କନକ ବ୍ୟୁରୋ : ପୂରା ଦେଶରେ କରୋନା କାୟା ମେଲାଉଥିବା ବେଳେ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢୁଛି । ପ୍ରତିଦିନ ଲକ୍ଷାଧିକ ଲୋକ ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି । ଆଉ ଏସବୁ ଭିତରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ବାପା ଓ ମାଙ୍କୁ ମଧ୍ୟ କରୋନା ହୋଇଥିବା ଜଣାପଡିଛି । ଉଭୟଙ୍କୁ ରାଞ୍ଚିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ଉଭୟଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସାମାନ୍ୟ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଅକ୍ସିଜେନ ସ୍ତର ଠିକ୍ ଥିବା ବେଳେ ସଂକ୍ରମଣ ମଧ୍ୟ ସେତେଟା ଅଧିକ ହୋଇନି । ତେଣୁ ଆଗାମୀ କିଛି ଦିନ ମଧ୍ୟରେ ଉଭୟଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍ ହୋଇଯିବ ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି ।
Advertisment
ଧୋନି ଏବେ ଆଇପିଏଲ ଖେଳିବା ପାଇଁ ଘର ଠାରୁ ଦୂରରେ ରହିଛନ୍ତି । ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଚଳିତ ଆଇପିଏଲରେ ପ୍ରଭାବୀ ପ୍ରଦର୍ଶନ କରିନଥିଲେ ମଧ୍ୟ ଦଳ କିନ୍ତୁ ଭଲ ପ୍ରଦର୍ଶନ ଜାରି ରଖିଛି । ୩ଟି ମ୍ୟାଚରୁ ଦଳ ୨ଟିରେ ବିଜୟ ହାସଲ କରିଛି । ଏପରିକି ଆଜି କୋଲକାତା ସହ ମୁହାଁମୁହିଁ ହେବ ଚେନ୍ନାଇ ।