ଗୋପାଳନ କ୍ଷେତ୍ରରେ ଧୋନୀ ନମ୍ବର ୱାନ୍ । ସର୍ବଶ୍ରେଷ୍ଠ ଗୋପାଳନ ଭାବେ ମିଳିଲା ସାର୍ଟିଫିକେଟ୍, ହେଲେ ସମ୍ମାନିତ

450

 କ୍ରିକେଟ ପଡିଆରେ ଅନେକ ରେକର୍ଡ ସୃଷ୍ଟି କରି ନିକଟରେ ଅବସର ନେଇଥିବା କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନୀଙ୍କୁ ଏବେ ଆଉ ଏକ ସମ୍ମାନ ମିଳିଛି | କ୍ରିକେଟରୁ ଅବସର ନେବା ପରେ ପଶୁପାଳନ ଓ ଚାଷରେ ଧ୍ୟାନ କେନ୍ଦ୍ରିତ କରିଥିବା ଧୋନୀଙ୍କୁ ପୂର୍ବ ଭାରତର ସର୍ବଶ୍ରେଷ୍ଠ ଗୋପାଳକ ଭାବେ ସମ୍ମାନିତ କରାଯାଇଛି | ଝାଡ଼ଖଣ୍ଡର ରାଞ୍ଚିରେ ଚାଲିଥିବା କୃଷକ ମେଳାରେ ପୂର୍ବ ଭାରତର ୧ନମ୍ବର ଗୋପାଳକ ଭାବେ ଧୋନୀଙ୍କୁ ଏହି ପୁରସ୍କାର ଦିଆଯାଇଛି |

କୃଷକ ମେଳାରେ ଧୋନୀଙ୍କ ପକ୍ଷରୁ ତାଙ୍କ ଫାର୍ମରେ କାମ କରୁଥିବା ଗୋପାଳକ କୁନାଲ ଗୌରବ ଏହି ପୁରସ୍କାର ଗ୍ରହଣ କରିଛନ୍ତି | କୁନାଲ କହିଛନ୍ତି ଯେ ଧୋନୀଙ୍କ ଫାର୍ମରେ ଏବେ ୭୩ଟି ଗାଈ ଥିବାବେଳେ କ୍ଷୀର ଲିଟର ପିଛା ୫୫ ଟଙ୍କାରେ ବିକ୍ରି କରାଯାଉଛି | ଧୋନୀ ଫ୍ରେଜିୟାନ ଓ ସାହିୱାଲ ପ୍ରଜାତିର ଗାଈ ରଖିଥିବାବେଳେ ସାହିୱାଲ ପ୍ରଜାତିର ଗାଈ ଦିନକୁ ୧୨ ଲିଟର କ୍ଷୀର ଦେଉଛନ୍ତି | ସେହିପରି ଫ୍ରେଜିୟାନ ପ୍ରଜାତିର ଗାଈ ୩୨ ଲିଟର କ୍ଷୀର ଦେଉଛନ୍ତି |

ସୂଚନା ଥାଉ କି କ୍ରିକେଟରୁ ଅବସର ନେବା ପରେ ଧୋନୀ ଚାଷ ଓ ଗୋପାଳନରେ ବ୍ୟସ୍ତ ଅଛନ୍ତି | ଧୋନୀ ଶେଷ ଥର ପାଇଁ ନିଜ ଅନ୍ତରାଷ୍ଟ୍ରୀୟ ମ୍ୟାଚ ୨୦୧୯ ମସିହାରେ ଖେଳିଥିଲେ | କୃଷକ ମେଳାରେ ମୁଖ୍ୟ ଅତିଥି ଭାବରେ ଝାଡ଼ଖଣ୍ଡ ବିଧାନସଭା ଅଧ୍ୟକ୍ଷ ରବିନ୍ଦ୍ରନାଥ ମାହାତୋ ଯୋଗ ଦେଇଥିଲେ | ଏହି ଅବସରରେ ସେ କହିଛନ୍ତି ଯେ ଆଜି ଯିଏ ଚାଷ କାମ କରୁଛନ୍ତି, ସେମାନଙ୍କୁ ସମ୍ମାନିତ କରାଯିବା ଆବଶ୍ୟକ | ଚାଷକୁ ନ ଛାଡି ଏହା ସହ ଜଡିତ ରହିବାକୁ ସେ ପରାମର୍ଶ ଦେଇଥିଲେ |