ମାନୁନି ଗଜରାଜ, ଚିନ୍ତାରେ ଚିକିତ୍ସକ । ଢେଙ୍କାନାଳରେ ଟ୍ରେନ ଦୁର୍ଘଟଣାର ଶିକାର ହାତୀର ଚିକିତ୍ସା କରି ନପାରି ଫେରିଲେ ଭୁବନେଶ୍ୱର ଚିକିତ୍ସକ

26

କନକ ବ୍ୟୁରୋ: ଢେଙ୍କାନାଳରେ ମାଲବାହୀ ଟ୍ରେନ ଦୁର୍ଘଟଣାରେ ଆହାତ ହାତୀର ଅବସ୍ଥା ଉଦବେଗଜନକ ରହିଛି । ଯନ୍ତ୍ରଣାରେ ଛଟପଟ ହାତୀ ବିକଳରେ ରାସ୍ତାଘଟରେ ବୁଲୁଥିବା ବେଳେ ଚିତ୍କାର କରୁଛି । ହେଲେ ହାତୀର ଚିକିତ୍ସା କରିବା ପାଇଁ ଭୁବନେଶ୍ୱରରୁ ଯାଇଥିବା ପ୍ରାଣୀ ଚିକିତ୍ସକ ବିଫଳ ହୋଇ ପୁଣି ଭୁବନେଶ୍ୱର ଫେରିଆସିଛନ୍ତି । ବନ ବିଭାଗ ପକ୍ଷରୁ ହାତୀକୁ କାବୁ କରାଯାଇ ପାରୁନଥିବାରୁ ତାର ଚିକିତ୍ସା କରାଯାଇ ପାରୁନାହିଁ ।

ଯନ୍ତ୍ରଣାରେ ଛଟପଟ ହେଉଥିବା ହାତୀ ଟି ଏବେ ଜଙ୍ଗଲ କଡ ରାସ୍ତାଘାଟରେ ବୁଲୁଛି । ବେଳେ ବେଳେ ଜନବସତି ଭିତରେ ପଶି ଯାଉଥିବାରୁ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି । ଗତ ୨୧ ତାରିଖରେ ଢେଙ୍କାନାଳ କାଉଁରିଆପାଳରେ ମାଲବାହୀ ଟ୍ରନ ଦୁର୍ଘଟଣାରେ ହାତୀଟିର ଡାହଣ ଗୋଡରେ ଆଘାତ ଲାଗିଛି । ଫଳରେ ହାତୀଟି ଛୋଟେଇ ଛୋଟେଇ ଚାଲୁଥିବା ବେଳେ ତାର ସ୍ୱାସ୍ଥବସ୍ଥା ଦିନକୁ ଦିନ ବିଗୁଡୁଛି ।

ସେପଟେ, ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିବା ହାତୀର ଚିକିତ୍ସା ପାଇଁ ଭୁବନେଶ୍ୱରର ପଶୁ ଚିକିତ୍ସକ ଢେଙ୍କନାଳରେ ପହଂଚିଥିଲେ । ମାତ୍ର ୪ ଜଣିଆ ଚିକିତ୍ସିକ ୨ ଦିନ ଧରି ଡେରା ପକାଇଥିଲେ ସୁଦ୍ଧା ହାତୀଟିର ଚିକିତ୍ସା କରାଯାଇ ପାରିନାହିଁ । ବନବିଭାଗ ଅସୁସ୍ଥ ହାତୀକୁ କାବୁ କରିପାରୁନଥିବାରୁ ଚିକିତ୍ସା କରି ନପାରି ଫେରିଯାଇଛି ଭୁବନେଶ୍ୱରର ଚିକିତ୍ସକ । ତେବେ ଚିକିତ୍ସକ ଦଳ ଫେରି ଆସିବା ପରେ ହାତୀ ଛୁଆଟିର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି ।