ଢେଙ୍କାନାଳସ୍ଥିତ ଆବାସିକ କଲେଜରୁ ୩୩ ଛାତ୍ରଛାତ୍ରୀ ପଜିଟିଭ ଘଟଣା । ସିଲ୍ ହେଲା ସମ୍ପୃକ୍ତ ମହାବିଦ୍ୟାଳୟ

159

କନକ ବ୍ୟୁରୋ : ଢେଙ୍କାନାଳର ଏକ ଘରୋଇ କଲେଜରେ କରୋନା ସଂକ୍ରମିତ ଚିହ୍ନଟ । ସାଇକ୍ରୁପା ଯୁକ୍ତ ଦୁଇ ଆବାସିକ ମହାବିଦ୍ୟାଳୟର ୩୩ ଜଣ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହାପରେ ସଂପୃକ୍ତ ମହାବିଦ୍ୟାଳୟକୁ ସିଲ୍ କରାଯାଇଛି । ପ୍ରଶାସନ ପକ୍ଷରୁ ପୌର ନିର୍ବାହୀ ଅଧିକାରୀ ଓ ସ୍ୱତନ୍ତ୍ର କୋଭିଡ୍ ଟିମ୍ ପହଂଚି କଲେଜକୁ ସିଲ୍ କରିଛନ୍ତି । ୨ଟି ହଷ୍ଟେଲକୁ ମଧ୍ୟ ସିଲ କରାଯାଇଛି । ଢେଙ୍କାନାଳ ମୁନିସିପାଲିଟି କୁଞ୍ଜକାନ୍ତ ଅଂଚଳର ୱାର୍ଡ ନମ୍ବର ୨କୁ ୧୦ ଦିନ ପାଇଁ କଂଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

ଆସନ୍ତା ୧୦ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ କଟକଣା ଜାରି ରହିବ । ମୋଟ୍ ୨୬୦ ଛାତ୍ରଛାତ୍ରୀଙ୍କର କରୋନା ପରୀକ୍ଷା ହୋଇଥିଲା । ୯୦ ଜଣଙ୍କ ରିପୋର୍ଟ ଆସିଥିବା ବେଳେ ସେଥିମଧ୍ୟରୁ ୩୩ ଜଣ ଏଯାବତ କରୋନାରେ ସଂକ୍ରମିତ ହୋଇଛନ୍ତି । ସଂକ୍ରମିତଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ନଥିବା ସୂଚନା ରହିିିଛି । ତେବେ ଏହି ଛାତ୍ର କେମିତି ସଂକ୍ରମିତ ହେଲେ ତାହା ଏବେ ବଡ ପ୍ରଶ୍ନ । ୩୩ ଜଣ ଛାତ୍ର ସଂକ୍ରମିତ ହୋଇଥିବାରୁ ସେମାନେ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଚିହ୍ନଟ କରିବା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ।

କେବଳ ସଂପୃକ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ କିମ୍ବା ଅଭିଭାବକ ମହଲ ନୁହେଁ, ସମଗ୍ର ସହରବାସୀଙ୍କ ମଧ୍ୟରେ ଏଥିନେଇ ଭୟ ଖେଳିଯାଇଛି । ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀ କିପରି ପଢ଼ିବେ, ସେଥିନେଇ ଆଶଙ୍କା ପ୍ରକାଶ ପାଇଛି । କେଉଁଠାରୁ କିପରି ଏତେ ପିଲା ଏକାଥରେ ସଂକ୍ରମିତ ହେଲେ, ସେ ସଂପର୍କରେ କଣ୍ଟାକ୍ଟ ଟ୍ରେସିଂ କରାନଗଲେ ଜିଲ୍ଲାରେ ସଂକ୍ରମଣ ବଢ଼ିବା ଆଶଙ୍କା ଦେଖାଯାଇଛି । ଏହି ଗୋଟିଏ ଅନୁଷ୍ଠାନକୁ ନେଇ ସମଗ୍ର କୁଞ୍ଜକାନ୍ତ ଅଞ୍ଚଳକୁ ୧୦ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।