ଆୟରେ ବିଜେଡି ତୃତୀୟ : ୨୦୨୦-୨୧ରେ ବିଜେଡିର ଆୟ ୭୩ କୋଟି ୩୪ ଲକ୍ଷ ଟଙ୍କା, ବ୍ୟୟ ୭କୋଟି ୧ ଲକ୍ଷ; ସବୁଠାରୁ ଆଗରେ ଡିଏମକେ

243

କନକ ବ୍ୟୁରୋ : ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ ଆୟରେ ବିଜୁ ଜନତା ଦଳ ତୃତୀୟ । ଆଞ୍ଚଳିକ ଦଳମାନଙ୍କ ୨୦୨୦-୨୧ର ଆୟବ୍ୟୟକୁ ବିଶ୍ଳେଷଣ କରି ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମ ବା ଏଡିଆର ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ତଥ୍ୟ ଅନୁସାରେ ଦେଶରେ ୩୧ଟି ଆଞ୍ଚଳିକ ଦଳର ମୋଟ ଆୟ ପରିମାଣ ୫୨୯ କୋଟି ୪୧ଲକ୍ଷ ଟଙ୍କା ଥିବାବେଳେ ବିଜେଡିର ଆୟ ଥିଲା ୭୩କୋଟି ୩୪ ଲକ୍ଷ ଟଙ୍କା । ଆୟରେ ସବୁଠାରୁ ଆଗରେ ରହିଛି ଡିଏମକେ । ଡିଏମକେର ଆୟ ୧୪୯ କୋଟି ୯୫ଲକ୍ଷ ଟଙ୍କା ଥିଲା ।

ୱାଇଏସଆର କଂଗ୍ରେସ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଏହାର ଆୟ ପରିମାଣ ଥିଲା ୧୦୭କୋଟି ୯୯ଲକ୍ଷ ଟଙ୍କା । ଆୟ ତୁଳନାରେ ବ୍ୟୟକୁ ହିସାବକୁ ନେଲେ ୱାଇଏସଆର କଂଗ୍ରେସ ପ୍ରଥମ ଓ ବିଜେଡି ଦ୍ୱିତୀୟ ସ୍ଥାନରେ ରହିଛି । ବିଜେଡି ୨୦୨୦-୨୧ ଘୋଷିତ ଆୟରୁ ୯୦ଦଶମିକ ୪୪ପ୍ରତିଶତ ଖର୍ଚ୍ଚ କରିନି । ଦଳ ପକ୍ଷରୁ ପ୍ରଶାସନିକ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ସେହି ବର୍ଷ କେବଳ ୭କୋଟି ୧ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ବିଜେଡି ସମେତ ପାଞ୍ଚଟି ଆଞ୍ଚଳିକ ଦଳ ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ୨୫୦.୬୦ କୋଟି ଟଙ୍କାର ଡୋନେସନ ସଂଗ୍ରହ କରିଥିଲା । ତେବେ ୨୦୧୯-୨୦ ତୁଳନାରେ ୨୦୨୦-୨୧ରେ ବିଜେଡିର ଆୟ ପରିମାଣ କମିଛି । ୨୦୧୯-୨୦ରେ ବିଜେଡି ୯୦ କୋଟି ୩୫ଲକ୍ଷ ଟଙ୍କା ଆୟ କରିଥିଲା ।