ଚେନ୍ନାଇ ଟିମରୁ ଅଲଗା ହେବେ କି ଧୋନୀ? ଟିମ୍ ମାଲିକ କଲେ ବଡ ଖୁଲାସା, କହିଲେ ଧୋନୀ ଚାହୁଁଛନ୍ତି ଏମିତି… ।

451

କନକ ବ୍ୟୁରୋ : ୨୦୨୨ ଆଇପିଏଲରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ । ୮ଟି ଟିମ୍ ବଦଳରେ ୧୦ଟି ଟିମ ଟାଇଟଲ ପାଇଁ ଲଢେଇ କରିବେ । ଆଉ ଏହାପୂର୍ବରୁ ହେବ ମହାନିଲାମୀ । ଏହି ମହାନିଲାମୀରେ ଅନେକ ଖେଳାଳୀଙ୍କ ଦଳ ବଦଳିଯିବ । ପୁରୁଣା ଦଳ କେବଳ ମନପସନ୍ଦର ୪ ଜଣ ଖେଳାଳୀଙ୍କୁ ନିଜ ଟିମରେ ରଖିପାରିବେ । ସର୍ବାଧିକ ୨ ଜଣ ବିଦେଶୀ ଖେଳାଳୀଙ୍କୁ ମନ ପସନ୍ଦର ଖେଳାଳୀ ଭାବେ ବାଛିପାରିବେ ଟିମ୍ । ଆଉ ଏସବୁ ଭିତରେ ୨୦୨୧ର ଆଇପିଏଲ ଚାମ୍ପିୟନ ଚେନ୍ନାଇକୁ ଲାଗିପାରେ ବଡ ଝଟକା । ମହାନିଲାମୀ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସର ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ବଡ ସୂଚନା ଦେଇଛନ୍ତି ଚେନ୍ନାଇ ଟିମର ମାଲିକ ଏନ୍ ଶ୍ରୀନିବାସନ ।

ଶ୍ରୀନିବାସନ କହିଛନ୍ତି, ଧୋନୀ ଚାହୁଁନାହାନ୍ତି ଯେ ତାଙ୍କୁ ପୁଣିଥରେ ଚେନ୍ନାଇ ରିଟେନ କରୁ । ଆଉ ତାହା ବି ପୁଣି ଏତେ ଟଙ୍କା ଦେଇ । ଧୋନୀ ଚାହୁଁଛନ୍ତି ତାଙ୍କ ପଛରେ ଏତେ ଟଙ୍କା ଖର୍ଚ୍ଚ କରିବା ଉଚିତ୍ ନୁହେଁ । ତେବେ ଧୋନୀ ଆଗାମୀ ସିଜିନ ଚେନ୍ନାଇରୁ ଖେଳନ୍ତୁ ବୋଲି ସେ ଚାହୁଁଥିବା କହିଛନ୍ତି ଶ୍ରୀନିବାସନ । ଅନ୍ୟପଟେ ଶ୍ରୀନିବାସନ ଏମିତି କହିବା ସଂକେତ ଦେଉଛି ଯେ, ଆଗାମୀ ସିଜିନରେ ଆଇପିଏଲ ବୋଧହୁଏ ଖେଳିବାକୁ ଚାହୁଁନାହାନ୍ତି ଧୋନୀ । କିନ୍ତୁ ଚଳିତ ଆଇପିଏଲ ଶେଷ ହେବା ପରେ ଧୋନୀ ସ୍ପଷ୍ଟ କରିଥିଲେ ଯେ, ୨୦୨୨ ଆଇପିଏଲ ଖେଳିବେ ବୋଲି । କିନ୍ତୁ ତାଙ୍କୁ ରିଟେନ କରି ଏତେ ଟଙ୍କା ଫ୍ରାଞ୍ଚାଇଜ ଖର୍ଚ୍ଚ ନକରୁ, ଧୋନୀଙ୍କ ଏଭଳି କହିବା ପଛରେ କଣ ସସପେନ୍ସ ଲୁଚି ରହିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ ଖରାପ ଫର୍ମ କାରଣରୁ ଧୋନୀ ଏପରି କହୁଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ୨୦୨୧ ଆଇପିଏଲରେ ସବୁଠୁ ନିରାଶଜନକ ପ୍ରଦର୍ଶନ କରିଥିଲେ ଧୋନୀ । ୧୬ଟି ମ୍ୟାଚରୁ ମାତ୍ର ୧୧୪ ରନ୍ କରିବାକୁ ସକ୍ଷମ ହୋଇଥିଲେ ଧୋନୀ । ଆଉ ଏଥିରେ ତାଙ୍କର ସର୍ବାଧିକ ସ୍କୋର ଥିଲା ମାତ୍ର ୧୮ ରନ୍ । ଜଣେ ଶ୍ରେଷ୍ଠ ଫିନିସର ଭାବେ ଜଣାଶୁଣା ଥିବା ଧୋନୀଙ୍କ ଏଭଳି ପ୍ରଦର୍ଶନ ଚେନ୍ନାଇ ପ୍ରଂଶସକଙ୍କୁ ନିରାଶ କରିଥିଲା । କିନ୍ତୁ ଦଳ ଚାମ୍ପିୟନ ହେବା ଫଳରେ ଧୋନୀଙ୍କ ପ୍ରଦର୍ଶନକୁ ନେଇ କେହି ଏତେଟା ପ୍ରଶ୍ନ ଉଠାଇ ନଥିଲେ । କିନ୍ତୁ ନିଜ ପ୍ରଦର୍ଶନକୁ ଅନୁଶୀଳନ କରିବା ପରେ ଧୋନୀ ବୋଧହୁଏ ଏପରି କହୁଥାଇପାରନ୍ତି । ଧୋନୀ ଏବେ ୪୦ ବର୍ଷରେ ପାଦ ଦେଲେଣି, ତେଣୁ ପୂର୍ବଭଳି ଆଉ ଏତେଟା ଆକ୍ଟିଭ ନାହାନ୍ତି ଧୋନୀ ।

