ସେପ୍ଟେମ୍ବର ୧୯ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ ! ଅଭିଯାନ ପୂର୍ବରୁ ପରସ୍ପରକୁ ଅଭିବାଦନ ଜଣାଇଲେ ଦୁଇ ଦଳର ତାରକା ଖେଳାଳୀ ।

49

ଗତକାଲି ଠାରୁ ଆରମ୍ଭ ହୋଇଛି ଏସିଆର ସବୁଠାରୁ ବଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଏସିଆ କପ୍ । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ବାଂଲାଦେଶ ଏବଂ ଶ୍ରୀଲଙ୍କା । ଯେଉଁଥିରେ ଶ୍ରୀଲଙ୍କାକୁ ଏକ ବଡ ରନ ବ୍ୟବଧାନରେ ପରାସ୍ତ କରିଥିଲା ବାଂଲାଦେଶ । ତେବେ ସମସ୍ତଙ୍କ ନଜର ସେପ୍ଟେମ୍ବର ୧୯ ତାରିଖକୁ । କାରଣ ଏହି ଦିନ ମୁହାଁମୁହିଁ ହେବେ ଦୁଇ ପ୍ରମୁଖ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଦଳ ଭାରତ ଏବଂ ପାକିସ୍ତାନ ।

ତେବେ ଏସିଆ କପ୍ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ଦୁବାଇରେ ଥିବା ଆଇସିସି ଏକାଡେମିରେ ଅଭ୍ୟାସ ଆରମ୍ଭ କରିଛି । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ମଧ୍ୟ ସେଠାରେ ତିନି ଦିନ ପୂର୍ବରୁ ଡେରା ପକାଇଛି। ଏହି ଅବସରରେ ଉଭୟ ଦଳର ଦୁଇ ଅଭିଜ୍ଞ ତାରକା ମହେନ୍ଦ୍ର ସିଂହ ଧୋନି ଓ ସୋଏବ ମଲ୍ଲିକ କରମର୍ଦ୍ଦନ କରିବା ସହ ପରସ୍ପରକୁ ଅଭିବାଦନ ଜଣାଉଥିବା ଦେଖିବାକୁ ମିଳିଛି। ଧୋନି, ଅମ୍ବାତି ରାୟୁଡୁ, ମନୀଷ ପାଣ୍ଡେ, କେଦାର ଯାଦବ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର ଓ ରୋହିତ ଶର୍ମା ଅଭ୍ୟାସ କରିଥିଲେ। ଭାରତ ତା’ ଅଭିଯାନ ମଙ୍ଗଳବାର ହଂକଂ ବିପକ୍ଷରେ ଆରମ୍ଭ କରିବ। ପରଦିନ ପାକିସ୍ତାନ ସହ ମୁକାବିଲା କରିବ।