍ୟ ହାରିଛନ୍ତି । ଏପରି ସ୍ଥିତିରେ ଆଗାମୀ ଟି-୨୦ ବିଶ୍ୱକପରେ କୋହଲିଙ୍କୁ ମାର୍ଗଦର୍ଶନ ପାଇଁ ମାହିଙ୍କୁ ବଛାଯାଇଛି ।

ବିସିସିଆଇର ଏହି ନିଷ୍ପତ୍ତି ଫଳରେ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ପାୱାର କମିପାରେ ବୋଲି ଚର୍ଚ୍ଚା ହେଉଛି । କାହିଁକି ଶାସ୍ତ୍ରୀ ଏବେ ଦଳର ମୁଖ୍ୟ କୋଚ୍ ଅଛନ୍ତି । ହେଲେ ଧୋନୀଙ୍କୁ ମେଣ୍ଟର ଭାବେ ଦାୟିତ୍ୱ ମିଳିବା ପରେ ଏବେ ସେ ଦଳର ରଣନୀତି ପ୍ରସ୍ତୁତ କରିବେ । ଏଥିସହିତ କଠିନ ପରିସ୍ଥିତିରେ ଦଳ ପାଇଁ ବଡ ବଡ ନିଷ୍ପତ୍ତି ମଧ୍ୟ ନେଇପାରନ୍ତି ଧୋନୀ । ଯାହାକି ଆଗରୁ କୋହଲି କିମ୍ବା ଶାସ୍ତ୍ରୀ ନେଉଥିଲେ । ତେଣୁ ଧୋନୀଙ୍କୁ ଏହି ନୂଆ ଦାୟିତ୍ୱ , ଶାସ୍ତ୍ରୀଙ୍କ ପାଇଁ ମହଙ୍ଗା ପଡିପାରେ ।

ଅନ୍ୟପଟରେ ଧୋନୀଙ୍କୁ ନେଇ ବିସିସିଆଇ ଭବିଷ୍ୟତର ଯୋଜନା ମଧ୍ୟ ପ୍ରସ୍ତୁତ କରୁଛି ବୋଲି ଅନୁମାନ କରାଯାଉଛି । ମୁଖ୍ୟ କୋଚ୍ ଭାବେ ଶାସ୍ତ୍ରୀଙ୍କ ଦାୟିତ୍ୱ ଆଉ କିଛି ଦିନ ବାକି ଅଛି । ଏହାପରେ ଦଳକୁ ନୂଆ କୋଚ୍ ମିଳିପାରେ । ଯଦି ଶାସ୍ତ୍ରୀ ବିଶ୍ୱକପ ପରେ ବିଦାୟ ନିଅନ୍ତି । ତେବେ ଧୋନୀ ଏହି ପଦ ପାଇଁ ବଡ ଦାବିଦାର ହୋଇପାରନ୍ତି । ଅନ୍ୟପଟେ ଦଳର ସମସ୍ତ ଖେଳାଳି ଆଗରୁ ଧୋନୀଙ୍କ ସହିତ ଖେଳିସାରିଥିବାରୁ ସେଭଳି କୌଣସି ମତପାର୍ଥକ୍ୟ ମଧ୍ୟ ଦେଖିବାକୁ ନମିଳିପାରେ ।

ସବୁପରେ ମହେନ୍ଦ୍ର ସିଂହ ଧୋନୀଙ୍କ ଅଭିଜ୍ଞତା ଟିମ୍ ଇଣ୍ଡିଆ ପାଇଁ ବରଦାନ ସାବ୍ୟସ୍ତ ହୋଇପାରେ । ଧୋନୀ ହିଁ ଟିମ୍ ଇଣ୍ଡିଆର ଏକମାତ୍ର ଅଧିନାୟକ ଯିଏକି ପୂର୍ବ ସମସ୍ତ ଟି-୨୦ ବିଶ୍ୱକପରେ ଦଳର ନେତୃତ୍ୱ ନେଇଥିଲେ । ଆଉ ଏବେ କୋହଲି ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପରେ ଦଳର ନେତୃତ୍ୱ ନେବେ । ତେଣୁ କୋହଲି-ଧୋନୀଙ୍କ ଏହି ଯୋଡି ଇତିହାସ ରଚିବା ଲକ୍ଷ୍ୟରେ ଅଛି ।