ଅନ୍ୟପଟେ ୨୦୦୮ରୁ ଧୋନୀ ଚେନ୍ନାଇ ସୁପର କିଙ୍ଗସ ସହ ଯୋଡି ହୋଇ ରହିଛନ୍ତି । ଆଇପିଏଲ ଆରମ୍ଭରୁ ଚେନ୍ନାଇ ଟିମରୁ ଖେଳୁଛନ୍ତି ଧୋନୀ । ମଝିରେ ୨ ବର୍ଷ ଚେନ୍ନାଇ ଟିମକୁ ବ୍ୟାନ୍ କରାଯିବା କାରଣରୁ ପୁଣେ ଟିମ ପକ୍ଷରୁ ଖେଳିଥିଲେ ଧୋନୀ । ଆଉ ସବୁଠୁ ବଡ କଥା ହେଲା, ୨୦୧୦, ୨୦୧୧, ୨୦୧୮ ଏବଂ ୨୦୨୧ରେ ଦଳକୁ ଚାମ୍ପିୟନ କରିଛନ୍ତି ଧୋନୀ । ଯାହା ତାଙ୍କୁ ଚେନ୍ନାଇ ସୁପର କିଙ୍ଗସ ତଥା ଆଇପିଏଲର ସଫଳ କ୍ୟାପଟେନ ଭାବେ ସାମ୍ନାକୁ ଆଣିଛି । ତେବେ ଶ୍ରୀନିବାସନ କହିଛନ୍ତି, ଧୋନୀ ହେଉଛନ୍ତି ଚେନ୍ନାଇର ଅଭିନ୍ନ ଅଙ୍ଗ । ଧୋନୀଙ୍କ ବିନା ଚେନ୍ନାଇ ନାହିଁ କି ଚେନ୍ନାଇ ବିନା ଧୋନୀ ନାହାନ୍ତି । ଏହାବାଦ୍ ଚେନ୍ନାଇ ମ୍ୟାନେଜମେଣ୍ଟ ଧୋନୀଙ୍କୁ ଦଳରେ ରଖିବାକୁ ଏକପ୍ରକାର ସ୍ଥିର କରିସାରିଛି । ରିଟେନ ବାବଦରେ ଚେନ୍ନାଇ ମ୍ୟାନେଜମେଣ୍ଟ ଭଲ ଭାବେ ଜାଣିଛି, କିନ୍ତୁ ଧୋନୀଙ୍କ କ୍ଷେତ୍ରରେ ଚେନ୍ନାଇ ପାଇଁ ରିଟେନ କୌଣସି ମହତ୍ତ୍ୱ ରଖେ ନାହିଁ । ଧୋନୀଙ୍କ ମାମଲାରେ ରିଟେନ ନିୟମକୁ ଚେନ୍ନାଇ ପ୍ରାଥମିକତା ଦେଇପାରିବନି ବୋଲି ଦଳର ବରିଷ୍ଠ ଅଧିକାରୀ କହିଛନ୍ତି । କିନ୍ତୁ ଶ୍ରୀନିବାସନଙ୍କ ଏହି ବୟାନ ଆସିବା ପରେ ଚେନ୍ନାଇ ଫ୍ୟାନ କିଛି ମାତ୍ରାରେ ମନ ଉଣା କରିଛନ୍ତି ।