ପୁଣି ଖବରରେ ଢିଙ୍କିଆ: ପସ୍କୋ ବେଳେ ବିବାଦରେ, ଏବେ ଜେଏସଡବ୍ଲ୍ୟୁ ପାଇଁ ଉତ୍ତେଜନା

146

କନକ ବ୍ୟୁରୋ: ପୁଂଜିଭୁତ ଅସନ୍ତୋଷ ନା ଶିଳ୍ପାୟନକୁ ବିରୋଧ କରିବାର ମାନସିକତା ପୁଣି ଢିଙ୍କିଆକୁ ବିବାଦୀୟ କରିଛି, ତାର କାରଣ ଖୋଜିବାକୁ ଆମେ ଚେଷ୍ଟା କରିଥିଲୁ । ପାରମ୍ପାରିକ ଭାବେ ଧାନ, ପାନ, ମୀନ ଉପରେ ନିର୍ଭର କରି ଚଳି ଆସୁଥିବା ଲୋକେ ନିଜର ଅସୁରକ୍ଷିତ ଭବିଷ୍ୟତକୁ ନେଇ ସନ୍ଦିହାନ ହେବା ପରେ ପ୍ରତିକ୍ରିୟାଶୀଳ ହୋଇଥିବା ଜଣାପଡିଛି ।

ପୂର୍ବରୁ ଢିଙ୍କିଆ ପଂଚାୟତରେ ଥିବା ପାଟଣା ଏବଂ ମାହାଳ ଗ୍ରାମକୁ ଅଲଗା ରାଜସ୍ୱ ଭାବେ ଘୋଷଣା କରାଯିବା ପରେ ଗାଁ ଗାଁ ମଧ୍ୟରେ ଏକ ଅସହଯୋଗ ସ୍ଥିତି ସୃଷ୍ଟି ହୋଇଥିଲା । ପସ୍କୋ ପାଇଁ ଅଧିକୃତ ହୋଇଥିବା ଜମି ଯେତେବେଳେ ଜେଏସଡବ୍ଲ୍ୟୁ ପ୍ରକଳ୍ପ ପାଇଁ ବ୍ୟବହାର ହେବ ବୋଲି ନିଷ୍ପତି ହୋଇଥିଲା, ସେତେବେଳେ ବସ୍ତୁତଃ ଆଉ କୈାଣସି ସମସ୍ୟା ହେବନାହିଁ ବୋଲି ଅନୁମାନ କରାଯାଉଥିଲା । ହେଲେ ଅଧିକୃତ ଜମିରୁ ଯେତେବେଳେ ଉଛେଦ ଆରମ୍ଭ ହେଲା, ସେତେବେଳେ ଦେଖାଦେଇଥିଲା ବିବାଦ ।

୬୦୦ରୁ ଅଧିକ ପାନବରଜ ଯାହା ଅଧିକୃତ ଜମି ଉପରେ ରହିଛି, ତାକୁ ଉଛେଦ କରିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି । ସେହିଭଳି ମାହାଳ ପାଶ୍ୱର୍ରୁ ୧୭ କମି ଯାଏଁ ରାସ୍ତା ନିର୍ମାଣ ଆରମ୍ଭ କରାଯିବାକୁ ଲକ୍ଷ୍ୟ ରହିଛି । ହେଲେ ବର୍ଷ ବର୍ଷ ଧରି ଜମି ଉପରେ ପାନବରଜ କରି ପରିବାର ପୋଷୁଥିବା ଲୋକ, ଏହାକୁ ବିରୋଧ କରୁଛନ୍ତି ।

ସରକାରୀ ଜମି ଉପରେ ଯାହାର ପାନବରଜ ରହିଥିଲା, ତାକୁ ଉଛେଦ ବେଳେ ମଧ୍ୟ କ୍ଷତିପୂରଣ ଘୋଷଣା କରାଯାଇଛି । ଡିସିମିଲ ପିଛା ୧୭ ହଜାର ୫୦୦ ଟଙ୍କା ଘୋଷଣା କରାଯାଇଛି । ହେଲେ ଲୋକେ ବିକଳ୍ପ ଜମି ପଟ୍ଟା ଦାବି କରିବା ସହ ଛକାପଂଜା ପରିସ୍ଥିତି ସୃଷ୍ଟି କରି ଆସିଛନ୍ତି । ହେଲେ ଅନ୍ୟପଟେ ୧୧ ଦଫା ଦାବି ସହ ଗୋବିନ୍ଦପୁର, ନୂଆଗାଁ ଓ ଗଡକୁଜଙ୍ଗ ଅଂଚଳରେ ଲୋକ ପ୍ରକଳ୍ପ କାର୍ଯ୍ୟ ଆଗେଇ ନେବାକୁ ଯୁକ୍ତି ରଖିଛନ୍ତି ।

ବଡ କଥା ହେଉଛି, ପ୍ରଶାସନ ପକ୍ଷରୁ ଯେତେବେଳେ ପାନବରଜ ଭାଙ୍ଗିବା ପାଇଁ ମାପଚୁପ ଆରମ୍ଭ କରାଯାଇଥିଲା, ସେତେବେଳେ କିଛି ଗ୍ରାମବାସୀ ନିଜଆଡୁ ଆସି ଏଥିରେ ସାମିଲ ହୋଇଥିଲେ । ହେଲେ ପୁଲିସ ଉପସ୍ଥିତିରେ ଚାଲିଥିବା ଏହି କାର୍ଯ୍ୟ ବେଳେ ଚାପା ଉତେଜନା ଦେଖିବାକୁ ମିଳିଥିଲା ।

ପୂର୍ବରୁ ପୁଲିସ ଓ ଢିଙ୍କିଆ ଗ୍ରାମବାସୀଙ୍କ ମଧ୍ୟରେ ଛକାପଂଜା ଦେଖିବାକୁ ମିଳିଥିଲା ଯେତେବେଳେ ପ୍ରକଳ୍ପ ବିରୋଧୀ ନେତାଙ୍କୁ ଜୋର ଜବରଦସ୍ତି ଗିରଫ କରିବା ପାଇଁ ପ୍ରଶାସନ ଉଦ୍ୟମ କରୁଥିବା ଅଭିଯୋଗ ହୋଇଥିଲା । ଏପରିକି ଢିଙ୍କିଆର ତିନି ପ୍ରବେଶ ପଥରେ ବାଉଁଶ ଫାଟକ କରି ଗ୍ରାମବାସୀ ଜଗି ରହିଥିଲେ । ଗାଁକୁ ଯେଭଳି ପୁଲିସ ପଶିପାରିବନି ସେନେଇ ଫତୱା ବି ଜାରି କରିଥିଲେ ।

ପସ୍କୋ ପାଇଁ ଅଧିକୃତ ୨୭୦୦ ଏକର ଜମି ଉପରେ ଜେଏସଡବଲ୍ୟୁ ପ୍ରକଳ୍ପ କରିବାକୁ ପ୍ରଶାସନ କରୁଥିବା ଉଦ୍ୟମ ଏବଂ ଗ୍ରାମବାସୀଙ୍କ ବିରୋଧ ଭିତରେ ଆଗାମୀ ଦିନରେ ସ୍ଥିତି କଣ ହେବ, ତାଉପରେ ନଜର ।