ସାମ୍ନାକୁ ଆସିଲା ଅନ୍ଧାରୀମୂଲକ ଅନ୍ଧ ଶାସନର ନଗ୍ନ ଚିତ୍ର । କଙ୍ଗାରୁ କୋର୍ଟରେ ଗାଁରୁ ବାସନ୍ଦ ହେଲେ ୨ ପରିବାର

148

କନକ ବ୍ୟୁରୋ : ପୁଣି ସାମ୍ନାକୁ ଆସିଲା ଅନ୍ଧାରୀମୂଲକ ଅନ୍ଧ ଶାସନର ଆଉ ଏକ ନଗ୍ନ ଚିତ୍ର । କଙ୍ଗାରୁ କୋର୍ଟରେ ଗାଁରୁ ବାସନ୍ଦ ହେଲେ ଦୁଇଟି ପରିବାର । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ୍ ଗାଁରେ । ଗାଁର ସଦାଶିବ ମହାନ୍ତି ଏବଂ ଗୁରୁଚରଣ ମହାନ୍ତିଙ୍କ ପରିବାରକୁ ଆଜକୁ ପ୍ରାୟ ୬ବର୍ଷ ଧରି ବାସନ୍ଦ କରାଯାଇଛି । ଗାଁରେ ଏକ ଆଡିବନ୍ଧ ନିର୍ମାଣକୁ କେନ୍ଦ୍ର କରି ଉଭୟ ପରିବାରକୁ ନିଆଁ ପାଣି ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

ଏନେଇ ଆଜି ଉଭୟ ପରିବାର କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଦୁଇ ବାସନ୍ଦ ପରିବାର ସହିତ ଗାଁର କୌଣସି ଲୋକ କଥା ହେଲେ କିମ୍ବା ସମ୍ପର୍କ ରଖିଲେ ହଜାରେ ଟଙ୍କା ଫାଇନ ଦେବାକୁ କଙ୍ଗାରୁ କୋର୍ଟରେ ନିୟମ ହୋଇଛି । ଗାଁରେ ଚଳିବାକୁ ହେଲେ ଫାଇନ ଦେବାକୁ ପଡିବ ୩୦ ହଜାର ଟଙ୍କା ଏବଂ ଛାଡିବାକୁ ପଡିବ ସେହି ବିବାଦୀୟ ଜମି । ଦୁଇ ପରିବାର ମଧ୍ୟରୁ ଗୋଟିଏ ପରିବାର ଏବେ ଗାଁରେ ରହୁଥିବା ବେଳେ ଅନ୍ୟ ପରିବାର କେନ୍ଦୁଝର ଜିଲ୍ଲା ତେଲକୋଈ ଅଂଚଳରେ ରହୁଛନ୍ତି । ଏନେଇ ଅଭିଯୋଗ ପାଇବା ପରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ କଙ୍କଡ଼ାହାଡ଼ ତହସିଲଦାର ,ବିଡ଼ିଓ ଏବଂ ପରଜଙ୍ଗ ଥାନା ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।