କନକ ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ଗଜ ଲକ୍ଷ୍ମୀ ପୂଜା ପାଇଁ ଚାଲିଛି ଜୋରସୋରରେ ପ୍ରସ୍ତୁତି । ଦିନ ରାତି ଏକ କରି ହେଉଛି ମୃଣୟୀ ମୂର୍ତ୍ତି କାମ ସହ ସୂଉଚ୍ଚ ତୋରଣ ମଣ୍ଡପ ସାଜସଜ୍ଜା । ମିଳିତ ବଜାର କମିଟିର ଆଲୋଚନା ପରେ ପ୍ରଶାସନିକ ସ୍ତରରେ ବସିଲା ବୈଠକ । ଶାନ୍ତିଶୃଙ୍ଖଳାର ସହ ପୂଜା ସମାପନ ପାଇଁ ସହଯୋଗ ଲୋଡିଲେ ଜିଲ୍ଲାପାଳ ଓ ଏସପି । ଗଣେଶ ବଜାର ପକ୍ଷରୁ ହୀରକ ଜୟନ୍ତୀ ପାଇଁ ଆସିଲା ଦେଢ କୋଟି ଟଙ୍କାର ମା’ଙ୍କ ସୁନା ମୁକୁଟ । ଗଜଲକ୍ଷ୍ମୀ ପୂଜାରେ ମନ ମୋହିବ କୋଇମ୍ୱାଟୁରର ଶିବଙ୍କ ମୂର୍ତ୍ତି ସଦୃଶ ତୋରଣ ।

Advertisment

ମଝିରେ ଗୋଟିଏ ଦିନ, ଧରାବତରଣ କରିବେ ମାଆ ଗଜଲକ୍ଷ୍ମୀ । ଶନିବାର କୁମାର ପୂର୍ଣ୍ଣିମା । କୁମାର ପୂର୍ଣ୍ଣିମା ଠାରୁ ୧୧ ଦିନ ଧରି ଚାଲିବ ଗଜଲକ୍ଷ୍ମୀ ପୂଜା । ଏଥିପାଇଁ ଚଳଚଂଚଳ ହେଲାଣି ଢେଙ୍କାନାଳ ସହର । ମୃଣ୍ମୟୀ ମୂର୍ତି ନିର୍ମାଣ ଠାରୁ ଆରମ୍ଭ କରି ତୋରଣ ସାଜସଜା କାମରେ ଲାଗିପଡିଛନ୍ତି କାରିଗର ଓ ପୂଜା କମିଟି କର୍ମକର୍ତା । ମୂର୍ତିରେ ରଙ୍ଗ କାମ ଚାଲିଥିବା ବେଳେ ଚାନ୍ଦି ମେଢ଼ ପ୍ରସ୍ତୁତ ହେଉଛି । ୪ଟି ପୂଜା ମଣ୍ଡପରେ ମାଆଙ୍କର ଚାନ୍ଦିମେଢ଼ ହେଉଛି ।

ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ବେଶ ପ୍ରସିଦ୍ଧ । ମୋଟ ୩୮ଟି ପୂଜା ମଣ୍ଡପରେ ମା’ଙ୍କ ଆରାଧନା କରାଯିବ । ୧୧ ଦିନର ଏହି ପୂଜାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଶ୍ରଦ୍ଧାଳୁଙ୍କ ଭିଡକୁ ନଜରରେ ରଖି ପୂଜାକୁ ଶାନ୍ତିଶୃଙ୍ଖଳାର ସହ ସାରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲା ପ୍ର୍ରଶାସନ, ପୁଲିସ ପ୍ରଶାସନ ସହ ସମସ୍ତ ପୂଜା ମଣ୍ଡପ କର୍ମକର୍ତାଙ୍କ ବୈଠକ ହୋଇଛି । ସହରରେ ଲାଗିଥିବା ସିସିଟିଭି ଗୁଡିକୁ ଆକ୍ଟିଭ କରିବା ସହ ରାସ୍ତାଘାଟ ଓ ପାନୀୟ ଜଳ ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।

ଲୋକମାନେ ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ଦେଖିବା ସହ ପଲିଶ୍ରୀ ମେଳା ବୁଲି ଦେଖିବେ । ୨୯ ତାରିଖରୁ ଜୁବୁଲି ଟାଉନ୍ ଅଂଚଳରେ ଆରମ୍ଭ ହେବ ପଲିଶ୍ରୀ ମେଳା ।