ଧୋନୀଙ୍କ ଜବରଦସ୍ତ ବ୍ୟାଟିଂ : ନବମ ଥର ପାଇଁ ଫାଇନାଲ ଚେନ୍ନାଇ ସୁପରକିଙ୍ଗ୍ସ

Advertisment
ଧୋନୀଙ୍କ ଜବରଦସ୍ତ ବ୍ୟାଟିଂ : ନବମ ଥର ପାଇଁ ଫାଇନାଲ ଚେନ୍ନାଇ ସୁପରକିଙ୍ଗ୍ସ

କନକ ବ୍ୟୁରୋ : ଆଇପିଏଲ୍‌କୁ ପୁଣି ଥରେ ଚେନ୍ନାଇ ସୁପରକିଙ୍ଗ୍ସର ମହାଚମକ ଫେରିଛି । ଅତୁଳନୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଜବରଦସ୍ତ ଧୂଲେଇ ବଳରେ ପ୍ରଥମ କ୍ବାଲିଫାୟରକୁ ନାଟକୀୟ ଭାବେ ଜିତି ନେଇଛି ଚେନ୍ନାଇ । ରବିବାର ଟେବୁଲ ଟପର ଦିଲ୍ଲୀ କ୍ୟାପିଟାଲ୍ସକୁ ରୋମାଞ୍ଚକ ଭାବେ ୪ ୱିକେଟ୍‌ରେ ପରାସ୍ତ କରି ନବମ ଥର ପାଇଁ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଛି ଏହି ତିନି ଥର ବିଜେତା ଦଳ । ଲିଗ୍ ପର୍ଯ୍ୟାୟରେ ହ୍ୟାଟ୍ରିକ୍ ପରାଜୟ ବରଣ କରି ପ୍ରଥମ କ୍ବାଲିଫାୟର ଖେଳିବାକୁ ଆସିଥିଲା ଚେନ୍ନାଇ । ହେଲେ ଠିକଣା ସମୟରେ ଫର୍ମକୁ ଫେରି ପ୍ରଥମ ଦଳ ଭାବେ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିନେଇଛି ।

ରବିବାରର ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ‘ଓଲ୍ଡ ଇଜ୍ ଗୋଲ୍ଡ’ ବୋଲି ଧୋନି ରବିବାର ପୁଣି ଥରେ ପ୍ରମାଣିତ କରିଥିଲେ। ଶେଷ ଦୁଇ ଓଭରରେ ଧମାକାଦାର ବ୍ୟାଟିଂ କରି ଧୋନି ହିଁ ଚେନ୍ନାଇକୁ ଚମକପ୍ରଦ ଉପହାର ଦେଇଥିଲେ । ରବିନ ଉଥା‌ପ୍ପା ଓ ଋତୁରାଜ ଗାଏକ୍ବାଡ୍ ମୂଳଦୁଆ ପକାଇବା ପରେ ମାହି ( ୬ ବଲ୍, ୧୮ ରନ୍, ୧ ଛକା, ୩ ଚୌକା) ପୁଣି ଥରେ ଫିନିସର ଭୂମିକା ତୁଲାଇ ଗୋଟିଏ ଛକା ଓ ତିନିଟି ଚୌକା ବଳରେ ଦିଲ୍ଲୀ ପଞ୍ଝାରୁ ଫାଇନାଲ୍ ଟିକେଟ ଛଡ଼ାଇ ନେଇଥିଲେ। ଦିଲ୍ଲୀ ପରାଜିତ ହୋଇଥିଲେ ମଧ୍ୟ ତା ପାଖରେ ଫାଇନାଲକୁ ଯିବାର ଆଉ ଏକ ସୁଯୋଗ ରହିଛି । ଦ୍ବିତୀୟ କ୍ବାଲିଫାୟରରେ ଏଲିମିନେଟର ମ୍ୟାଚ୍‌ର ବିଜେତାକୁ ହରାଇ ପାରିଲେ ଫାଇନାଲକୁ ଯିବାର ସୁଯୋଗ ଲାଭ କରିବ ଦିଲ୍ଲୀ ।

୧୭୩ ରନ୍‌ର ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଚେନ୍ନାଇ ସୁପରକିଙ୍ଗ୍ସ ମାତ୍ର ୩ ରନ୍‌ରେ ଓପନର ଫାଫ୍ ଡୁ’ ପ୍ଲେସିସ୍‌ଙ୍କୁ ହରାଇଥିଲା । ତେବେ ଏହାର କୌଣସି ପ୍ରଭାବ ଦଳର ରନ୍ ଗତି ଉପରେ ପଡ଼ି ନଥିଲା । ଋତୁରାଜ ଗାଏକ୍ବାଡ୍ ଓ ରବିନ ଉଥାପ୍ପା ଦ୍ବିତୀୟ ୱି‌କେଟ୍‌ରେ ୧୧୦ ରନ୍ ଯୋଡ଼ି ଦଳର ସ୍ଥିତି ମଜବୁତ କରିନେଇଥିଲେ । ଉଭୟ ଅର୍ଦ୍ଧଶତକ ହାସଲ କରିଥିଲେ। ଚେନ୍ନାଇ ଦ୍ରୁତ ଗତିରେ ବିଜୟ ଆଡ଼କୁ ଅଗ୍ରସର ହେଉଥିଲା ବେଳେ ସୀମା ରେଖା ନିକଟରେ ଶ୍ରେୟସ୍ ଆୟର ଏକ ଅବିଶ୍ବସନୀୟ କ୍ୟାଚ୍ ନେଇ ରବିନ ଉଥାପ୍ପାଙ୍କୁ ପ୍ୟାଭିଲିୟନ ଫେରାଇବା ପରେ ମ୍ୟାଚ୍‌ର ଗତି ପଥ ବଦଳିଥିଲା। ସେହିଭଳି ଶ୍ରେୟସ୍ ମଧ୍ୟ କାଗିସୋ ରବାଦାଙ୍କ ସହଯୋଗରେ ଅମ୍ବାତି ରାୟୁଡୁଙ୍କୁ ରନ୍‌ଆଉଟ୍ କରି ଚେନ୍ନାଇର ଚିନ୍ତା ବଢ଼ାଇ ଦେଇଥିଲେ ।

ଅଭେଶ ଖାନ୍ ଠିକଣା ସମୟରେ ଭଲ ବ୍ୟାଟିଂ କରୁଥିବା‌ ଋତୁରାଜଙ୍କୁ ପ୍ୟାଭିଲିୟନ ଫେରାଇ ଦିଲ୍ଲୀକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ। ଶେଷ ଦୁଇ ଓଭରରୁ ୨୪ ରନ୍‌ ଦରକାର ଥିଲା ବେଳେ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଛକା ପାଇଁ ଚେନ୍ନାଇ ଊନ୍ନବିଂଶ ଓଭରରୁ ୧୧ ରନ୍ ଅମଳ କରି ନେଇଥିଲା। ଶେଷ ୬ ବଲ୍‌ରୁ ବିଜୟ ପାଇଁ ୧୩ ରନ୍‌ ଦରକାର ଥିଲା ବେଳେ ପ୍ରଥମ ବଲ୍‌ରେ ମୋଇନ ଅଲ୍ଲୀ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ତେବେ ଧୋନି ଧମାକାରେ ଚେନ୍ନାଇ ୨ ବଲ୍ ପୂର୍ବରୁ ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରି ନେଇଥିଲା । ତିନିଟି ଚୌକା ମାରି ମାହି ହିଁ ଚେନ୍ନାଇର ଏହି ନାଟକୀୟ ବିଜୟରେ ମୁଣ୍ଡି ମାରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe