୪୨ ବର୍ଷରେ ପାଦଦେଲେ ଧୋନି। ୫୨ ଫୁଟର କଟ୍ଆଉଟ୍ କରି ଶୁଭେଚ୍ଛା

133

କନକ ବ୍ୟୁରୋ: ସେ କାହା ପାଇଁ ମାହି ତ କାହା ପାଇଁ ଧୋନି । ସେ ଫିଲ୍ଟକୁ ଓହ୍ଲାଇଲେ ପ୍ରଶଂସକଙ୍କ ମୁହଁରେ ଆସେ ଗୋଟିଏ ନାଁ । କେବେ କ୍ରିକେଟ ଖେଳି ଇତିହାସ ସୃଷ୍ଟି କରିଛନ୍ତି ତ କେବେ ସାଜିଛନ୍ତି ଅନେକ ଯୁବ କ୍ରିକେଟରଙ୍କ ପାଇଁ ପ୍ରେରଣା । କ୍ରିକେଟ ଜଗତର ବାଦଶାହା ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମହେନ୍ଦ୍ର ସିଂ ଧୋନିଙ୍କ ଆଜି ହେଉଛି ଜନ୍ମଦିନ । ୪୨ ବର୍ଷରେ ପାଦ ଥାପିଛନ୍ତି ଟିକେଟ କଲେକ୍ଟରରୁ କ୍ରିକେଟ କ୍ୟାପ୍ଟଟେନ ସାଜିଥିବା ଧୋନି । ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ପ୍ରଶଂସକଙ୍କ ମନରେ ରାଜ କରୁଥିବା ଏକ ଆବେଗ । କ୍ରିକେଟରେ ଯେତିକି ପ୍ରଶଂସା ସାଉଁଟିଛନ୍ତି ଏହା ସହ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଧୋନି ଖୁବ ଚର୍ଚ୍ଚାରେ ରୁହନ୍ତି । ଭାରତକୁ ତିନୋଟି ଆଇସିସି ଟ୍ରଫି ଜିତାଇଥିବା ଧୋନିଙ୍କ ନେତୃତ୍ୱରେ ଭାରତ ବହୁ ସଫଳତା ହାସଲ କରିଛି । ୨୦୦୭ରେ ତାଙ୍କୁ ପ୍ରଥମ ଥର ଭାରତୀୟ କ୍ରିକେଟ ଦଳର ଅଧିନାୟକ କରାଯାଇଥିଲା । ଧୋନିଙ୍କ ନେତୃତ୍ୱରେ ଭାରତ ୨୦୦୭ରେ ଟି-ଟ୍ୱେଂଟି ବିଶ୍ୱକପ, ୨୦୧୧ରେ ଦିନିକିଆ ବିଶ୍ୱ କପ ଓ ୨୦୧୩ରେ ଚାମ୍ପିୟନ୍ସ ଟ୍ରଫିର ଟାଇଟଲ ଜିତିଥିଲା ।

ରାଂଚିରେ ଜୁଲାଇ ୭, ୧୯୮୧ରେ ଜନ୍ମ ହୋଇଥିଲେ ଧୋନି । ମାଆ ଦେବକୀ ଦେବୀ ଓ ବାପା ପାନ ସିଂଙ୍କ ପୁଅ ବଡ଼ ହେଲେ କ୍ରିକେଟ ଜଗତର ଏକ ପରିଚିତ ନାଁ ହେବ ବୋଲି କେବେ ଭାବିନଥିଲେ । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଛୋଟବେଳେ ବ୍ୟାଡମିଂଟନ ଓ ଫୁଟବଲରେ ମାହିଙ୍କର ଅଧିକ ରୁଚି ଥିଲା । ମାହି ପ୍ରଥମେ ଫୁଟବଲ ଟିମର ଗୋଲକିପର ଥିଲେ । ତେବେ ସମୟ ସହ ପରିବର୍ତନ ହୋଇଥିଲା ତାଙ୍କ ରୁଚି, ଆରମ୍ଭ ହୋଇଥିଲା ଅସଲ ସଂଘର୍ଷ । ଆଜି ତାଙ୍କ ଜନ୍ମଦିନରେ ବିଭିନ୍ନ ଆଡୁ ପ୍ରଶଂସକଙ୍କ ସୁଅ ଛୁଟିଛି । ତେଲେଙ୍ଗାନାର ହାଇଦ୍ରାବାଦରେ କିଛି ପ୍ରଶଂସକ ୫୨ ଫୁଟ ଉଚ୍ଚ କଟ୍ ଆଉଟ ଜରିଆରେ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଏହି ଫଟୋ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

୨୦୦୯ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ମହେନ୍ଦ୍ର ସିଂ ଧୋନି । ଅନ୍ୟପଟେ ଏବେ ଭାରତୀୟ କ୍ରିକେଟ ଦଳରେ ନଥିଲେ ମଧ୍ୟ ଆଇପିଏଲରେ ନିଜର ପତିଆରା ଜାରି ରଖିଛନ୍ତି । ସଦ୍ୟ ସମାପ୍ତ ଆଇପିଏଲ ସଂସ୍କରଣରେ ତାଙ୍କ ଅଧିନାୟିକତ୍ୱରେ ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ଟାଇଟଲ ଜିତିଛି ।