ମହାକାଶରେ ଭାରତର ଆଖି ସାଜିବ ଇଓଏସ-୦୧ ଉପଗ୍ରହ :  ଆସନ୍ତା ନଭେମ୍ବର ୭ ତାରିଖରେ ଉତକ୍ଷେପଣ କରିବ ଇସ୍ରୋ ; ଦିନରାତି ଓ ଘନ ମେଘ ଭିତରେ ବି ରଖିପାରିବ ନଜର

ପ୍ରତିରକ୍ଷା ବ୍ୟବସ୍ଥା ହେବ ଆଉ ଏକ ମାଇଲଖୁଂଟ 

118

କନକ ବ୍ୟୁରୋ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା – ଇସ୍ରୋ ଆସନ୍ତା ନଭେମ୍ବର ୭ ତାରିଖରେ ଚଳିତ ବର୍ଷର ପ୍ରଥମ ଉପଗ୍ରହ ମହାକାଶକୁ ଉତକ୍ଷେପଣ କରିବ । ମିଳିଥିବା ସୂଚନା ଅନୁସାରେ ଏହି ଦିନ ଅପରାହ୍ନ ୩ଟା ୨ ମିନିଟ୍ ସମୟରେ ପିଏସଏଲଭି-ସି୪୯ ରକେଟ୍ ଭାରତର ସର୍ଭିଲାନ୍ସ ସାଟେଲାଇଟକୁ ତାହାର କକ୍ଷ ପଥକୁ ବୋହି ନେବ । ଏହି ତଦାରଖକାରୀ ଉପଗ୍ରହ ରିସାଟ୍ ସିରିଜର ଉପଗ୍ରହ ଏବଂ ଏହାର କୋଡ୍ ନାଁ ଇଓଏସ-୦୧ ରଖାଯାଇଛି ।

ତେବେ ଏହି ରକେଟ ଭାରତୀୟ ଉପଗ୍ରହ ସହ ବିଦେଶର ଆଉ ୯ଟି ଉପଗ୍ରହକୁ ମହାକାଶକୁ ବୋହିନେବ । ପାଗ ଭଲ ରହିଲେ ଶ୍ରୀହରିକୋଟା ସ୍ଥିତ ପ୍ରଥମ ଉତକ୍ଷେପଣ ମଂଚରୁ ଏହାକୁ ପ୍ରେରଣ କରାଯିବ । ଉପଗ୍ରହ ଇଓଏସ-୦୧ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଛି ଏବଂ ଦିନରାତି ଓ ପ୍ରତିକୂଳ ପାଗରେ ମଧ୍ୟ ଭୁପୃଷ୍ଠ ଉପରେ ନଜର ରଖିପାରିବ । ଫଳରେ ଏହାର ତଥ୍ୟ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବ ବୋଲି କୁହାଯାଉଛି ।

ଘନ ମେଘ ଭିତରେ ମଧ୍ୟ ଏହା ଆକାଶରେ ଭାରତର ଆଖି ଭଳି କାମ କରିବ । ଏହି ଉପଗ୍ରହ ସହାୟତାରେ କେବଳ ପ୍ରତିରକ୍ଷା ନୁହେଁ କୃଷି, ଜଙ୍ଗଲ ବିଜ୍ଞାନ, ଭୂ ଆର୍ଦ୍ରତା, ଭୁବିଜ୍ଞାନ, ଉପକୂଳ ଅନୁଧ୍ୟାନ ଓ ବନ୍ୟା ଅନୁଧ୍ୟାନ ପରି ଗବେଷଣା ମଧ୍ୟ କାମ କରାଯାଇପାରିବ । ଏହି ଉତକ୍ଷେପଣ ପରେ ଡିସେମ୍ବର ମାସରେ ଜିସାଟ୍-୧୨ଆର  ଯୋଗାଯୋଗ ଉପଗ୍ରହ ମହାକାଶକୁ ପଠାଇବ ଇସ୍ରୋ ।