କନକ ବ୍ୟୁରୋ: ମହେନ୍ଦ୍ର ସିଂ ଧୋନୀ । ଏହି ନାଁ ପାଇଁ କୌଣସି ପରିଚୟର ଆବଶ୍ୟକତା ନାହିଁ । ଭାରତୀୟ କ୍ରିକେଟ ପାଇଁ ସେ ଜଣେ ସଫଳ ଅଧିନାୟକ, ୱିକେଟ କିପର ଓ ଫିନିସର୍ । ସେ ଟିମ ଇଣ୍ଡିଆକୁ ଅନେକ ସଫଳତା ଦେଇଛନ୍ତି । ବିଶ୍ୱ କ୍ରିକେଟରେ ଟିମ ଇଣ୍ଡିଆକୁ ଶୀର୍ଷକୁ ନେବାରେ ତାଙ୍କର ବଳିଷ୍ଠ ଅବଦାନ ମଧ୍ୟ ରହିଛି । ହେଲେ ସେ ଏବେ କ୍ରିକେଟରୁ ଦୂରେଇ ଯାଇଛନ୍ତି, ହେଲେ ଆଇପିଏଲ ଜାରି ରଖିଛନ୍ତି । ତେବେ କ୍ରିକେଟରେ ନିଜ ଦବଦବା ପରେ ଏବେ ଫିଲ୍ମ ଦୁନିଆକୁ ଆସିଛନ୍ତି ଧୋନୀ । ଆଉ ଖୋଲିଛନ୍ତି ନିଜର ପ୍ରଡକ୍ସନ ହାଉସ ।

Advertisment

ଥାଲା ନାଁରେ ପରିଚିତ ମାହି ଏବେ ସାଉଥ ଫିଲ୍ମ ତିଆରି କରିବେ । କ୍ରିକେଟ ମୈଦାନରୁ ଏବେ ସିଧା ଫିଲ୍ମ ଦୁନିଆରେ ପାଦ ଦେଇଛନ୍ତି ମାହି । ଆଉ ଥାଲାପତି ବିଜୟ, ଜୁନିୟର ଏନଟିଆର, ରଜନୀକାନ୍ତ, ଧନୁଷଙ୍କ ଭଳି ଷ୍ଟାରଙ୍କ ସହ କାମ କରିବେ କ୍ୟାପଟେନ କୁଲ୍ । ୱିକେଟ ପଛରେ ଠିଆ ହେଇ ନିଜ ବିଚକ୍ଷଣ ବୁଦ୍ଧି ଲଗାଉଥିବା ଧୋନୀ ଏବେ ସାଉଥ ଫିଲ୍ମରେ ନିଜ ବୁଦ୍ଧି ଲଗାଇବେ ।
ଧୋନୀ ନିଜ ପ୍ରଡକ୍ସନ ହାଉସର ନାଁ ଧୋନୀ ଏଣ୍ଟରଟେନମେଣ୍ଟ ରଖିଛନ୍ତି । ମାହିଙ୍କ ଏହି ପ୍ରଡକ୍ସନ ହାଉସରେ ତାମିଲ, ତେଲୁଗୁ ଓ ମାଲାୟାଲାମ ଫିଲ୍ମ ହେବ । ପ୍ରଡକ୍ସନ ହାଉସର ମାଲିକାନା ଧୋନୀ ଓ ତାଙ୍କ ପତ୍ନୀଙ୍କ ପାଖରେ ରହିବ । ସେହିପରି ବିକାଶ ହସିଜାଙ୍କୁ ପ୍ରଡକ୍ସନ ହାଉସର ମୁଖ୍ୟ ଭାବେ ଚୟନ କରାଯାଇଛି । ମାହିଙ୍କ ଏହି ପ୍ରଡକ୍ସନ ହାଉସ ଏବେ ଯାଏଁ ରୋଅର ଅଫ ଦ ଲାୟନ, ବ୍ଲେଜ ଟୁ ଗ୍ଲୋରୀ ଓ ଦ ହିଡେନ ହିନ୍ଦୁ ଭଳି ପ୍ରୋଜେକ୍ଟରେ କାମ କରି ସାରିଛି ।

ଲେଟ୍ସ ସିନେମା ଟ୍ୱିଟରରେ ଧୋନୀ ପ୍ରଡକ୍ସନ ହାଉସକୁ ନେଇ ସୂଚନା ଦେଇଛି । ଟ୍ୱିଟରରେ ପୋଷ୍ଟ କରି ଲେଟ୍ସ ସିନେମା ଲେଖିଛି, ଧୋନୀ ସାଉଥରେ ନିଜ ଫିଲ୍ମ ପ୍ରଡକ୍ସନ ଧୋନୀ ଏଣ୍ଟରଟେନମେଣ୍ଟ ଲଞ୍ଚ କରିଛନ୍ତି । ଏଥିରେ ତାମିଲି, ତେଲୁଗୁ ଓ ମାଲାୟାଲାମ ଭାଷାରେ ଫିଲ୍ମ ହେବ ।

ମହେନ୍ଦ୍ର ସିଂ ଧୋନୀ ଟିମ ଇଣ୍ଡିଆର ଜଣେ ସଫଳ ଅଧିନାୟକ । ୧୫ ଅଗଷ୍ଟ ୨୦୨୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରୁ ଧୋନୀ ଅବସର ନେଇଥିଲେ । ଟିିମ ଇଣ୍ଡିଆ ପାଇଁ ସେ ଅନେକ ସଫଳତା ଆଣି ଦେଇଛନ୍ତି । ୨୦୦୭ ଟି-୨୦ ବିଶ୍ୱକପ ହେଉ କି ୨୦୧୧ ବିଶ୍ୱକପ କି ଚାମ୍ପିୟନ୍ସ ଟ୍ରଫି ଧୋନୀଙ୍କ ପାଇଁ ଥିଲା ସବୁ ସମ୍ଭବ । କେବଳ ସେତିକି ନୁହେଁ ଧୋନୀ ଆଇପିଏଲରେ ଚେନ୍ନାଇକୁ ୪ ଥର ଚାମ୍ପିୟନ ମଧ୍ୟ କରିଛନ୍ତି । ତେବେ ୨୦୨୩ରେ ବି ପୁଣି କ୍ରିକେଟ ମୈଦାନରେ ତାଙ୍କୁ ଦେଖିବାକୁ ମିଳିପାରେ ।

ଧୋନୀ ଟିମ ଇଣ୍ଡିଆ ପାଇଁ ୯୦ ଟେଷ୍ଟ ମ୍ୟାଚ ଖେଳି ୪, ୮୭୬ ରନ କରିଛନ୍ତି ଯେଉଁଥିରେ ୬ ଶତକ ଓ ୩୩ ଅର୍ଦ୍ଧଶତକ ସାମିଲ ଅଛି । ସେହିପରି ୩୫୦ ଦିନିକିଆ ମ୍ୟାଚ ଖେଳି ୧୦, ୭୭୩ ରନ କରିଛନ୍ତି, ଯେଉଁଥିରେ ୧୦ ଶତକ ଓ ୭୩ ଅର୍ଦ୍ଧଶତକ ରହିଛି । ସେହିପରି ଟି-୨୦ରେ ୯୮ ମ୍ୟାଚ ଖେଳି ୧,୬୧୭ ରନ କରିଛନ୍ତି । ତେବେ କ୍ରିକେଟ ପରେ ଫିଲ୍ମ ଦୁନିଆରେ ଧୋନୀ କେତେ ସଫଳ ହେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।