ଆଇପିଏଲର ଚାଲୁଥିବା ବେଳେ ପୁଣିଥରେ ଭାଇରାଲ ହେଲା ଧୋନୀଙ୍କ ଫଟୋ । କାହିଁକି ଏମିତି କରନ୍ତି ଧୋନୀ, ପୂରା କାହାଣୀ କହିଲେ ଅମିତ ।

237

କନକ ବ୍ୟୁରୋ : ୪୦ ବର୍ଷ ବୟସରେ ବି କ୍ରିକେଟରେ ଧମାଲ କରୁଛନ୍ତି ଚେନ୍ନାଇ ସୁପର କିଙ୍ଗସର ମହେନ୍ଦ୍ର ସିଂ ଧୋନୀ । ଆଇପିଏଲରେ ଧୋନୀ ପୁଣିଥରେ ନିଜକୁ ପ୍ରମାଣିତ କରିଛନ୍ତି । ଅଧିନାୟକ ପଦ ହାତେଇବା କ୍ଷଣି ପୁଣିଥରେ ଚେନ୍ନାଇର ବିଜୟ ରଥ ଗଡିବା ଆରମ୍ଭ ହୋଇଛି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଶେଷ ଆଡକୁ ଦ୍ରୁତ ରନ୍ ସଂଗ୍ରହ କରି ପୁଣିଥରେ ମାହି ଫର୍ମକୁ ଫେରିଥିବାର ସଂକେତ ଦେଇଛନ୍ତି । ତେବେ ଏହି ମ୍ୟାଚର ଏକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଧୋନୀ ନିଜର ବ୍ୟାଟରେ କିଛି ଛିଣ୍ଡାଉଥିବାର ଦେଖିବାକୁ ମିଳିଛି । ଏହା ପ୍ରଥମ ଥର ନୁହେଁ ଯେବେ ଧୋନୀ ବ୍ୟାଟ ସହ ଏଭଳି କରିଛନ୍ତି । ଏହାପୂର୍ବରୁ ଅନେକଥର ଏଭଳି ଦେଖିବାକୁ ମିଳିଛି । ଆଉ ଧୋନୀ କାହିଁକି ଏଭଳି କରିଥାନ୍ତି ତାହା ଉପରୁ ପରଦା ହଟାଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଅମିତ ମିଶ୍ରା ।

ଅମିତ୍ ମିଶ୍ରା ଟ୍ୱିଟରରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ, ଯଦି ଆପଣ ଭାବୁଥାନ୍ତି ଧୋନୀ ନିଜର ବ୍ୟାଟ ଖାଉଛନ୍ତି ତେବେ ଏହା ସମ୍ପୂର୍ଣ୍ଣ ଭୁଲ । କାରଣ ଧୋନୀ ନିଜ ବ୍ୟାଟରୁ ଅନେକ ସମୟରେ ଟେପ୍ ବାହାର କରିଥାନ୍ତି । ଧୋନୀ ସବୁବେଳେ ନିଜର ବ୍ୟାଟକୁ ସଫା ରଖିବାକୁ ପସନ୍ଦ କରିଥାନ୍ତି । ଯେଉଁଥିପାଇଁ ଧୋନୀଙ୍କ ବ୍ୟାଟରେ ଆପଣ କେବେ ବି ଗୋଟିଏ ସୂତା ବା ଟେପ୍ ଛିଣ୍ଡିଥିବାର ଦେଖିବାକୁ ପାଇବେନି ।

ଚଳିତ ବର୍ଷ ଆଇପିଏଲ ଖେଳୁନାହାନ୍ତି ଅମିତ ମିଶ୍ରା । ମେଗା ନିଲାମୀରେ ଅମିତଙ୍କୁ କୌଣସି ଟିମ୍ କିଣିନଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ସେ ଯେକୌଣସି ଭୂମିକାରେ ଉପଲବ୍ଧ ରହିବେ ବୋଲି କହିଥିଲେ । ଅମିତ ଏବେ ଆଇପିଏଲ ଖେଳୁନଥିବା ବେଳେ ସୋସିଆଲ ମିଡ଼ିଆରେ ବେଶ ସକ୍ରିୟ ରହିଛନ୍ତି । ଚଳିତବର୍ଷ ଚେନ୍ନାଇ ନିଜର ଚତୁର୍ଥ ବିଜୟ ହାସଲ କରିଛି । ଦିଲ୍ଲୀ ବିପକ୍ଷରେ ବିଜୟ ସହ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନକୁ ଉଠିଛି ଚେନ୍ନାଇ । ଏପରିକି ପୁଣିଥରେ ପ୍ଲେ-ଅଫରେ ଖେଳିବା ପାଇଁ ଚେନ୍ନାଇ ପାଇଁ ସୁଯୋଗ ସୃଷ୍ଟି ହୋଇଛି ।