ଚର୍ଚ୍ଚାରେ ମୁମ୍ବାଇର ‘ଧୋନି ଆଣ୍ଡ କୋହଲି’ ରେସ୍ତୋରାଁ

51

ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନି ଏ ଦୁଇ ଜଣ ଦେଶର ଲୋକପ୍ରିୟ କ୍ରିକେଟ ତାରକା। ଧୋନୀ ଥିଲେ ଭାରତୀୟ ଦଳର କ୍ୟାପ୍‌ଟେନ୍‌ ଓ ତାଙ୍କ ଅଧିନାୟକତ୍ୱରେ ବହୁ ସଫଳତା ହାସଲ କରିଛି ଭାରତୀୟ କ୍ରିକେଟ ଦଳ। ତେବେ ବର୍ତ୍ତମାନର ଅଧିନାୟକ ହେଉଛନ୍ତି ବିରାଟ କୋହଲି। ବିରାଟଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ମଧ୍ୟ ବହୁ ସଫଳତା ହାସଲ କରି ସାରିଲାଣି ଓ ଆଗକୁ ମଧ୍ୟ ଅନେକ ନୂଆ କୀର୍ତ୍ତିମାନ ହାସଲ କରିବ।

ତେବେ ଧୋନି ଓ କୋହଲିଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଶୁଣିବାକୁ ମିଲେ ଅନେକ ଖଟାମିଠା କାହାଣୀ। ବିଭିନ୍ନ ପ୍ରସଙ୍ଗରେ ଅନେକ ସମୟରେ ଦେଖିବାକୁ ମିଳେ ଦୁଇ ଜଣଙ୍କ ଭିତରେ ଭିନ୍ନ ମତ। ତଥାପି କେବେ ବି ଦୁହେଁ କୌଣସି ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇ ନାହାନ୍ତି। ତେବେ ସେମାନଙ୍କ ଭିତରେ ସମ୍ପର୍କ ବେଶ ଭଲ ବୋଲି ଧରି ନେବାକୁ ହେବ।

ମୁମ୍ବାଇର ଜଣେ ହୋଟେଲିୟର ଏଇ ଦୁଇ ସଫଳ କ୍ରିକେଟରଙ୍କ ନାମରୁ ଫାଇଦା ଉଠାଇବା ଲାଗି ପ୍ରୟାସ କରିଛନ୍ତି। ସେ ମୁମ୍ବାଇର କାନ୍ଦି ଭାଲି ଠାରେ ଖୋଲିଛନ୍ତି ଏକ ରେସ୍ତୋରାଁ-ନାମ ରଖିଛନ୍ତି ‘ଧୋନୀ-ଆଣ୍ଡ କୋହଲି’ ରେସ୍ତୋରାଁ। ନିକଟରେ ଜଣାଶୁଣା କ୍ରିକେଟ ଷ୍ଟାଟିଷ୍ଟିସିଆନ୍‌ ମୋହନ ଦାସ ମେନନ ଏଇ ରେସ୍ତୋରାଁର ଫଟୋ ଟ୍ଵିଟରରେ ସେୟାର କରିବା ପରେ ଏହା ଚର୍ଚ୍ଚାକୁ ଆସିଛି।

ଏହାପରେ ଧୋନି ଆଣ୍ଡ କୋହଲି ରେସ୍ତୋରାଁକୁ କ୍ରିକେଟ ପ୍ରେମୀଙ୍କ ସୁଅ ଛୁଟିଥିଲା। ଯଦିଓ ବାସ୍ତବତା ହେଉଛି ଧୋନି ଓ କୋହଲିଙ୍କର ଏହି ରେସ୍ତୋରାଁ ସହିତ କୌଣସି ସମ୍ପର୍କ ନାହିଁ କିନ୍ତୁ ସେମାନଙ୍କର ଫ୍ୟାନମାନେ ଏଠାକୁ ଛୁଟି ଆସୁଛନ୍ତି।