କୋହଲିଙ୍କ ଟ୍ୱିଟ୍ ପରେ… । ଧୋନି କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇପାରନ୍ତି ବୋଲି ଆରମ୍ଭ ହେଲା ଜୋରଦାର ଚର୍ଚ୍ଚା, ପତ୍ନୀ ସାକ୍ଷୀ କହିଲେ ଅବସର ଘୋଷଣା ପୂରା ଗୁଜବ ।

421

କନକ ବ୍ୟୁରୋ : କ୍ରିକେଟରୁ ଅବସର ନେଇପାରନ୍ତି ମହେନ୍ଦ୍ର ସିଂ ଧୋନି । ଏନେଇ ସୋସିଆଲ ମିଡିଆରେ ଚାଲିଛି ଜୋରଦାର ଚର୍ଚ୍ଚା । ଏପରିକି ଆଜି ନିଜେ ଧୋନି ଅବସର ନେଇ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସୋସିଆଲ ମିଡିଆରେ ଧୋନିଙ୍କୁ ନେଇ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ଏକ ଟ୍ୱିଟ ଏହି ଚର୍ଚାକୁ ଅଧିକ ଖୋରାକ ଯୋଗାଇଛି । ସେପଟେ ଧୋନି, ରାଜନୀତିରେ ଯୋଗ ଦେବେ ବୋଲି ଚର୍ଚା ହେଉଛି । ଆଗକୁ ଝାଡଖଣ୍ଡ ବିଧାନସଭା ନିର୍ବାଚନ ଥିବା ବେଳେ , ବିଜେପି, ଧୋନିଙ୍କୁ ପ୍ରାର୍ଥୀ କରି , ନିର୍ବାଚନକୁ ଓହ୍ଲାଇବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ତେବେ ସବୁ କିଛି ନିର୍ଭର କରୁଛି ଧୋନିଙ୍କ ନିଷ୍ପତି ଉପରେ ।

କୋହଲି ଟ୍ୱିଟ୍ କରି କହିଛନ୍ତି, ଏଭଳି ଏକ ମ୍ୟାଚ୍, ଯାହାକୁ ମୁଁ କେବେ ଭୁଲି ପାରିବି ନାହିଁ । ଏକ ସ୍ୱତନ୍ତ୍ର ରାତି । ଫିଟନେସ ପରୀକ୍ଷା ଭଳି ଏହି ବ୍ୟକ୍ତି ମୋତେ ସେଦିନ ଦୌଡାଇଥିଲେ ।ଅଷ୍ଟ୍ରେଲିଆ ବିପକ୍ଷରେ ୨୦୧୬ ଟି-ଟ୍ୱେଣ୍ଟି ବିଶ୍ୱକପ୍ର ଏକ ମୁହୂର୍ତକୁ ବିରାଟ ଟ୍ୱିଟ୍ କରିବା ପରେ ଆରମ୍ଭ ହୋଇଯାଇଛି ଧୋନିଙ୍କ କ୍ରିକେଟରୁ ଅବସର ନେଇ ଚର୍ଚା ।

କୋଟି କୋଟି ଭାରତୀୟ , କ୍ରିକେଟ୍ ପ୍ରେମୀ ଏବଂ ପ୍ରଶଂସକଙ୍କ ମୁହଁରେ ଏବେ ଗୋଟିଏ ପ୍ରଶ୍ନ , କ୍ରିକେଟରୁ ଅବସର ନେବେ କି ଧୋନି । ବର୍ତମାନର ପରିସ୍ଥିତିରେ କୋହଲି କାହିଁକି ପୁରୁଣା କଥା ମନେ ପକାଇଲେ ଏବଂ ଧୋନିଙ୍କ ସ୍ମୃତି ବଖାଣିଲେ, ଏବେ ତାହା ବଡ ପ୍ରଶ୍ନ ହୋଇ ଠିଆ ହୋଇଛି । କାରଣ, ବିଶ୍ୱକପ୍ ପରେ ୱେଷ୍ଟଇଣ୍ଡିଜ ଗସ୍ତରୁ ଓହରିଯାଇଥିବା ଧୋନି ଆଗକୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ଖେଳିବାକୁ ମନା କରିଦେଇଛନ୍ତି ।

ବିଶ୍ୱକପରୁ ଭାରତ ବିଦା ହେବା ପରେ ଧୋନୀଙ୍କ ଭବିଷ୍ୟତ ନେଇ ପ୍ରଶ୍ନ ଉଠିଥିଲା । ଏପରିକି ଧୋନୀ କ୍ରିକେଟର ସବୁ ଫର୍ମାଟରୁ ସନ୍ୟାସ ନେଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା । ହେଲେ ଧୋନି ଏସବୁରୁ ନିଜକୁ ଦୁରେଇ ରଖିଥିଲେ । ଏବଂ କ୍ରିକେଟ୍ ମଇଦାନରୁ ଦୁଇ ମାସର ବିରତି ନେଇ ସେନାରେ ପ୍ରତ୍ୟକ୍ଷ ଭାବେ କାମ କରିଥିଲେ ।

ଆସନ୍ତା ଡିସେମ୍ବର ୨୭ରେ ସରୁଛି ଝାଡଖଣ୍ଡ ବିଧାନସଭାର କାର୍ଯ୍ୟକାଳ । ଏହାପୂର୍ବରୁ ନଭେମ୍ବର କିମ୍ବା ଡିସେମ୍ବରରେ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ହେବ । ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଝାଡଖଣ୍ଡରେ ନୂଆ ବିଧାନସଭା ଭବନ ଉଦଘାଟନ କରିବା ସହ ଏକପ୍ରକାର ନିର୍ବାଚନୀ ବିଗୁଲ ବଜାଇସାରିଛନ୍ତି । ୮୨ ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭାରେ ବିଜେପି ଚଳିତବର୍ଷ ମିଶନ ୬୫ ଲକ୍ଷ୍ୟ ରଖିଛି । ଏଭଳି ସ୍ଥିତିରେ ଧୋନୀଙ୍କୁ ଦଳରେ ସାମିଲ କରି ପ୍ରାର୍ଥୀ କରିବାକୁ ବିଜେପି ଲକ୍ଷ୍ୟ ରଖିଥିବା ଚର୍ଚା ହେଉଛି । ଏଭଳି ମଧ୍ୟ ଚର୍ଚ୍ଚା ହେଉଛି ଯେ, ଧୋନୀ ହୋଇପାରନ୍ତି ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ।..

ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଭାରତ ଦୁଇ ଦୁଇଟି ବିଶ୍ୱକପ୍ ଜିତିଛି । ୨୦୦୭ରେ ଟିଟ୍ୱେଂଟି ବିଶ୍ୱକପ୍ ଏବଂ ୨୦୧୧ରେ କ୍ରିକେଟ୍ ବିଶ୍ୱକପ୍ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ୨୦୧୩ରେ ଚାମ୍ପିଅନ୍ସ ଟ୍ରଫି ବି ହାତେଇଥିଲା ଭାରତ । ଏଭଳି ଜଣେ କିମ୍ବଦନ୍ତୀ ଖେଳାଳି ଏବଂ ଲୋକପ୍ରିୟ ଚେହେରାଙ୍କୁ ଦଳରେ ନେଇ ବଡ ଧରଣର ଭୋଟ୍ ବ୍ୟାଙ୍କ ହାତେଇବା କାହାକୁ ଆଶ୍ଚର୍ଯ୍ୟ କରିବ ନାହିଁ । ତେବେ ସମସ୍ତଙ୍କ ନଜର ରହିଛି ଧୋନୀଙ୍କ ନିଷ୍ପତିକୁ ।