ନିୟମ ଉଲ୍ଲଂଘନ କରିଛନ୍ତି ଧୋନି । ବଳିଦାନ ଲୋଗୋ ଥିବା ଗ୍ଲୋଭସ ପ୍ରସଙ୍ଗରେ ବିସିସିଆଇକୁ ଜବାବ ଦେଲା ଆଇସିସି

373

ଧୋନିଙ୍କ ବଳିଦାନ ଲୋଗୋ ଥିବା ଗ୍ଲୋଭସ ପ୍ରସଙ୍ଗରେ ବଡ ବୟାନ ଦେଇଛି ଆଇସିସି । ଗୋଟିଏ ପଟେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଏହି ଗ୍ଲୋଭସ ପିନ୍ଧି ଧୋନି ପ୍ରଂଶସା ସାଉଁଟିଥିବା ବେଳେ ଏବେ ଆଇସିସି ଏହି ଗ୍ଲୋଭସକୁ ନେଇ ମୁହଁ ଖୋଲିଛି । ବିସିସିଆଇକୁ ଜବାବ ଦେବା ଆଇସିସି କହିଛି, ଏହି ଗ୍ଲୋଭସ ପିନ୍ଧି ଧୋନି ନିୟମର ଉଲ୍ଲଂଘନ କରିଛନ୍ତି । ଧୋନି ଏହି ଗ୍ଲୋଭସ ପିନ୍ଧିବା ଉଚିତ ନଥିଲା । କୌଣସି ଖେଳାଳି ଗ୍ଲୋଭସ ଉପରେ ନିଜସ୍ୱ ବାର୍ତ୍ତା ଦେଇପାରିବେ ନାହିଁ ବୋଲି କହିଛି ଆଇସିସି ।

ଏହାପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱକପ ମ୍ୟାଚରେ ଏହି ଗ୍ଲୋଭସ ପିନ୍ଧି ମୈଦାନକୁ ଓହ୍ଲାଇଥିଲେ ଧୋନି । ଯାହାକୁ ନେଇ ଆଇସିସି ଆପତ୍ତି ଉଠାଇଥିଲା । ଧୋନି ଏଭଳି ଗ୍ଲୋଭସ ପିନ୍ଧି ମୈଦାନକୁ ନ ଓହ୍ଲାନ୍ତୁ ବୋଲି ବିସିସିଆଇକୁ ଅପିଲ କରିଥିଲା ଆଇସିସି । ନିୟମ ଅନୁଯାୟୀ, ଅର୍ନ୍ତଜାତୀୟ ଇଭେଣ୍ଟରେ କୌଣସି ଖେଳାଳି ନିଜ ଜର୍ସି କିମ୍ବା ଅନ୍ୟ ସାମଗ୍ରୀରେ ଏଭଳି କୌଣସି ଚିହ୍ନ ବ୍ୟବହାର ନ କରନ୍ତୁ ଯାହା ଧର୍ମ, ରାଜନୀତି କିମ୍ବା କୌଣସି ବ୍ୟକ୍ତିଙ୍କ ଭାବନାକୁ କଷ୍ଟ ଦେଉଥିବ । ତେବେ ଆଇସିସିର ଏହି ଅପିଲ ପରେ ଜବାବରେ ବସିସିଆଇ କହିଥିଲା ଗ୍ଲୋଭସରୁ ଏଭଳି ଲୋଗୋ ହଠାଇବାର କୌଣସି ଆବଶ୍ୟକତା ନାହିଁ ।

ଧୋନିଙ୍କ ସପକ୍ଷରେ କେବଳ ବିସିସିଆଇ ନୁହେଁ ପୂରା ଦେଶ ଓ ସାଥୀ ଖେଳାଳି ମଧ୍ୟ ବାହାରିଥିଲେ । ଏପରିକି ପଡିଆ ମଝିରେ ଯେତେବେଳେ ପାକିସ୍ତାନ ଖେଳାଳିଙ୍କୁ ନମାଜ ପଢିବାକୁ ଅନୁମତି ମିଳୁଛି ସେତେବେଳେ ଧୋନି ଏହି ଗ୍ଲୋଭସ ପିନ୍ଧିବାରେ ଅସୁବିଧା କେଉଁଠି ବୋଲି ସୋସିଆଲ ମିଡିଆରେ ଆଇସିସିକୁ ପ୍ରଶ୍ନ ପଚାରିଛନ୍ତି ୟୁଜର୍ସ । ତେବେ ଆଇସିସି ଏହି ପ୍ରସଙ୍ଗରେ ନିଜର ମତ ସ୍ପଷ୍ଟ କରିବା ପରେ ଧୋନି ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ମ୍ୟାଚରେ ଗ୍ଲୋଭସ ପରିବର୍ତ୍ତନ କରୁଛନ୍ତି ନା ବଳିଦାନ ଲୋଗୋ ଥିବା ଗ୍ଲୋଭସ ପିନ୍ଧୁଛନ୍ତି ତାହା ଉପରେ ବିଶ୍ୱର ସମସ୍ତ କ୍ରିକେଟପ୍ରେମୀଙ୍କ ନଜର ରହିବ ।