କନକ ବ୍ୟୁରୋ: ଶିଶୁଭବନରେ ଚିକିତ୍ସିତ ହେଉଥିବା ଦୁଇ ଯୋଡ଼ା ଶିଶୁଙ୍କ ହୃତପିଣ୍ଡ ଓ ଯକୃତ ଗୋଟିଏ। ଗତକାଲି ଅଲଟ୍ରାସାଉଣ୍ତ ଏବ˚ ଏକ୍ସରେ ରିପୋର୍ଟ ଆସିବା ପରେ ଡାକ୍ତରୀ ଟିମ୍ ଏଭଳି ପ୍ରାଥମିକ ରିପୋର୍ଟ ପାଇଛନ୍ତି। ଆଜି ଦୁଇ ଭଉଣୀଙ୍କୁ କଟକ ବଡ଼ ମେଡିକାଲରେ ଏମଆରଆଇ ପରୀକ୍ଷା କରାଯିବ। ଅନ୍ୟପଟେ ସୋମବାରଠାରୁ ଏସଏନସିୟୁରେ ଚିକିତ୍ସିତ ହେଉଥିବା ଦୁଇ ଭଉଣୀଙ୍କୁ ଗତକାଲି ନିକୁ(ନିଓନାଟାଲ୍ ଇଣ୍ଟେନସିଭ୍ କେୟାର ୟୁନିଟ୍)କୁ ସ୍ଥାନାନ୍ତର କରାଯାଇଛି। ସେଠାରେ ଥିବା ଆଇସିୟୁରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବାକୁ ଡାକ୍ତରୀ ଟିମ୍ ଯୋଜନା କରୁଛି।

Advertisment

publive-image

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଖାଲପାଳ ଗାଁର ରେଣୁବାଳା ବେହେରାଙ୍କ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୋମବାର ଦିନ ଏଭଳି ଯୋଡ଼ା ଶିଶୁକନ୍ୟା ଜନ୍ମ ହୋଇଥିଲା। କିନ୍ତୁ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ କଟକ ଶିଶୁଭବନରେ ଭର୍ତ୍ତି କରାଯାଇଥିଲା। ଗତକାଲି ଏହି ଯୋଡ଼ା ଶିଶୁର ଚିକିତ୍ସା ଲାଗି ପ୍ରଫେସର ଡା. ହିରଣ୍ୟ ମହାନ୍ତିଙ୍କ ନେତୃତ୍ବରେ ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡା.ସରୋଜ ଶତପଥୀ ଏକ ୭ ଜଣିଆ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲେ। ପ୍ରାଥମିକ ରିପୋର୍ଟରୁ ଦୁଇ ଭଉଣୀଙ୍କର ଗୋଟିଏ ହୃତପିଣ୍ଡ ଏବ˚ ଗୋଟିଏ ଯକୃତ ଥିବା ଜଣା ପଡ଼ିବା ପରେ ସେମାନଙ୍କୁ ଅଲଗା କରିବା ପାଇଁ ଅପରେସନ୍ କରିବା ଆଶା କ୍ଷୀଣ ହୋଇଯାଇଛି। ଅନ୍ୟପଟେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ବଡ଼ ମେଡିକାଲ୍କୁ ଏମଆରଆଇ ପରୀକ୍ଷା ପାଇଁ ନିଆଯାଇ ପାରି ନାହିଁ।

publive-image

ଅନ୍ୟପଟେ ଶିଶୁଦ୍ବୟର ସ୍ବାସ୍ଥ୍ୟାବସ୍ଥା ବିଷୟରେ ଜାଣିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅଧୀକ୍ଷକ ପ୍ରଫେସର ଡାକ୍ତର ଶ୍ରୀ ଶତପଥୀଙ୍କ ସହ ଯୋଗାଯୋଗ କରାଯାଇଥିଲା। ଯେଭଳି ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ମିଳିପାରିବ, ସେ ନେଇ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି। ଜଣେ ବିଶେଷଜ୍ଞ ଡାକ୍ତରଙ୍କ କହିବା ମୁତାବକ, ନୟାଗଡ଼ ଖାଲିଆପାଟଣା ଅଞ୍ଚଳର ସୁମିତ୍ରା ଦତ୍ତଙ୍କ ଯୋଡ଼ା ଶିଶୁ ପରି ଢେଙ୍କାନାଳରେ ଗତକାଲି ଜନ୍ମ ହୋଇଥିବା ଏହି ଦୁଇ ଭଉଣୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଜଟିଳ ରହିଛି। ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ନହେବା ପର୍ଯ୍ୟନ୍ତ କୌଣସି ପରିସ୍ଥିତିରେ ଶିଶୁଭବନରେ ଅପରେସନ୍ କିମ୍ବା ଦିଲ୍ଲୀ ଏମଏସକୁ ସ୍ଥାନାନ୍ତର କରାଯାଇପାରିବ ନାହିଁ ବୋଲି ସମ୍ପୃକ୍ତ ଡାକ୍ତର କହିଛନ୍ତି।