କନକ ବ୍ୟୁରୋ : ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ରାଜ୍ୟରେ ଢେଙ୍କାନାଳ ଏକ ସ୍ୱତନ୍ତ୍ର ପରିଚୟ ରହିଛି । ୧୧ ଦିନ ବ୍ୟାପି ହେବାକୁ ଥିବା ପୂଜାର ବିଶେଷତ୍ୱ ପୂଜା ମଣ୍ଡପର ମୃଣ୍ମୟ ମୂର୍ତି ଏବଂ ଆଲୋକ ସଜ୍ଜା । ୧୦୦ ବର୍ଷର ଇତିହାସରେ ଢେଙ୍କାନାଳ ଲକ୍ଷ୍ମୀପୂଜାରେ କୌଣସି ପ୍ରକାର ଅଘଟଣ କିମ୍ବା ଆଇନିଶୃଂଖଳା ସୃଷ୍ଟି ହୋଇନାହିଁ ।
ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାକୁ ଆଉ ମାତ୍ର ଦିନ କେଇଟା ବାକି । ଏବେ ସାରା ସହର ହୋଇଉଠିଛି ଚଳଚଂଚଳ । ଚଳିତବର୍ଷ ସହରରେ ୩୯ଟି ପୂଜା ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତି ପୂଜା ପାଇବେ । ସେଥୀପାଇଁ ସମସ୍ତ ପୂଜାନୁଷ୍ଠାନରେ ମୂର୍ତି ନିର୍ମାଣ କାମ ପୁରା ଜୋରଦାର ଚାଲିଛି । ସୁଉଚ୍ଚ ତୋରଣ ଏବଂ ଆଲୋକ ସଜ୍ଜାକୁ ସବୁ ଅନୁଷ୍ଠାନ ଗୁରୁତ୍ୱ ଦେଉଛନ୍ତି । ମୁମ୍ବାଇ, ଚେନ୍ନାଇ, କଲିକତା ଭଳି ମେଟ୍ରୋ ସିଟିରୁ କାରିଗର ଆସି ତୋରଣ କାମରେ ଲାଗିଛନ୍ତି । ୭ କିଲୋମିଟରର ସହରର ପ୍ରତି ଇଂଚକୁ ଆଲୋକିତ କରିବାକୁ ଉଦ୍ୟମ ହେଉଛି ।
ଢେଙ୍କାନାଳ ସହରର ପ୍ରତି ୨୦୦ ମିଟର ଦୁରତାରେ ଗୋଟିଏ ଲେଖାଁ ପୂଜା ମଣ୍ଡପ ରହିଛି । ସାରା ସହରରେ ୧୫୦ଟି ଲାଇଟ ଗେଟ ହେଉଥିବା ବେଳେ ୬ଟି ସୁଉଚ୍ଚ ତୋରଣ ତିଆରି ହେଉଛି । ଅକ୍ଟୋବର ୫ ତାରିଖ କୁମାରପୂର୍ଣ୍ଣମୀ ଠାରୁ ୧୧ ଦିନ ଧରି ପୂଜା ଚାଲିବ । ଚଳିତ ବର୍ଷ ପଲ୍ଲୀଶ୍ରୀ ମେଳା ମହିଷାପାଟ ନୁଆ ବସଷ୍ଟାଣ୍ଡକୁ ସ୍ଥାନନ୍ତରିତ କରାଯାଇଛି । ପାଗ ଅନୁକୁଳ ରହିଲେ ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜାରେ ୧୦ ଲକ୍ଷ ଲୋକଙ୍କ ସମାଗମ ହେବ ବୋଲି ମିଳିତ ପୁଜାବଜାର କମିଟି ଆଶା ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/dhenkanal-laxmi-puja-3.jpg)