‘ଢ଼େଙ୍କାନାଳ’ ରାଜନୀତି ହେଲାଣି ଅସମ୍ଭାଳ ! ୩ ଦଳରେ ଆଶାୟୀ ମାଳମାଳ, କାହା ଉପରେ ଭରସା କରିବ ଦଳ ।

‘ଢ଼େଙ୍କାନାଳ’ ରାଜନୀତି ହେଲାଣି ଅସମ୍ଭାଳ ! ୩ ଦଳରେ ଆଶାୟୀ ମାଳମାଳ, କାହା ଉପରେ ଭରସା କରିବ ଦଳ ।

କନକ ବ୍ୟୁରୋ: ଦିଲ୍ଲୀରୁ ପଲ୍ଲୀ ସବୁଠି ଏବେ ବହୁଛି ନିର୍ବାଚନୀ ହାୱା । ରାଜ୍ୟରେ କ୍ଷମତାସୀନ ଥିବା ଦଳର ବିଭିନ୍ନ ଗଡ଼ ଦୋହଲାଇବାକୁ ବଳ କଷୁଛନ୍ତି ବିରୋଧୀ । ସେହି ମର୍ମରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଢେଙ୍କାନାଳରେ ଆରମ୍ଭ ହୋଇଯାଇଛି ଅଙ୍କକଷା । କିଏ କେଉଁ ଦଳରୁ ପ୍ରତିଦ୍ବନ୍ଦ୍ବିତା କରିବ, କାହାକୁ ଟିକେଟ୍ ରୂପକ ଶିରିପା ପିନ୍ଧାଇ ପ୍ରମୁଖ ବିଜେପି, ବିଜେଡି ଏବଂ କଂଗ୍ରେସ ଦଳ ମଇଦାନକୁ ଲଢ଼ିବା ପାଇଁ ପଠାଇବେ ତାକୁ ନେଇ ଚାଲିଛି ଗୁପ୍ତ ମନ୍ତ୍ରଣା । ତେବେ ଏସବୁ ମଧ୍ୟରେ ଚଳିତ ନିର୍ବାଚନରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଚର୍ଚ୍ଚା ଜୋର ଧରିଛି ।

publive-imageଦଳର ମନ ଜିଣି ଟିକେଟ୍ ହାତେଇବାକୁ ଆଶାୟୀ ପ୍ରାର୍ଥୀମାନେ ଜି-ଜାନ୍ ଲଗାଇ ଲୋକଙ୍କ ନିକଟତର ହେଉଛନ୍ତି । ସେପଟେ ଟିକେଟ୍ ହାତେଇବା ପାଇଁ ସବୁ ଦଳରେ ଆଶାୟୀଙ୍କ ସଂଖ୍ୟା ଦିନକୁ ଦିନ ଲମ୍ବିବାରେ ଲାଗିଛି । ଦଳର ଜିଲ୍ଲାସ୍ତରୀୟ କର୍ମୀମାନେ ଆଲୋଚନା, ପର୍ଯ୍ୟାଲୋଚନା କରି ପ୍ରାର୍ଥୀମାନଙ୍କ ତାଲିକା ଭିତିରିଆ ଦଳୀୟ ସୁପ୍ରିମୋଙ୍କ ନିକଟକୁ ପଠାଉଛନ୍ତି । ଏପରିକି ନିଜ ସ୍ୱାର୍ଥ ପାଇଁ ବିଭିନ୍ନ ସ୍ତରରେ ପ୍ରାର୍ଥୀମାନେ ଗୋଟି ଚାଳନା କରି ଲବି ମଧ୍ୟ ଆରମ୍ଭ କରିଲେଣି । କିନ୍ତୁ ଟିକେଟ ଯାହାକୁ ନ ମିଳିବ ସେ ଦଳର ସାଥ୍ ଛାଡ଼ିବାକୁ ମଧ୍ୟ ଗୋଡ଼ କାଢୁଥିବା ଶୁଣିବାକୁ ମିଳୁଛି ।

