ୱିକେଟକିପର ଭାବେ ନୂଆ ରେକର୍ଡ ସୃଷ୍ଟି କଲେ ଧୋନି । ୮୦୦ ତମ ଶିକାର କରି ରଚିଲେ ଇତିହାସ

26

ଅର୍ନ୍ତଜାତୀୟ କ୍ରିକେଟରେ ନୂଆ ରେକର୍ଡ କଲେ ମହେନ୍ଦ୍ର ସିଂ ଧୋନି । ୩୭ ବର୍ଷୀୟ ଏହି ଭାରତୀୟ ୱିକେଟକିପର କ୍ୟାରିୟରରେ ୮୦୦ ତମ ଶିକାର ହାସଲ କରିଛନ୍ତି । ବାଂଲାଦେଶ ବିପକ୍ଷ ଏସିଆ କପ ଫାଇନାଲରେ ଧୋନି ଏହି ସଫଳତା ହାସଲ କରିଛନ୍ତି । ଫାଇନାଲ ପୂର୍ବରୁ ଏହି ସଫଳତା ହାସଲ କରିବାକୁ ଧୋନିଙ୍କୁ ମାତ୍ର ଦୁଇଜଣ ବ୍ୟାଟସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇବାର ଆବଶ୍ୟକତା ରହିଥିଲା । ଯାହାକୁ ବେଶ ସହଜରେ ହାସଲ କରିଥିଲେ ମାହି ।

ଶୁକ୍ରବାର ବାଂଲାଦେଶ ବିପକ୍ଷ ଫାଇନାଲ ମ୍ୟାଚରେ ମୋର୍ତାଜାଙ୍କୁ ଆଉଟ କରି ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ଧୋନି । ଏହାପୂର୍ବରୁ ଧୂଆଁଧାର ଇନିଂସ ଖେଳୁଥିବା ଲିଟନ ଦାସଙ୍କୁ ଷ୍ଟମ୍ପିଂ କରି ବାଂଲାଦେଶ ରନ ଗତିରେ ଅଙ୍କୁଶ ଲଗାଇଥିଲେ । ୱିକେଟ କିପର ଭାବେ ୮୦୦ ଜଣ ଖେଳାଳୀଙ୍କୁ ଆଉଟ କରିବାରେ ଧୋନି ବିଶ୍ୱର ତୃତୀୟ ତଥା ଭାରତର ପ୍ରଥମ ୱିକେଟକିପର ଭାବେ ରେକର୍ଡ ହାସଲ କରିଛନ୍ତି । ଏହାଛଡା ଏସିଆ ପ୍ରଥମ ୱିକେଟ କିପର ଭାବେ ମଧ୍ୟ ଏହି ରେକର୍ଡ ହାସଲ କରିଛନ୍ତି ମାହି । ଏହାପୂର୍ବରୁ ଶ୍ରୀଲଙ୍କାର କୁମାର ସାଙ୍ଗାକାରା ୬୭୮ ଜଣ ବ୍ୟାଟସମ୍ୟାନଙ୍କୁ ଆଉଟ କରି ଏହି ରେକର୍ଡର ଅଧିକାରୀ ଥିଲେ ।

ଧୋନି ଏବେ ପର୍ଯ୍ୟନ୍ତ ଟେଷ୍ଟ ମ୍ୟାଚରେ ୨୫୬ଟି କ୍ୟାଚ ଓ ୩୮ଟି ଷ୍ଟମ୍ପିଂ କରିଥିବା ବେଳେ ଦିନିକିଆ ମ୍ୟାଚରେ ୩୦୬ଟି କ୍ୟାଚ ଓ ୧୧୩ ଷ୍ଟମ୍ପିଂ ଏବଂ ଟି-୨୦ରେ ୫୪ଟି କ୍ୟାଚ ଓ ୩୩ଟି ଷ୍ଟମ୍ପିଂ କରିଛନ୍ତି । ଧୋନିଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକାର ମାର୍କ ବାଉଚର ୯୯୮ ଓ ଆଡାମ ଗିଲଖ୍ରିଷ୍ଟ ୯୦୫ ଜଣଙ୍କୁ ପ୍ୟାଭିଲିଅନ ପଠାଇ ଏହି ତାଲିକାର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।