ଶାସକ ବିଜେଡି ପୁଣି ବିଜୟୀ ହେବାର ସମ୍ଭାବନାକୁ ଦୃଢ଼ିଭୂତ କରିଛି । ତେଣୁ ବିଜେଡି ଟିକେଟ୍ ପାଇଁ ସବୁଠୁ ଅଧିକ ଆଶାୟୀ ରହିଛନ୍ତି ଢେଙ୍କାନାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସରୋଜ ସାମଲ । ଏହି ତାଲିକାରେ ପୂର୍ବତନ ବିଧାୟକ ତଥା ବିଜେଡ଼ି ରାଜ୍ୟ ସାଧାରଣ ସଂପାଦକ ସୁଧୀର ସାମଲ, ରାଜ୍ୟ ସମବାୟ ସମିତି ଅଧ୍ୟକ୍ଷ ଅକ୍ଷୟ ମହାନ୍ତି, ଯୁବ ଶିଳ୍ପଦ୍ୟୋଗୀ ତଥା ପୂର୍ବତନ ନଗରପାଳ ଇନ୍ଦ୍ରମଣି ବେହେରା, ଜିଲ୍ଲା ସାଧାରଣ ସଂପାଦକ ଭରତ ଦାସ, ରାଜ୍ୟ ମହିଳା ବିଜେଡି ଉପସଭାନେତ୍ରୀ ସାଗରିକା ମିଶ୍ର, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ସାଇଶ୍ରୀ ପଟ୍ଟନାୟକଙ୍କ ନାମ ଚର୍ଚ୍ଚାରେ ରହିଛି। ଏପରିକି ସାଂସଦ ତଥାଗତ ସତପଥୀଙ୍କ ଧର୍ମ ପତ୍ନୀ ଆଦ୍ୟାଶା ଶତପଥୀ ମଧ୍ୟ ଚଳିତ ଥର ଢେଙ୍କାନାଳର ବୋହୂ ହିସାବରେ ପ୍ରାର୍ଥୀ ହୋଇ ପାରନ୍ତି ବୋଲି କର୍ମୀ ମହଲରେ ଆଲୋଚନା ଜୋର୍ ଧରିଛି ।

ସେହିଭଳି ଚଳିତ ଥର କଂଗ୍ରେସର ବହୁ ଯୁବକର୍ମୀ ବିଧାୟକ ଟିକେଟ୍ ପାଇଁ ଆଶାୟୀ ରହିଛନ୍ତି। କଂଗ୍ରେସ ଆଶାୟୀଙ୍କ ମଧ୍ୟରେ ପିସିସି ସଂପାଦକ ସିଦ୍ଧେଶ୍ୱରୀ ପ୍ରସାଦ ମିଶ୍ର, ଯୁବ ଶିଳ୍ପୋଦ୍ୟୋଗୀ ତଥା ଚଳଚ୍ଚିତ୍ର ପ୍ରଯୋଜକ ଦୀପକ କୁମାର ମିଶ୍ର, ଜିଲ୍ଲା କଂଗ୍ରେସ ଉପସଭାପତି ସୁନୀଲ ଦାସ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସରୋଜ ପଟ୍ଟନାୟକ, ପୁରୁଖା ନେତା ତଥା ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସଙ୍କ ଭଳି ଅଧ ଡ଼ଜନେ ଆଶାୟୀ ରହିଛନ୍ତି । ସେହିପରି ମହିଳାମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ତଥା ଏଆଇସିସି ସଦସ୍ୟା ସୁଭାଷିନୀ ମହାକୁଡ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ମମତାଞ୍ଜଳି ବେହେରା ପ୍ରାର୍ଥୀ ହେବା ଟିକେଟ୍ ଦୌଡ଼ରେ ରହିଛନ୍ତି ।

ଅନ୍ୟପଟେ ଗେରୁଆ ରଙ୍ଗରେ ଜୋର ଭରିଥିବାବେଳେ ବିଜେପିର ଆଶାୟୀ ପ୍ରାର୍ଥୀ ଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏହି ଆଶାୟୀ ଟିକେଟ୍ ତାଲିକାରେ ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ଓବିସି ସେଲ୍ ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ପାତ୍ର, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ନିରୋଜା ନଳିନୀ ମହାଲିକ, ବିଜେପି ଜିଲ୍ଲା ଉପସଭାପତି ରମେଶ ସାମଲ, ବରିଷ୍ଠ ଆଇନଜୀବୀ ଦୀପକ ପ୍ରସାଦ ପଟ୍ଟନାୟକ, ପୂର୍ବତନ ନଗରପାଳ ସୁନୀଲ ଶର୍ମା, ଯୁବନେତା ତଥା ପୂର୍ବତନ ନଗରପାଳ ସୁଧାଂଶୁ ଦଳେଇଙ୍କ ନାମ ସାମ୍ନାକୁ ଆସୁଛି। ତେବେ ଆଗକୁ ଆସୁଥିବା ନିର୍ବାଚନ ଢ଼ୋଙ୍କାନାଳରେ କେଉଁ ମୋଡ଼ ନେବ ତାହା ଉପରେ ନଜର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe